Friday , February 3 2023
Home / ବିଶେଷ / ବୃଦ୍ଧା ଭିକାରୁଣୀଙ୍କ ବଦାନ୍ୟତା; ଭିକ୍ଷା ମାଗି ସଂଚିତ ୧ ଲକ୍ଷ ଟଙ୍କା ଜଗନ୍ନାଥ ମନ୍ଦିରକୁ ଦାନ କଲେ

ବୃଦ୍ଧା ଭିକାରୁଣୀଙ୍କ ବଦାନ୍ୟତା; ଭିକ୍ଷା ମାଗି ସଂଚିତ ୧ ଲକ୍ଷ ଟଙ୍କା ଜଗନ୍ନାଥ ମନ୍ଦିରକୁ ଦାନ କଲେ

ଫୁଲବାଣୀ, ୧୬/୧୨/୨୦୨୨ (ଓଡ଼ିଶା ସମାଚାର)- ଜଣେ ବୃଦ୍ଧା ଭିକାରୁଣୀ । ହେଲେ ତାଙ୍କର ହୃଦୟଟା ବହୁତ ବଡ଼ । ଭିକ ମାଗି ସଂଚୟ କରିଥିବା ୧ ଲକ୍ଷ ଟଙ୍କା ଫୁଲବାଣୀ ଜଗନ୍ନାଥ ମନ୍ଦିର କମିଟିକୁ ଦାନ କରିଥିବା ବିଷୟ ନେଇ ଆଲୋଚନାର ବିଷୟ ହୋଇଛି। ତାଙ୍କ ପାଇଁ ଏବେ ଚାରିଆଡୁ ପ୍ରଂଶାସର ସୁଅ ଛୁଟିଛି । ଫୁଲବାଣୀ ସହରର ଜଣେ ବୃଦ୍ଧା ଭିକାରୁଣୀ ତୁଳା ବେହେରା । ବୟସ ତାଙ୍କର ୭୦ ବର୍ଷ । ଭିକ ମାଗି ସଂଚୟ କରିଥିବା ୧ ଲକ୍ଷ ଟଙ୍କା ଆଜି ଜଗନ୍ନାଥ ମନ୍ଦିର କମିଟିକୁ ପୁରୁଣା ମନ୍ଦିର ପୁନରୁଦ୍ଧାର କରିବା ପାଇଁ ଦାନ କରି ବେଶ ଚର୍ଚ୍ଚାରେ ରହିଛନ୍ତି । ୪୦ ବର୍ଷ ହେବ ଭିକାରୁଣି ଜଣକ ଫୁଲବାଣି ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର ଓ ସାଇ ମନ୍ଦିରରେ ଭିକ ମାଗି ୧ ଲକ୍ଷ ଟଙ୍କା ସଂଚିତ କରି ରଖିଥିଲେ । ପ୍ରଥମେ ଦିବ୍ୟାଙ୍ଗ ସ୍ୱାମି ପ୍ରଫୁଲ ବେହେରାଙ୍କ ସହ ବୁଲି ବୁଲି ଭିକ୍ଷା ବୃତ୍ତି କରୁଥିବା ବେଳେ ସ୍ୱାମୀଙ୍କ ଦେହାନ୍ତ ପରେ ସେ ନିଜେ ମନ୍ଦିର ଗୁଡିକରେ ଭିକ୍ଷା ମାଗୁଥିଲେ । ପରେ ବୟସ ହୋଇଯିବାରୁ ଉକିଅ ମହାକୁଡ ନାମକ ଜଣେ ବେସାହାରା ମହିଳାଙ୍କୁ ୧୦ ବର୍ଷ ତଳେ ପାଳିତ ଝିଅ କରି ରଖିଥିଲେ । ପରିଣତ ବୟସରେ ଭିକ ମାଗି ରଖିଥିବା ଟଙ୍କା ପ୍ରଭୁ ଜଗନ୍ନାଥଙ୍କ ସେବାରେ ଲାଗୁ ବୋଲି ତୁଳା ବେହେରା ଓ ପାଳିତ ଝିଅ ଚିନ୍ତା କରି ଆଜି ଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ୧ଲକ୍ଷ ଟଙ୍କା ଦାନ କରିଥିଲେ । ମନ୍ଦିର ପରିଚାଳନା କମିଟିର ସଭାପତି ସୁନାଶିର ମହାନ୍ତିଙ୍କ ଉପସ୍ଥ୍ିତିରେ ବୃଦ୍ଧା ଭିକାରୁଣି ମହିଳା ଜଣକ ୧ ଲକ୍ଷ ଟଙ୍କା ଦାନ କରିଥିଲେ । ପୁରୁଣା ଜଗନ୍ନାଥ ମନ୍ଦିରର ପୁନରୁଦ୍ଧାର କରିବା ସହ ସେଠାରେ ସାଧୁ ସନ୍ଥମାନଙ୍କ ପାଇଁ ଆଶ୍ରୟସ୍ଥଳୀ କରାଯିବ ବୋଲି ମନ୍ଦିର ସଭାପତି କହିଛନ୍ତି । ମନ୍ଦିର ସଂପାଦକ ହରିଶ୍ଚନ୍ଦ୍ର ମହାରଣା, ରଜତ ମହାନ୍ତି, ବିଜୟ ମହାନ୍ତି, ଶରତ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ତୁଳା ବେହେରା ଙ୍କ ସମସ୍ତ ଦାୟିତ୍ୱ ମନ୍ଦିର କମିଟି ଏଣିକି ବୁଝିବ ବୋଲି ମନ୍ଦିର କମିଟି ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published.