୧୫ ତାରିଖ ରେ ନବୀନ ନିବାସ ଆଗରେ ଆତ୍ମାହୂତି ଦେବେ ସଂଘର ବରିଷ୍ଠ ସଦସ୍ୟ ବିଷ୍ଣୁଧର ସାମଲ
ଭୁବନେଶ୍ୱର,୮/୧୨/୨୦୨୨(ଓଡ଼ିଶା ସମାଚାର)-ଆଜି ବିଧାନସଭା ସମ୍ମୁଖରେ ଧାରଣାସ୍ଥଳରେ ଓଡ଼ିଶା ଲେଫ୍ଟ ଆଉଟ୍ ଗଣଶିକ୍ଷକ ମହାସଂଘର ଦୁଇଟି କାର୍ଯ୍ୟକ୍ରମ ଏକା ସମୟରେ ଅନୁଷ୍ଠିତ ହୋଇଥିବାର ଦେଖାଯାଇଥିଲା । ଗୋଟିଏ କାର୍ଯ୍ୟକ୍ରମ ହେଲା ସେମାନଙ୍କର ସମସ୍ୟା ଓ ଦାବି ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ ଚାଲିଥିଲା । ଅନ୍ୟ ଗୋଟେ କାର୍ଯ୍ୟକ୍ରମ ହେଉଛି ଏହି ସଂଘର ଶିକ୍ଷୟିତ୍ରୀମାନେ ରାଜରାସ୍ତାରେ ମାଣବସା ଗୁରୁବାର ଓ ଲକ୍ଷ୍ମୀପୂଜାରେ ମନନିବେଶ କରିଥିଲେ । ଆମ୍ଭେ ୫ଦିନ ହେଲା ରାଜରାସ୍ତାରେ ବସିଛୁ, ଶୀତ କାକରରେ ପଡ଼ିଛୁ, ସରକାର ଆମ ଦାବିକୁ କର୍ଣ୍ଣପାତ କରୁନାହାଁନ୍ତି, ସରକାର ଆମ ଚାରି ହଜାର ଶିକ୍ଷକଙ୍କୁ ଛାଡ଼ି ଅନ୍ୟମାନଙ୍କୁ ନିୟମିତ କଲେ, ସେହି ନିୟମ ଅନୁସାରେ ଆମକୁ କାହିଁକି ନିୟମିତ କରୁନାହାଁନ୍ତି ଏବଂ କେବେ କରିବେ, ଏହି ଦାବି ନେଇ ଆମେ ଆଜି ଘରଦ୍ୱାର ଛାଡ଼ି ରାଜରାସ୍ତାରେ ଶୀତ କାକରରେ ପଡିରହିଛୁ ବୋଲି କହିଛନ୍ତି ଲେଫ୍ଟ ଆଉଟ୍ ଗଣଶିକ୍ଷକ ସଂଘର ସଭାପତି ସୁଧାଂଶୁ ଶେଖର ବଡ଼ୁ । ସରକାର ଯଦି ୧୪ ତାରିଖ ସୁଦ୍ଧା ଆମ ଦାବି ନ ଶୁଣନ୍ତି ଏବଂ ମୁଖ୍ୟ ଶାସନ ସଚିବ ଆମ ସହିତ ଆଲୋଚନା ନ କରନ୍ତି, ତେବେ ଆସନ୍ତା ୧୫ ତାରିଖ ଦିନ ଆମସଂଘର ମହାସମାବେଶ ରାଜଧାନୀରେ ଅନୁଷ୍ଠିତ ହେବ ଏବଂ ଏହି ମହାସମାବେଶରେ ଯାହାକିଛି ଘଟଣା ଘଟିବ ସେଥିପାଇଁ ସରକାର ସମ୍ପୂ୍ର୍ଣ ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି ସଭାପତି ଶ୍ରୀ ବଡ଼ୁ । ଆମକୁ ୧୩.୧.୨୦୧୭ରୁ ନିୟମିତ ଘୋଷଣା କରାଯାଉ ଏବଂ ଆମ ସମସ୍ତଙ୍କୁ ସ୍ଥାୟୀ ନିଯୁକ୍ତି ସହ ସବୁ ସରକାରୀ କର୍ମଚାରୀ ଭଳି ମାନ୍ୟତା ମିଳୁ ଏବଂ ସମାନ କାମକୁ ସମାନ ଦରମା ମିଳିବା ଦାବିନେଇ ଆମେ ଯେଉଁ ଆନ୍ଦୋଳନ କରିଆସିଅଛୁ ଆଉ ଚୁପ୍ ହୋଇ ବସିବୁ ନାହିଁ ।
ଆମେ ଆମ ପରିବାର ସମସ୍ତେ ଆସି ୧୫ ତାରିଖ ଦିନ ଏକ ବିରାଟ ଜନ ଆନ୍ଦୋଳନ କରି ସରକାରଙ୍କୁ ଉଚିତ୍ ଜବାବ ଦେବୁ ବୋଲି ପ୍ରକାଶ କରିଛନ୍ତି ସଂଘର ସାଧାରଣ ସମ୍ପାଦକ ପବିତ୍ର କୁମାର କାର୍ଜି । ଦିନକୁ ୨୦୦ ଟଙ୍କାରେ ଚଳିହେଉନି, ଆମ ପାଖରେ ପଇସା ପତ୍ର ନାହିଁ, ଆମେ ମାଗିଯାଚି ଚଳୁଛୁ, ଆମେ ସବୁ ଶିକ୍ଷିତ ହୋଇ ଶିକ୍ଷକ ଚାକିରୀ କରି ମାତ୍ର ୭ ହଜାର ଟଙ୍କାରେ ପରିବାର ପ୍ରତିପୋଷଣ କରିବା ବଡ଼ କଷ୍ଟକର ହେଉଥିବାରୁ ଆଉ ସହି ହେଉନାହିଁ ଏବଂ ସରକାର ଯଦି ଏତେଦିନ ହେଲା ଆମ ଦାବି ଶୁଣୁନାହାଁନ୍ତି, ତେବେ ମୁଁ ଆସନ୍ତା ୧୫ ତାରିଖ ଦିନ ନବୀନ ନିବାସ ଆଗରେ ଆତ୍ମାହୂତି ଦେବି ବୋଲି ଘୋଷଣା କରିଛନ୍ତି ସଂଘର ବରିଷ୍ଠ ସଦସ୍ୟ ବିଷ୍ଣୁଧର ସାମଲ । ସେହି ସମୟରେ ସଂଘର ଶିକ୍ଷୟିତ୍ରୀମାନେ ରାସ୍ତା ଉପରେ ମାଣବସା ଶେଷ ଗୁରୁବାର ଲକ୍ଷ୍ମୀଙ୍କ ପୂଜାରେ ବ୍ୟସ୍ତ ରହି ପରିବେଷକୁ ରୋମାଂଚକର କରିଥିଲେ ।