କେନ୍ଦୁଝର, ୧୩/୧୨/୨୦୨୨ ( ଓଡ଼ିଶା ସମାଚାର)- ଥଣ୍ଡା କାରଣରୁ ଗତ ସଂଧ୍ୟାରେ ନିଆଁ ଜାଳି ସେକି ହେଉଥିବା ସମୟରେ ଶାଢ଼ୀ କାନିରେ ନିଆଁ ଲାଗି ଜଣେ ୮୦ ବର୍ଷିୟା ବୃଦ୍ଧା ଜଳି ଯାଇଛନ୍ତି। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ବୃଦ୍ଧା କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ କଣ୍ଟିଆପଡା ପଞ୍ଚାୟତ ମାନପୁର ଗ୍ରାମର ସୋମବାରୀ ମହାନ୍ତ (୮୦) ବୋଲି ଜଣାପଡିଛି। ଏନେଇ ତୁରୁମୁଙ୍ଗା ପୁଲିସ କେନ୍ଦୁଝରରେ ମୃତଦେହ ବ୍ୟବଚ୍ଛେଦ କରାଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।