୪୨,୬୩୮ ଭୋଟ୍ ରେ ଜିତିଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା
ବର୍ଷା ଙ୍କ ସହିତ ମୁଖ୍ୟମନ୍ତ୍ରୀ କଥା ହେଲେ
ପଦ୍ମପୁର /ଭୁବନେଶ୍ବର, ୮/୧୨/୨୦୨୨(ଓଡ଼ିଶା ସମାଚାର)- ପଦ୍ମପୁରରେ ଫୁଟି ପାରିଲାନି ପଦ୍ମ । ୪୨,୬୩୮ ଭୋଟ୍ ରେ ଜିତିଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ନିର୍ବାଚନ ପ୍ରଚାର ସମୟରେ କୁହାଯାଉଥିଲା ଯେ, ପଦ୍ମପୁରରେ ବିଜେପି ଓ ବିଜେଡି ମଧ୍ୟରେ ଜୋରଦାର ଟକ୍କର ହେବ। କିନ୍ତୁ ଏବେ ଏହା ଭୁଲ ପ୍ରମାଣିତ ହୋଇଛି। ଲଗାତାର ଦ୍ବିତୀୟ ଥର ପାଇଁ ବିଜେଡି ଉପରେ ଜନତା ଭରସା କରିଛନ୍ତି। ପଦ୍ମପୁରରେ ବିଜେଡି ୪୨,୬୩୮ ଭୋଟ୍ ବ୍ୟବଧାନରେ ନିର୍ବାଚନ ଜିତିଛି।
ସ୍ବର୍ଗତ ବିଜୟ ରଂଜନ ସିଂ ବରିହାଙ୍କ ସୁକନ୍ୟା ତଥା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ୧,୨୦,୬୭୨ ଖଣ୍ଡ ଭୋଟ୍ ମିଳିଛି। ତାଙ୍କର ନିକଟତମ ପ୍ରାର୍ଥୀ ବିଜେପିର ପ୍ରଦୀପ ପୁରୋହିତଙ୍କୁ ୭୮,୦୩୪ ଖଣ୍ଡ ଭୋଟ୍ ମିଳିଛି। ଫଳରେ ବର୍ଷା ସିଂ ବରିହା ୪୨,୬୩୮ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିବା ଜଣାପଡ଼ିଛି। ସେହିପରି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ୩୫୮୧ ଖଣ୍ଡ ଭୋଟ୍ ମିଳିଛି। ତେବେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ବାଚନ ଫଳାଫଳ ଘୋଷଣାକୁ ଅପେକ୍ଷା କରାଯାଇଛି।
ଧାମନଗର ଉପନିର୍ବାଚନରେ ପରାସ୍ତ ହୋଇଥିଲେ ବି ପଦ୍ମପୁରରେ ନିର୍ବାଚନ ଜିତିଥିବାରୁ ବିଜେଡିର ମନୋବଳ ପୁଣି ଥରେ ବଢ଼ିଯାଇଛି। ଦଳର ବିଜୟ ହୋଇଥିବାରୁ ବିଜେଡି ନେତାମାନେ ଉତ୍ସାହ ପାଳନ କରୁଛନ୍ତି। ପଦ୍ମପୁରରୁ ଭୁବନେଶ୍ବର ଯାଏଁ ବିଜେଡି କର୍ମୀଙ୍କ ମନରେ ଉତ୍ସାହ ଦେଖାଯାଇଛି। ଦଳୀୟ କର୍ମୀମାନେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ବକୁ ପ୍ରଶଂସା କରୁଛନ୍ତି। ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରୁଛନ୍ତି।
ବିଜୟୀ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପଦ୍ମପୁର ଉପନିର୍ବାଚନର ଫଳାଫଳକୁ ସ୍ୱୀକାର କରୁଛୁ । ଆମ ଦଳକୁ ଭୋଟ୍ ଦେଇଥିବା ପ୍ରତ୍ୟେକ ମତଦାତାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ଗଣତନ୍ତ୍ରରେ ଜନତାଙ୍କ ରାୟକୁ ସମ୍ମାନ ଜଣାଇ ଆଗାମୀ ଦିନରେ ଦଳକୁ ଆହୁରି ସୁଦୃଢ଼ କରିବା ସହ ଜନକଲ୍ୟାଣ ଓ ଲୋକସମ୍ପର୍କ ମାଧ୍ୟମରେ ଲୋକଙ୍କ ଆସ୍ଥାଭାଜନ ହେବା ପାଇଁ ଚେଷ୍ଟା କରିବୁ ବୋଲି କହିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଦ୍ମପୁର ଉପନିର୍ବାଚନରେ ବିଜୟୀ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ସହିତ ଟେଲିଫୋନ୍ରେ କଥା ହୋଇଛନ୍ତି। ପଦ୍ମପୁରବାସୀଙ୍କ ପାଇଁ କାମ କରିବାକୁ ସେ ବର୍ଷା ସିଂ ବରିହାଙ୍କୁ ପରାମର୍ଶ ଦେଇଛନ୍ତି। ପଦ୍ମପୁରବାସୀଙ୍କ ଆଶା ଆକାଂକ୍ଷା ପୂରଣ ପାଇଁ ଉପନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାକୁ ସଭାପତି ନବୀନ ପଟ୍ଟନାୟକ ଦଳୀୟ ନେତୃବୃନ୍ଦଙ୍କୁ ଗତକାଲି (ବୁଧବାର) ପରାମର୍ଶ ଦେଇଥିଲେ। ଏଥିସହ ପଦ୍ମପୁରର ବିକାଶ ପାଇଁ ଲୋକଙ୍କ ଆହୁରି ନିକଟତର ହୋଇ କାମ କରିବାକୁ ସଭାପତି ଆହ୍ବାନ କରିଥିଲେ। ପଦ୍ମପୁରବାସୀଙ୍କୁ ଯାହା ପ୍ରତିଶ୍ରୁତି ଦେଇଛ, ତାହା ପାଳନ କରିବ ବୋଲି କହିଥିଲେ। ପଦ୍ମପୁର ଦାୟିତ୍ବରେ ଥିବା ନେତାମାନଙ୍କ ସହିତ ମଧ୍ୟ ମୁଖ୍ୟମନ୍ତ୍ରୀ କଥା ହୋଇଥିଲେ।