ବାଣପୁର ୮/୧୨/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନ ଚିଲିକା ବ୍ଲକର ନଈରୀ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଟଙ୍କା ମାଗିବାରେ ବଚସାରୁ ଏକ ହତ୍ୟାକାଣ୍ଡ ଘଟିଛି । ଅଭିଯୋଗ ଅନୁସାରେ ନଈରୀ ଗ୍ରାମର ସାରଥୀ ନାୟକ ଏବଂ ତାଙ୍କ ପୁତ୍ର ସନତ ନାୟକ ସେହି ଗ୍ରାମର ଏକ କୁକୁଡ଼ା ଫାର୍ମରେ କାମ କରନ୍ତି। ତେବେ ପ୍ରତିଦିନ ପରି ଆଜି ମଧ୍ୟ କୁକୁଡ଼ା ଫାର୍ମକୁ ଉଭୟ ବାପା ପୁଅ କାମ କରିବା ପାଇଁ ଯାଇଥିବା ବେଳେ ହଠାତ ଉକ୍ତ ଗ୍ରାମର କେଦାର ନାୟକ, ସ୍ତ୍ରୀ ସୁଷମା ନାୟକ ଏବଂ ତାଙ୍କ ପୁଅ ସୁକାନ୍ତ ନାୟକ ଏକଜୁଟ ହୋଇ ସେଠାରେ ପହଞ୍ଚି ଥିଲେ। ଉଭୟ ବାପା ପୁଅଙ୍କୁ ଗାଳିଗୁଲଜ କରିବା ସହ ୨ ଲକ୍ଷ ଟଙ୍କା ମାଗିଥିଲେ। ସେମାନେ ଏହାର ପ୍ରତିବାଦ କରି ବାରଣ କରିଥିଲେ। ଏଥିରେ ୩ ଜଣ ଯାକ ଉତକ୍ଷିପ୍ତ ହୋଇ ଉଭୟ ବାପ ପୁଅଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଏଥିରେ ପୁଅ ସନତ ଗୁରୁତର ଆହତ ହୋଇଥିବା ବେଳେ ସାରଥୀଙ୍କ ଛାତିରେ ଛୁରା ମାଡ଼ ହେବାରୁ ସେ ଘଟଣାସ୍ଥଳରେ ତଳେ ପଡିଯାଇଥିଲେ। ପରିବାର ଲୋକେ ତାଙ୍କୁ ସଙ୍ଗେସଙ୍ଗେ ବାଲୁଗାଁ ମେଡିକାଲ କୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ମୃତ ସାରଥୀଙ୍କ ପୁଅ ସନତ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିବାପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । ତଦନ୍ତ ଜାରି ରହିଥିବା ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ା କହିଛନି। ଏହି ଘଟଣା ପରେ ନଇରୀ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।