Thursday , February 2 2023
Breaking News
Home / ବିଶେଷ / ଓଡ଼ିଶାର ପ୍ରଥମ ରାଜଵନ୍ଦୀ ରାଜକୃଷ୍ଣ ବୋଷଙ୍କ ଜନ୍ମ ଜୟନ୍ତୀ ଆଜି, ଉପଯୁକ୍ତ ସମ୍ମାନ ମିଳୁନଥିବାରୁ ଅସନ୍ତୋଷ –

ଓଡ଼ିଶାର ପ୍ରଥମ ରାଜଵନ୍ଦୀ ରାଜକୃଷ୍ଣ ବୋଷଙ୍କ ଜନ୍ମ ଜୟନ୍ତୀ ଆଜି, ଉପଯୁକ୍ତ ସମ୍ମାନ ମିଳୁନଥିବାରୁ ଅସନ୍ତୋଷ –

ଭୁବନେଶ୍ଵରରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନା କରିଵା ସହିତ ତାଙ୍କ ଜନ୍ମସ୍ଥାନକୁ ଜାତୀୟ ସ୍ମାରକୀ ଘୋଷଣା କରିବାକୁ ‘ କଟକ ସଦର ବିଚାର ମଞ୍ଚ’ ର ଦାଵି

କଟକ ସଦର, ୧୭/୧୨/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଆଜି ହେଉଛି ଓଡ଼ିଶାର ପ୍ରଥମ ରାଜଵନ୍ଦୀ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ, ପୂର୍ବତନ ମନ୍ତ୍ରୀ ବିଶେଷକରି କିଶନନଗର ଅଞ୍ଚଳର ଗାନ୍ଧୀ ଭାବେ ପରିଚିତ ସ୍ବର୍ଗତ ରାଜକୃଷ୍ଣ ବୋଷଙ୍କ ଜନ୍ମ ଜୟନ୍ତୀ। ଆଜିର ଦିନରେ ଅର୍ଥାତ୍ ୧୯୦୧ ମସିହା ଡିସେମ୍ବର ୧୭ ତାରିଖରେ ଏହି ଯୋଗଜନ୍ମା ରାଜକୃଷ୍ଣ କିଶନନଗର ରାମଚନ୍ଦ୍ରପୁର ଠାରେ ଜନ୍ମ ଗ୍ରହଣ କରି ରାଜ୍ୟ ଏବଂ ଦେଶ ପାଇଁ ଗୌରବ ଆଣିଥିଲେ।ହେଲେ ଦେଶ ଆଜି ସ୍ୱାଧୀନତାର ୭୫ ଵର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଏଭଳି ଜଣେ ଦେଶ ଭକ୍ତଙ୍କୁ ଭୁଲିଯିଵା କ୍ଷୋଭ ଓ ପରିତାପର ବିଷୟ ହୋଇଛି। କିଛି ବର୍ଷ ତଳେ ପୁରୁଣା କିଶନନଗରର ତତ୍କାଳୀନ ବିଧାୟକ ପ୍ରତାପ ଜେନା ତାଙ୍କ ସମୟ କାଳ ମଧ୍ୟରେ ରାଜକୃଷ୍ଣଙ୍କ ଜନ୍ମ ଜୟନ୍ତୀକୁ ଵଡ ଧୁମଧାମରେ ପାଳନ କରିଥିଵେଳେ ସିଏ ଗଲାପରେ ଏସଵୁ ଵନ୍ଦ ହୋଇଯାଇଛି। ହେଲେ ଗତ ବର୍ଷ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଏକ ସଂଗଠନ ଏହି ଜୟନ୍ତୀକୁ ଆଡ଼ମ୍ବର ଭାବେ ପାଳନ କରିଥିବା ବେଳେ ଚଳିତ ବର୍ଷ ଫିକା ପଡ଼ିଥିବା ଦେଖିବାକୁ ମିଳିଛି। ଏଭଳି ଜଣେ ଦେଶ ଭକ୍ତଙ୍କୁ ରାସ୍ତା ଘାଟର ସୁବିଧା ନଥିଵା ସୁଦୂର ଯାଜପୁରରୁ ଇଂରେଜ ମାନେ ପାଦରେ ଚଲାଇ ଚଲାଇ କଟକ ଜେଲ୍ ଆଣିଥିଲେ। ସେତେବେଳେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ରାଜକୃଷ୍ଣଙ୍କୁ ଜେଲରେ ଦେଖାକରି ଶ୍ରୀକୃଷ୍ଣ ଵନ୍ଦୀଶାଳରୁ ଯେପରି ପରାକାଷ୍ଠା ପ୍ରତିପାଦନ କରିଥିଲେ ରାଜକୃଷ୍ଣ ମଧ୍ୟ ସେପରି ହେଵେ ବୋଲି କହିଥିବା କଥା ବାସ୍ତବରେ ସତରେ ପରିଣତ ହୋଇଥିଲା। ରାଜକୃଷ୍ଣଙ୍କ ଉଦ୍ୟମରେ କିଶନନଗରକୁ ଵନ୍ୟା ଦାଉରୁ ରକ୍ଷା କରିବା ଏବଂ ଜଳସେଚନ ପାଇଁ କେନାଲ ବ୍ୟବସ୍ଥା କରାଯାଇ ଆୟତପୁର ଠାରେ ମହାନଦୀର ପାଇକା ମୁହାଣ ବନ୍ଦ କରିଵା ଐତିହାସିକ ପଦକ୍ଷେପ ବୋଲି ଆଜି ବି ବିବେଚନା କରାଯାଉଛି। ରାଜ୍ୟ ଓ କେନ୍ଦ୍ର ସରକାର ଏଭଳି ଜଣେ ଦେଶଭକ୍ତଙ୍କୁ ଉପଯୁକ୍ତ ସମ୍ମାନ ଦେବା ପାଇଁ ରାଜଧାନୀ ଭୁବନେଶ୍ଵରରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନା କରିଵା ସହିତ ତାଙ୍କ ଜନ୍ମସ୍ଥାନକୁ ଜାତୀୟ ସ୍ମାରକୀ ଘୋଷଣା କରିବାକୁ ‘ କଟକ ସଦର ବିଚାର ମଞ୍ଚ’ ଦାଵି କରିଛି।

Leave a Reply

Your email address will not be published.