ମାହାଙ୍ଗା ୧୪/୧୨/୨୦୨୨ (ଓଡିଶା ସମାଚାର/ ଅଭୟ ଜେନା ) -ଆଧ୍ୟାତ୍ମିକ ଚିନ୍ତନ ଓ ସତସଙ୍ଗ ଦ୍ୱାରା ମାନବ ସମାଜ ସଂସାରରେ ସୁଖୀ ହୋଇଥାଏ । ଦୟା କରୁଣା ଆତ୍ମ ସଂଯମ ଓ ମାନବୀୟ ମୂଲ୍ୟବୋଧ ଜୀବନର ଶ୍ରେଷ୍ଠ ସଂପଦ ବୋଲି ସତସଙ୍ଗରେ ଯୋଗଦେଇଥିବା ସନ୍ଥ ମାନେ ଆହ୍ୱାନ ଦେଇଥିଲେ ।
ମାହାଙ୍ଗା ବ୍ଲକ କୋଠପଦା ଗ୍ରାମରେ ଠାକୁର ଶ୍ରୀ ଶ୍ରୀ ଅଭିରାମ ଦେବ ଭକ୍ତ ଗୋଷ୍ଠୀଙ୍କ ଦ୍ୱାରା ଆୟୋଜିତ ସତସଙ୍ଗ କାର୍ଯ୍ୟକ୍ରମରେ ବହୁ ଶ୍ରଦ୍ଧାଳୁ ଯୋଗଦେଇଥିଲେ । ବାବାଜୀ ବୁଦ୍ଧଦେବ ଦାସ ମହାରାଜ, ବାବାଜୀ ତ୍ରିଲୋଚନ ଦାସ ମହାରାଜ, ବାବାଜୀ ଅଯୋଧ୍ୟା ଦାସ ମହାରାଜ, ବାବାଜୀ ଆତ୍ମାରାମ ଦାସ ମହାରାଜ ପ୍ରମୁଖ ଏହି ସତସଙ୍ଗ କାର୍ଯ୍ୟକ୍ରମରେ ଯୋଗଦେଇ ମାନବ ସମାଜପାଇଁ ଠାକୁର ଶ୍ରୀ ଶ୍ରୀ ଅଭିରାମ ଦେବଙ୍କ ଉପରେ ବହୁ ଅନାଲୋଚିତ ଗାଥା ଉପସ୍ଥାପନା କରିଥିଲେ । କାମ କ୍ରୋଧ ଲୋଭ ମୋହ,ହିଂସା ଦ୍ୱେଷ ଏବଂ ପରଶ୍ରୀ କାତରତାକୁ ପରିତ୍ୟାଗ ପାଇଁ ଶ୍ରଦ୍ଧାଳୁ ମାନଙ୍କୁ ବୁଝାଇଥିଲେ । ଧର୍ମକୁ ଜୀବନର ଶ୍ରେଷ୍ଠ ସମ୍ପତ୍ତି ବିଚାର କରିବା ସହ,ଅହିଂସା ଓ ସତମାର୍ଗରେ ପରିଚାଳିତ ହୋଇ ଗୃହସ୍ଥ ଜୀବନରେ ପରମ ଶାନ୍ତି ମିଳେବୋଲି ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ବାଣୀକୁ ଉଦ୍ଧାରକରି ସାଧୁସନ୍ଥ ମାନେ ଏହା କହିଥିଲେ ।
କାର୍ଯ୍ୟକ୍ରମରେ କୁଣ୍ଡି ସେବା ସମବାୟ ସମିତି ସଭାପତି ଅଖିଳେଶ ମହାନ୍ତି, ସରପଞ୍ଚ ପ୍ରତିନିଧି ହେମନ୍ତ ପ୍ରଧାନ, ଶିକ୍ଷକ ମାଗୁଣି ଚରଣ ସାମଲ, ଭାରତ ଭୂଷଣ ଦାସ, ଗଣେଶ ବେହାରୀ, ରବୀନ୍ଦ୍ର ପୃଷ୍ଟି, ପ୍ରମୁଖ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହି ସାଧୁସନ୍ଥଙ୍କ ସାନିଧ୍ୟ ଲାଭ କରିଥିଲେ । ଏହି ସତସଙ୍ଗ କାର୍ଯ୍ୟକ୍ରମକୁ ଭକ୍ତ ନୃସିଂହ ଚରଣ ସାହୁ, ଭକ୍ତ କିଶୋର ଚନ୍ଦ୍ର ଦାଶ,ଭକ୍ତ ଅନନ୍ତ କିଶୋର ସାହୁ,ଅଜୟ ସାହୁ,ପ୍ରମୁଖ ପରିଚାଳନା କରିଥିଲେ । ଶ୍ରୀ ଶ୍ରୀ ଅଭିରାମ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ଠାକୁରଙ୍କ ରଚିତ ଭଜନ ଜଣାଣ ପରିବେଷଣ କରାଯାଇଥିଲା ।