ଭୁବନେଶ୍ୱର, ୧୬/୧୨/୨୦୨୨ (ଓଡ଼ିଶା ସମାଚାର)-ରାଜ୍ୟ ସରକାର ଆଜି ଆଇଏଏସ୍ ଅଫିସର ସ୍ତରରେ ଛୋଟ ଧରଣର ଅଦଳ ବଦଳ କରିଛନ୍ତି । ୧୯୯୬ ବ୍ୟାଚ୍ ର ଆଇଏଏସ ଉଷା ପାଢ଼ୀ କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ତାଙ୍କୁ ନୂଆ ଦାୟିତ୍ବ ମିଳିଛି। ଏଥି ସହିତ ଦୁଇ ବରିଷ୍ଠ ଆଇଏଏସ୍ ଅଫିସର ଙ୍କୁ ଅତିରିକ୍ତ ଦାୟିତ୍ବ ରୁ ଅବ୍ୟାହତି ଦିଆଯାଇଛି।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଆଇଏଏସ୍ ଉଷା ପାଢ଼ୀଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ସେ ଅତିରିକ୍ତ ଭାବେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ମଧ୍ୟ ତୁଲାଇବେ। ପୂର୍ବରୁ ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ ମିଳିଥିବା ଅତିରିକ୍ତ ଦାୟିତ୍ବ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବରୁ ଅବ୍ୟାହତି ଦିଆଯାଇଛି । କିନ୍ତୁ ସେ ଇପିକଲ୍ ଓ ଇଡକୋ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱରେ କାର୍ୟ୍ୟ ଜାରି ରଖିବେ ।
ଅପର ପକ୍ଷରେ ଆଇଏଏସ୍ ବିଷ୍ଣୁପଦ ସେଠୀ କେବଳ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଦାୟିତ୍ବ ତୁଲାଇବେ। ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀଙ୍କୁ ମିଳିଥିବା ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଦାୟିତ୍ବ ରୁ ତାଙ୍କୁ ଅବ୍ୟାହତି ଦିଆଯାଇଛି। ଆଇଏଏସ ଉଷା ପାଢ଼ୀଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।