ଭୁବନେଶ୍ୱର,୭/୧୨/୨୦୨୨(ଓଡ଼ିଶା ସମାଚାର)- ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ପ୍ରତିଷ୍ଠିତ ଆର୍ଯ୍ୟସମାଜର ସହଯୋଗୀ ସଂଗଠନ, ଓଡ଼ିଶାରେ ଗୁରୁକୂଳ ଆନ୍ଦୋଳନର ମୁଖ୍ୟ ସୂତ୍ରଧର ଆର୍ଯ୍ୟସନ୍ନ୍ୟାସୀ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ପ୍ରତିଷ୍ଠିତ ସ୍ୱାମୀ ଦୟାନନ୍ଦ ସର୍ଭିସ ମିଶନ ପକ୍ଷରୁ ବିଗତ ୨୪ବର୍ଷ ଧରି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ତଥା ସଂସ୍କୃତ ଭାଷା ପାଇଁ ଜୀବନବ୍ୟାପୀ ସାଧନା କ୍ଷେତ୍ରରେ ଦିଆଯାଉଥିବା ଗୁରୁ ପ୍ରଣାମ ସମ୍ମାନ-୨୦୨୩ ବର୍ଷ ପାଇଁ ପାଲାଚାର୍ଯ୍ୟ ସୁରେନ୍ଦ୍ର ନାଥ ଛୋଟରାୟ ଓ ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରଫେସର ଡଃ ପଦନ କୁମାର ଜେନାଙ୍କୁ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶାର ପ୍ରଖ୍ୟାତ ଗୁରୁମାନଙ୍କୁ ଏହି ସମ୍ମାନ ବିଗତ ବର୍ଷ ମାନଙ୍କରେ ଦିଆଯାଇଛି । ସେମାନେ ହେଲେ ଡଃ ପ୍ରତିଭା ରାୟ, ଡଃ ବିମଳେନ୍ଦୁ ମହାନ୍ତି, ଡଃ ବ୍ରଜବନ୍ଧୁ ପଣ୍ଡା, ପ୍ରଫେସର ଗୌରୀ କୁମାର ବ୍ରହ୍ମା, ଡଃ ବଂଶୀଧର ତି୍ରପାଠୀ, ବାଣୀଭୂଷଣ ଡଃ ନିରଞ୍ଜ ବ୍ରହ୍ମା, ପଦ୍ମଶ୍ରୀ ଶ୍ରମଦ୍ ବାବା ବଳିଆ, ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ, ପାଲାଚାର୍ଯ୍ୟ ସ୍ୱର୍ଗତ ବଳଭଦ୍ର ପଣ୍ଡା, ଗୁରୁ ପଦ୍ମଶ୍ରୀ ସ୍ୱର୍ଗତ ଗଙ୍ଗାଧର ପ୍ରଧାନ, ପ୍ରଫେସର ସ୍ୱର୍ଗତ କିଶୋର ଚନ୍ଦ୍ର ତି୍ରପାଠୀ, ପ୍ରଫେସର ମନୋରମା ମହାପାତ୍ର ।
୨୦୨୩ ମସିହା ଜାନୁୟାରୀ ମାସ ୬ ତାରିଖ ଦିନ ଭୁବନେଶ୍ୱର ବୁଦ୍ଧ ମନ୍ଦିରଠାରେ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ବର୍ଦ୍ଧନା ଦିଆଯିବ । ଚୟନ କମିଟିର ସ୍ଥାୟୀ ଅଧ୍ୟକ୍ଷ ଡଃ ବିମଳେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ବୈଠକରେ ସଭ୍ୟ ପ୍ରଦୁ୍ୟମ୍ନ କୁମାର ଶତପଥୀ, ଡଃ ସୌରେନ୍ଦ୍ର କୁମାର ମହାପାତ୍ର, ଡଃ ବଦ୍ରୀନାଥ ପଟ୍ଟନାୟକ ଓ ଶ୍ରୀମତୀ ବିଜ୍ଞାନ ପ୍ରଜ୍ଞା ତ୍ରିପାଠୀ ଉପସ୍ଥିତ ଥିଲେ ।
Home / ବିଶେଷ / ପାଲାଚାର୍ଯ୍ୟ ସୁରେନ୍ଦ୍ର ଛୋଟରାୟ ଓ ବିଶିଷ୍ଟ ଉଦ୍ଭିଦବିଜ୍ଞାନୀ ପ୍ରଫେସର ପଦନ ଜେନାଙ୍କୁ ପାଇବେ ଗୁରୁ ପ୍ରଣାମ ସମ୍ମାନ-୨୦୨୩