ମାହାଙ୍ଗା, ୧୧/୧୨/୨୦୨୨ (ଓଡିଶା ସମାଚାର /ଅଭୟ ଜେନା ) – ଦେଶର ଉନ୍ନତି କରିବାକୁ ହେଲେ ସରକାର ସବୁବେଳେ ଶିକ୍ଷାର ବିକାଶ ଉପରେ ଗୁରୁତ୍ୱ ଦେବା ଉଚିତ ବୋଲି ବୁଦ୍ଧିଜୀବୀ ମାନେ ଆହ୍ୱାନ ଦେଇଛନ୍ତି । ୫ ଟି ଜରୀଆରେ ରାଜ୍ୟ ସରକାର ଶିକ୍ଷାର ଭିତ୍ତିଭୁମିକୁ ସୁଦୃଢ କରିବା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଆଜି ରଘୁନାଥ ସରକାରୀ ନୋଡାଲ ହାଇସ୍କୁଲ ପରିସରରେ ଅନୁଷ୍ଠିତ ଆଲୋଚନା ଚକ୍ର ଓ ମିଳିତ ବୈଠକରେ ବକ୍ତାମାନେ କହିଥିଲେ । ପ୍ରଧାନଶିକ୍ଷକ କିଶୋର ଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିକ୍ଷକ, ଅଭିଭାବକ ଓ ଜନପ୍ରତିନିଧି ମାନଙ୍କ ଏହି ବୈଠକରେ ସ୍ଥାନୀୟ ସମିତିସଭ୍ୟାଙ୍କ ପ୍ରତିନିଧି ବରିଷ୍ଠ ସାମ୍ବାଦିକ ଅଖିଳେଶ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଲେ, କେବଳ ଭିତ୍ତିଭୂମି ର ବିକାଶ ଉପରେ ଯୋର ଦେଲେ ହେବନି, ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ଦିଆଯିବା ଜରୁରୀ । ଏହି କାର୍ୟ୍ୟକ୍ରମରେ ପୂର୍ବତନ ସରପଞ୍ଚ ହେମନ୍ତ କୁମାର ପ୍ରଧାନ, ଶିକ୍ଷା କମିଟି ସଭାପତି ଜୟଦେବ ମହାନ୍ତି, ଶିକ୍ଷାବିତ ପ୍ରଭାକର ବିଶ୍ୱାଳ, ଅପର୍ତ୍ତି ବେହେରା, ଶୁକଦେବ ସ୍ୱାଇଁ, ଶିକ୍ଷକ ମାଗୁଣି ଚରଣ ସାମଲ, ଯତୀନ୍ଦ୍ର ଦାଶ, ବ୍ରଜବନ୍ଧୁ ପଲେଇ, ନିହାରିକା ପ୍ରିୟଦର୍ଶିନୀ, ପ୍ରୀତି ପଲ୍ଲବୀ ସ୍ୱାଇଁ, ରଞ୍ଜୁଲତା ରାଉତ, ଯୋଗଜନ୍ମା ବେହେରା ଏବଂ ରଶ୍ମିତା ବାରିକ ପ୍ରମୁଖ ଆଲୋଚନାରେ ଭାଗନେଇଥିଲେ । ବିଦ୍ୟାର୍ଥୀ ମାନଙ୍କୁ ଉତ୍ତମ ଶିକ୍ଷାଦାନ,ଶୃଙ୍ଖଳା, ଓ ଚରିତ୍ର ଗଠନ ଉପରେ ପ୍ରଧାନଶିକ୍ଷକ ଶ୍ରୀ ଦାଶ ଗୁରୁତ୍ୱ ଦେଇଥିଲେ । ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ରଘୁନାଥ ବିଦ୍ୟାପୀଠକୁ ୫ ଟି ରେ ଅନ୍ତର୍ଭୁକ୍ତ କରି ଥିବାରୁ,ଆଜି ଏହି ବିଦ୍ୟାଳୟ ଏକ ବିକଶିତ ଶିକ୍ଷାନୁଷ୍ଠାନ ଭାବେ ପରିଗଣିତ ହୋଇପାରିଛି ବୋଲି ବକ୍ତାମାନେ କହିଥିଲେ । ଏଥିପାଇଁ ଅଭିଭାବକ ମାନେ ବିଧାୟକ ଶ୍ରୀ ଜେନାଙ୍କୁ କୃତଜ୍ଞତା ଜଣାଇବା ସହ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରଶଂସା କରିଥିଲେ ।