ଭୁବନେଶ୍ୱର,୮/୧୨/୨୦୨୨(ଓଡ଼ିଶା ସମାଚାର)- ଆଜି କଂସାରୀଗୁଡାଠାରେ ଆଦିତ୍ୟ ଆଲୁମିନା କାରଖାନା ନେଇଥିବା ଜମିଗୁଡ଼ିକର ମାଲିକମାନେ ରାଜଧାନୀରେ କାରଖାନା ପ୍ରତିଷ୍ଠା ପାଇଁ ବଡ଼ଧରଣର କସରତ ଆରମ୍ଭ କରିଦେଇଛନ୍ତି । ଦୀର୍ଘ ୧୭ ବର୍ଷ ହେଲା କୋରାପୁଟ ଜିଲ୍ଲାର କଂସାରୀଗୁଡାଠାରେ ଆଦିତ୍ୟ ଆଲୁମିନା ଶିଳ୍ପ ହେବାପାଇଁ କାରଖାନା ତରଫରୁ ଟିକିରିରୁ କଂସାରଗୁଡା ପର୍ଯ୍ୟନ୍ତ ସବୁ ଚାଷଜମିକୁ ସରଳ, ନିରୀହ ଗ୍ରାମବାସୀଙ୍କ ଠାରୁ ବହୁ କମ୍ ମୂଲ୍ୟରେ ଜମି ନେଇଥିଲା । ଗ୍ରାମବାସୀମାନେ ନିଜ ପିଲା ଛୁଆଙ୍କ ଭବିଷ୍ୟତ କଥା ଚିନ୍ତା କରି, ଭବିଷ୍ୟତରେ କମ୍ପାନୀରେ ନିଯୁକ୍ତି ଆଶା ରଖି କମ୍ପାନୀ ପାଇଁ ଜମି ଦେଇଦେଲେ । ହେଲେ ବହୁ ବର୍ଷ ଅତିକ୍ରମ କଲାପରେ ମଧ୍ୟ ସେଠାରେ ଆଦିତ୍ୟ ଆଲୁମିନା ଶିଳ୍ପ ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ । ଯେଉଁ ଉଦ୍ଧେଶ୍ୟ ରଖି ଗ୍ରାମବାସୀମାନେ ଜମି ଦେଇଥିଲେ, ତାହା ପୂରଣ ନ ହେବାରୁ ଗ୍ରାମବାସୀମାନେ ସେମାନଙ୍କ ଜମିରେ ତୁରନ୍ତ କାରଖାନା ହେଉ ନଚେତ୍ ସେହି ଜମିକୁ ସେମାନଙ୍କ ଫେରସ୍ତ ଦିଆଯାଉ ବୋଲି ଅଡି ବସିଛନ୍ତି । ଗ୍ରାମବାସୀମାନେ ବାରମ୍ବାର ସେମାନଙ୍କ ସମସ୍ୟା ଓ କମ୍ପାନୀ ପ୍ରତିଷ୍ଠା ପାଇଁ ସରକାରଙ୍କୁ ଜଣାଇ ଆସୁଥିଲେ ମଧ୍ୟ ଏପରିକି ବିଭିନ୍ନ ସମୟରେ ରାଲି, ଧାରଣା, ଆନ୍ଦୋଳନ ଓ ବିକ୍ଷୋଭ ପ୍ରଶାସନକୁ ଚେତାବନି ଦେବାପାଇଁ କରିଆସୁଥିଲେ ମଧ୍ୟ ସରକାର ଚୁପ୍ ରହିବା ସେମାନଙ୍କ ପାଇଁ ବଡ଼ କଷ୍ଟ ଦେଇଛି । ଅନ୍ୟପକ୍ଷରେ ସେହି ଯାଗାକୁ କମ୍ପାନୀ ନିଜ ଅଧିନକୁ ନେଇଥିବାରୁ ଗ୍ରାମବାସୀମାନଙ୍କର କୌଣସି ଉନ୍ନତି ଏବଂ ସେ ଅଂଚଳର ମଧ୍ୟ କୌଣସି ବିକାଶମୂଳକ କାମ ସରକାର ଏବଂ କମ୍ପାନୀ କେହି କରୁନାହାଁନ୍ତି । ଫଳରେ ଗ୍ରାମବାସୀମାନେ ନାହିଁ ନଥିବା ଦୁର୍ଦ୍ଧଶା ଭୋଗୁଛନ୍ତି ବୋଲି କହିଛନ୍ତି ଆଦିତ୍ୟ ଆଲୁମିନା ଶିଳ୍ପ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟିର ସଭାପତି ଦୌଲ ଚୌଧୁରୀ ।
