ଲକ୍ଷ୍ମୀପୁର. ୧୫/୧୨/୨୦୨୨ ( ଓଡ଼ିଶା ସମାଚାର)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ପିପଳପଦର ପଞ୍ଚାୟତର ବାଘ ମାରି ଗାଁ ପରିବା ଚାଷ ପାଇଁ ପ୍ରସିଦ୍ଧି ଲାଭ କରିଛି।ଏଇ ଗାଁରେ ବସ ବାସ କରୁଥିବା ଆଦିବାସୀ ସମ୍ପ୍ରଦାୟ ପ୍ରାୟତଃ ସମସ୍ତେ ଚାଷ ଉପରେ ନିର୍ଭର କରନ୍ତି।ବର୍ଷ ସାରା ଏଠି ଚାଷି ମାନେ ପରିବା ଚାଷ କରି ହାଟ ବଜାରରେ ବିକ୍ରି କରି ପରିବାର ଚଳାନ୍ତି।ସମସ୍ତ ପ୍ରକାରର ପନିପରିବାର ବାଘମାରି ଗାଁରେ ଚାଷ ହୋଇଥାଏ।ବାଇଗଣ,ଟମାଟର,ବିନିସ୍,କଲରା,ଲାଉ,ସିମ୍ବ,ଭେଣ୍ଡି,ଫୁଲକୋବି,ପତ୍ର କୋବି ଭଳି ଅନେକ ପରିବା ଚାଷ ହେଉଥିଲେ ମଧ୍ୟ ଶିତ ଦିନେ ଏଠି ସବୁଠୁ ଅଧିକା ଫୁଲ କୋବି ଚାଷ ହୁଏ। ଆରମ୍ଭରୁ ଏଇ କୋବି ଦର ଅଧିକ ଥାଏ ,ଅମଳ କମି ଆସିଲା ବେଳକୁ ଦର କମି ଯାଇଥାଏ।ଏପରିକି ଲକ୍ଷ୍ମୀପୁର ବ୍ଲକ ସଦରରେ ପ୍ରତ୍ୟେକ ଶନିବାରରେ ବସୁ ଥିବା ସାପ୍ତାହିକ ହାଟରେ ମଧ୍ୟ ବାଘମାରି ଗାଁରୁ ଆସିଥିବା ପରିବା ଉପରେ ସବୁରି ନଜର ରହିଥାଏ।ଝୁଡି ଝୁଡି ପରିବା ହାଟରେ ପହଁଚିବା କ୍ଷଣି ପରିବା ଦୋକାନ ଆଗରେ ଭିଡ ଜମିଯାଏ।ଅନ୍ୟ ଦିନ ମାନଙ୍କରେ ଚାଷି ମାନେ ଖୋଦ ସକାଳୁ ସକାଳୁ ଝୁଡିରେ ଭାର କରି ବାଘମାରି ଗାଁରୁ ଲକ୍ଷ୍ମୀପୁର ବଜାରକୁ ପ୍ରାୟ ୧୨ କିଲୋମିଟର ଦୂର ଚାଲି ଚାଲି ଆସନ୍ତି।ନଚେତ କେବେ କେବେ ଅଟୋ ମିଳିଲେ ଆସିବାକୁ ସୁବିଧା ହୁଏ।ଲକ୍ଷ୍ମୀପୁର ବଜାରକୁ ସମସ୍ତ ପରିବା ଆଣି ରାସ୍ତା କଡରେ ରଖି ବିକ୍ରି ବଟା କରନ୍ତି।
ହେଲେ ଗ୍ରାମ ପାଖ ଦେଇ ବହି ଯାଇଥିବା ପାହାଡି ନଦୀ ସବୁଠୁ ବଡ ବିପଦ ସାଜିଛି ବୋଲି ଗାଁର ବାୟାମଣି ମାଣ୍ଡିଙ୍ଗା,କୁମି ମାଣ୍ଡିଙ୍ଗା,ବିମଳା ମାଣ୍ଡିଙ୍ଗା,ସୁବାଷ ମାଣ୍ଡିଙ୍ଗା,କଟୁ ମାଣ୍ଡିଙ୍ଗା,ସାରୁ ମାଣ୍ଡିଙ୍ଗା,ମଣି ହିକକା,ବେସୁ ମାଡିଙ୍ଗା,ସଦନ ମାଣ୍ଡିଙ୍ଗା,ଅଞ୍ଚଳ ମାଣ୍ଡିଙ୍ଗା ପ୍ରମୁଖ କହିଛନ୍ତି।ନଦୀ ପାଇଁ ନିଜେ ବାହାରକୁ ପରିବା ଧରି ବିକ୍ରି କରିବାକୁ ଯିବାରେ ଅସୁବିଧା ହେଉଥିଲା ବେଳେ ବାହାର ବ୍ୟବସାୟୀ କେହିବି ଗାଁକୁ ଆସୁ ନାହାନ୍ତି।ତେଣୁ ଅଧିକ ଚାଷକରିବାକୁ ବି ଆମର ମନ ବଳୁନି ବୋଲି ଗ୍ରାମବାସୀ କହିଛନ୍ତି।ଯଦି ପୋଲ ଖଣ୍ଡେ ହୁଅନ୍ତା ତେବେ ଅଧିକରୁ ଅଧିକ ପରିବା ଚାଷ କରି ଲୋଡ୍ ଲୋଡ୍ ପରିବା ବାହାର ଜିଲ୍ଲାକୁ ପଠାଇ ଆମେବି ଲାଭ ବାନ ହେଇ ପାରନ୍ତୁ ବୋଲି ଗ୍ରାମବାସୀ କହିଛନ୍ତି।ତେଣୁ ଏଇଭଳି ଆତ୍ମ ନିର୍ଭରଶିଳ ଚାଷିଙ୍କ ସମସ୍ୟା ଉପରେ ସରକାରଙ୍କ ଦୃଷ୍ଟି ପଡିବା ନିହାତି ଦରକାର ।