ଭୁବନେଶ୍ୱର, ୧୧/୧୨/୨୦୨୨ ( ଓଡ଼ÿିଶା ସମାଚାର)- ଓଡ଼ିଶାର ଲୋକନାଟକ ପରମ୍ପରାକୁ ଜନମାନସରେ ପହଂଚାଇ ଗୀତିନାଟ୍ୟ ମାଧ୍ୟମରେ ଓଡ଼ିଶାର ଲୋକକଳାକୁ ସମଗ୍ର ରାଜ୍ୟରେ ପରିବେଷଣ କରି ରାଜ୍ୟର ସାଂସ୍କୃତିକ ବିଭବ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଆଦି ଗୀତିନାଟ୍ୟକାର ଗୀତିକବି ଜଗନ୍ନାଥ ପାଣିଙ୍କ ଭୂମିକା ଅବିସ୍ମରଣୀୟ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଉତ୍କଳ ସଂଗୀତ ମହାବିଦ୍ୟାଳୟ ପରିସରସ୍ଥ ତାଙ୍କ ପ୍ରତିମୂର୍ତି ସ୍ଥଳୀରେ କବିଙ୍କ ୧୨୫ତମ ଶ୍ରାଦ୍ଧୋତ୍ସବ ଅବସରରେ ଉପସ୍ଥିତ ଶ୍ରଦ୍ଧାଳୁମାନେ ମତବ୍ୟକ୍ତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଭଦ୍ରକ ଜିଲ୍ଲାର ନଳାଙ୍ଗ ଗ୍ରାମରେ ଜନ୍ମିତ ଜଗନ୍ନାଥ ପାଣି ବହୁ କଷ୍ଟ ସ୍ୱୀକାର କରି ନିଜେ ଅସଂଖ୍ୟ ଗୀତିକବିତା ରଚନା କରିବା ସହିତ ଗୀତିନାଟ୍ୟ ରଚନା କରି ତାହାକୁ ଗ୍ରାମେ ଗ୍ରାମେ ପରିବେଷଣ କରି ରାଜ୍ୟର ଲୋକନାଟକ ପରମ୍ପରାକୁ ଜନମାନସରେ ପହଂଚାଇ ପାରିଥିଲେ । ପରବର୍ତୀ ଅବସ୍ଥାରେ ବୈଷ୍ଣବ ପାଣି ଓ ବାଳକୃଷ୍ଣ ମହାନ୍ତି ଗୀତିନାଟ୍ୟ ରଚନା କରି ତାହାକୁ ପରିବେଷଣ କରିବା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ପରବର୍ତୀ ଅବସ୍ଥାରେ ଗୋପାଳ ଛୋଟରାୟ, ଗୀତିନାଟ୍ୟ ଗୁଡ଼ିକୁ ସମ୍ପାଦନା କରି ବେତାର ପରିବେଷଣ ଉପଯୋଗୀ କରି ଆକାଶବାଣୀରେ ପରିବେଷଣ କରିବାକୁ ବ୍ୟବସ୍ଥା କରିଥିଲେ । ଆଜି ଆଧୁନିକତାର ପ୍ରବାହରେ ଗୀତିନାଟ୍ୟ ପରମ୍ପରା ଲିଭିଯାଉଥିଲା ବେଳେ ପୁନଶ୍ଚ ତାହାକୁ ପରିବେଷଣ କରି ଜନମାନସକୁ ଗୀତିନାଟ୍ୟ ମନସ୍କ କରିବା ପାଇଁ କଳାକାର ଗ୍ରାମାଂଚଳ ଓ ସହରାଂଚଳର ନାଟ୍ୟପ୍ରେମୀମାନେ ଉଦ୍ୟମ କରିବା ଆବଶ୍ୟକ ଓ ଏଥିପାଇଁ ସରକାର ସେମାନଙ୍କୁ ପ୍ରୋତ୍ସାହିତ କରିବା ଦରକାର ବୋଲି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ବିଧାୟକ ପ୍ରଫୁଲ୍ଲ ସାମଲ, ସଂଜୀବ କୁମାର ମଲ୍ଲିକ, ପ୍ରବୀର କୁମାର ମହାନ୍ତି, ଗିରିଜା ଶଙ୍କର ମହାପାତ୍ର, ରମେଶ ଚନ୍ଦ୍ର ପାତାଳସିଂହ, ଉଇଫର ଭୁବନେଶ୍ୱରର ସଭ୍ୟବୃନ୍ଦ ମତବ୍ୟକ୍ତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ସାମ୍ବାଦିକ ତରୁଣକାନ୍ତି ପଟ୍ଟନାୟକ, ବାବା ପଂଚଦେବ, ସରୋଜ କୁମାର ପ୍ରଧାନ, ମୁକେଶ ପରିଡ଼ା, ଉତମ ସାମନ୍ତରାୟ, ଅନୁପମା ବେହେରା, ଦେବଯାନୀ ଦାସ, ପ୍ରବୀର ମହାନ୍ତି, ସଂଜୟ କୁମାର ପରିଡ଼ାଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ଗୀତିକବି ଜଗନ୍ନାଥ ପାଣି ସମ୍ମାନରେ ଉଇ ଫର ଭୁବନେଶ୍ୱର ଓ ଭଦ୍ରକ ବିଧାୟକଙ୍କ ତରଫରୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରା ସଂଯୋଜନା କରିଥିଲେ ।