ଗ୍ରାମବାସୀଙ୍କ ଗୋଟିଏ ଦାବି ଶୀଘ୍ର କାରଖାନା ପ୍ରତିଷ୍ଠା ହେଉ, ନଚେତ୍ ଜମି ଆମକୁ ଫେରାଇ ଦିଆଯାଉ । ବହୁଥର ସରକାରଙ୍କୁ ଗୁହାରି କଲେ ମଧ୍ୟ କଂସାରୀଗୁଡା ଜମିହରା, ବାସହରା ଗ୍ରାମବାସୀମାନେ ଆଉ ବେଶିଦିନ ଏ ଦୁଃଖ କଷ୍ଟ ସହିବେ ନାହିଁ ବୋଲି ନିଷ୍ପତି ନେଇଥିବାରୁ କ୍ରିୟାନୁଷ୍ଠାନ କମିଟିର ସଭାପତି ଦୌଲ ଚୌଧୁରୀ ଓ ଜମିହରା, ବାସହରା ଗ୍ରାମବାସୀଙ୍କ ନେତା ତଥା ଆର.ପି.ଡି.ଏ.ସି.ର ସଦସ୍ୟ ରାଜେନ୍ଦ୍ର ଦୁରିଆଙ୍କ ନେତୃତ୍ୱରେ ଭୁବନେଶ୍ୱର ଆସି ଓଡ଼ିଶା ଖଣି ନିଗମର ଏମ୍.ଡି. ବଳବନ୍ତ ସିଂହଙ୍କୁ ସାକ୍ଷାତ କରି ଆଦିତ୍ୟ ଆଲୁମିନା କମ୍ପାନୀ ପାଇଁ ବକ୍ସାଇଟ୍ ଖଣି ଯୋଗାଇ ଦେବାପାଇଁ ଅନୁରୋଧ କରିଥିଲେ । ଗୋଟିଏ ପକ୍ଷେ ଆଦିତ୍ୟ ଆଲୁମିନା କର୍ତୃପକ୍ଷ ସରକାର ଖଣି ଦେଉନାହାଁନ୍ତି ବୋଲି କହି କାରଖାନା କରିବାରେ ସମୟ ଗଡାଇ ଚାଲିଥିଲେ, ଯାହାକୁ ଓଏମ୍.ସି. ଏମ୍.ଡି ଆଜି ସମାଧାନ କରି କମ୍ପାନୀ ଆଗ କାମ ଆରମ୍ଭ କଲାପରେ ଖୁବ୍ ଶୀଘ୍ର ଖଣି ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟପଟେ ସରକାର ଖୁବ୍ଶୀଘ୍ର ଏଥିରେ ହସ୍ତକ୍ଷେପ କରି ଏ ସମସ୍ୟାର ସମାଧାନ ରାସ୍ତା ବାହାର କରିବେ ବୋଲି ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଜମିହରା, ବାସହରା ଗ୍ରାମବାସୀଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ଏଠାରେ ଉଲ୍ଲେଖନୀୟ ଯେ, ଶ୍ରୀ ଦୌଲ ଚୌଧୁରୀଙ୍କ ନେତୃତ୍ୱରେ ଜମିହରା ଗ୍ରାମବାସୀମାନେ ଆଜି ପ୍ରଣବପ୍ରକାଶ ଦାସଙ୍କୁ ତାଙ୍କ ବାସଭବନରେ ଭେଟି ଏହି ସମସ୍ୟା ଉପରେ ଆଲୋଚନା କରିଥିଲେ ଏବଂ ଆଲୋଚନାରେ ଗ୍ରାମବାସୀମାନେ ଆଶ୍ୱସ୍ତି ହେବା ସହ ଆଉ କିଛିଦିନ ଅପେକ୍ଷା କରିବା ପାଇଁ ନିଷ୍ପତି ନେଲେ, ଯଦି ଆଦିତ୍ୟ ଆଲୁମିନା କମ୍ପାନୀ କର୍ତୃପକ୍ଷ ଖୁବ୍ ଶୀଘ୍ର କାମ ଆରମ୍ଭ ନ କରନ୍ତି, ତେବେ ହଜାର ହଜାର ନିରୀହ ଜମିହରା ଆଦିବାସୀ ଗ୍ରାମବାସୀମାନେ ଭୁବନେଶ୍ୱରରେ ଆମରଣ ଅନଶନ କରିବେ ବୋଲି କହିଛନ୍ତି କ୍ରିୟାନୁଷ୍ଠାନ କମିଟିର ସଭାପତି ଦୌଲ ଚୌଧୁରୀ ।