Friday , February 3 2023
Home / କୃଷି / କମିଶନ ନିଶା ବିଫଳ କରୁଛି ମିଶନକୁ , ପୁଣି ଗୋଲ୍ ହେବ ଆଳୁ ମିଶନ

କମିଶନ ନିଶା ବିଫଳ କରୁଛି ମିଶନକୁ , ପୁଣି ଗୋଲ୍ ହେବ ଆଳୁ ମିଶନ

ଭୁବନେଶ୍ୱର,୭/୧୨/୨୦୨୨(ଓଡ଼ିଶା ସମାଚାର)- ଓଡ଼ିଶାରେ ଲୋକଙ୍କ ଚାହିଦା ଯେତିକି, ସେତିକି ଆଳୁ ଉତ୍ପାଦନ ହୋଇପାରୁନାହିଁ । ପୁଣି ପଡ଼ିଶା ରାଜ୍ୟ ପଶ୍ଚିମବଙ୍ଗ ସହିତ ତିକ୍ତତା ହେଲେ ସେ ଆଳୁ ଯୋଗାଣ ବନ୍ଦ କରୁଛି । ଏଭଳି ପରିପ୍ରେକ୍ଷୀରେ ଆଳୁ ଉତ୍ପାଦନରେ ଓଡ଼ିଶା ସ୍ୱାବଲମ୍ବୀ ହେବା ପାଇଁ ଆଳୁ ମିଶନ ହେଲା । ହେଲେ ସରକାରୀ ଅଫିସରଙ୍କ ମନମାନୀ ନଷ୍ପତି ଓ କମିଶନୀ ନିଶା ସବୁ ମିଶନକୁ ବିଗାଡ଼ି ଦେଉଛି । ପୂର୍ବରୁ ଆଳୁ ମିଶନ ବିଫଳ ହୋଇଥିଲା । କାରଣ ଚାଷୀମାନଙ୍କୁ ସେତେବେଳେ ହେକ୍ଟର ପିଛା ସେଭଳି ଆଖିଦୃଶିଆ ସବସିଡ୍ ଦିଆଯାଉ ନଥିଲା । ହେଲେ ଚଳିତଥର ସବସିଡ୍ ବୃଦ୍ଧି ସତ୍ୱେ ବିହନକୁ ମଧ୍ୟ ଠିକଣା ସମୟରେ ସରକାର ଯୋଗାଇ ପାରୁନାହିଁ । ପୂର୍ବରୁ ବିଭାଗ ତରଫରୁ ବିହନ ବୁଣା କ୍ଷେତ୍ରରେ ବିକେନ୍ଦ୍ରୀକରଣ ବ୍ୟବସ୍ଥା ହୋଇଥିଲା । ବିଭାଗ ଏ କ୍ଷେତ୍ରରେ ସର୍ବନିମ୍ନ ଦର ଧାର୍ଯ୍ୟ କଲେ ଆଉ କହିଲେ ଏଥିରେ ଯେଉଁମାନେ ଆସିବେ ଅଂଶଗ୍ରହଣ କର । ୫ରୁ ୭ ସଂସ୍ଥା ଏଥିରେ ସାମିଲ ହୋଇ ବିହନ ବାଂଟିଲେ । ଏହା ପୂର୍ବରୁ ରାଜ୍ୟ ବିହନ ନିଗମକୁ ଗୋଟିଏ ଥର ଭରଷା କରିଥିଲେ । ହେଲେ ସେମାନେ ଅଭିଜ୍ଞତା ଓ ନିଜର ଉତ୍ପାଦନ ନଥିବା ଯୋଗୁଁ ଏଥିରେ ବିଫଳ ହୋଇଥିଲେ । ୨୦୨୨-୨୩ ମସିହାରେ ବିଭାଗ ଟେଣ୍ଡର ପାଇଁ ନୂଆ ନିୟମ ଆଣିଲେ । କହିଲେ ବିହନ ଯୋଗାଣ ଜାତୀୟସ୍ତରୀୟ ସଂସ୍ଥା କରିବ । ପୂର୍ବରୁ ଏଭଳି ନିୟମ କରାଯାଇଥିବାରୁ ଏହାର ପ୍ରତିବାଦରେ କ୍ଷୁଦ୍ର ଯୋଗାଣକାରୀମାନେ ନ୍ୟାୟାଳୟ ଯାଇଥିଲେ । ଉଚ୍ଚ ନ୍ୟାୟାଳୟ ରାୟ ଦେଇଥିଲେ ଯେ, ୨୦ ପ୍ରତିଶତ ମଞ୍ଜି ଯୋଗାଣ ସ୍ଥାନୀୟ ସଂସ୍ଥାମାନେ କରିବେ । ଟେଣ୍ଡର ସର୍ତର ପୃଷ୍ଠା ନଂ-୮, ପଏ ନଂ. ଏ (ଇ)(ବି) ଅନୁଯାୟୀ ମାଇକ୍ରୋ ଛୋଟ ସଂସ୍ଥା ଇଏମଡି ରଖାଯିବ । ମାତ୍ର ପଞ୍ଜାବ ସଂସ୍ଥା ଧୀରଜ ଯିଏକି ଏଥର ମଞ୍ଜି ଯୋଗାଣ ଟେଣ୍ଡର ଆପଣେଇଛି । ସେ ସ୍ଥାନୀୟ ସଂସ୍ଥା ନହୋଇ ମଧ୍ୟ ଏହି ସୁବିଧା ପାଇଛି । ଏ କ୍ଷେତ୍ରରେ ଅଫିସରମାନେ କମିଶନ ନିଶାରେ ଅହେତୁକ ଅନୁକମ୍ପା ଦେଖାଇବାକୁ ଯାଇ ସବୁ ଆଇନକାନୁନ ପ୍ରତି ଆଖି ବୁଜି ଦେଇଛନ୍ତି । ଟେଣ୍ଡରର ସର୍ତ ଥିଲା ଯେଉଁ ସଂସ୍ଥା ଟେଣ୍ଡର ପାଇଁ ଯୋଗ୍ୟ ହେବ ତାହାର ବର୍ଷକୁ ଅନୁ୍ୟନ ୩୫ କୋଟି ଟର୍ଣ୍ଣଓଭର ଥିବ ଓ ପିଛିଲା ତିିନିବର୍ଷ ଏଭଳି ଥିବ । ହେଲେ ଧୀରଜ ସଂସ୍ଥାର ଏହି ଟ୍ରାଞ୍ଜାକସନ ନାହିଁ । ଦୁଇଟି ବ୍ୟବସାୟିକ ସଂସ୍ଥାର ଜିଏସଟି ଅଲଗା ଥାଇ ତାହାକୁ ଏକାଠି ଦେଖାଯାଇଛି । ସେହି ଜାଲିଆତି ସଂସ୍ଥା ବହିନ ଯୋଗାଣ କ୍ଷେତ୍ରରେ ତିନୋଟି ସଂସ୍ଥାକୁ ତିନୋଟି ରେଟ ଦେଇଛି ଯାହା ଟେଣ୍ଡର ସର୍ତର ଆଇନ ଖିଲାପ କରୁଛି । ରାଜ୍ୟ ବିହନ ନିଗମକୁ ମଞ୍ଜି ଯୋଗାଣରେ ସମ୍ପୃକ୍ତ କରାଯିବା ପରେ ପ୍ରତି ଚାଷୀଙ୍କ ପାଇଁ ଆବଂଟିତ ଅର୍ଥରୁ ୪୫୦୦ ଲେଖାଏଁ କାଟିବାର ବ୍ୟବସ୍ଥା ରହିଛି । ଏହାଦ୍ୱାରା ଚାଷୀମାନେ ଅଯଥା ଲକ୍ଷ ଲକ୍ଷ ଟଙ୍କା ରିହାତି ହରାଇଛନ୍ତି । ସବୁ ରାଜ୍ୟ ସରକାରୀ ବିହନ ନିଗମମାନେ ସଂସ୍ଥାମାନଙ୍କୁୁ ପ୍ରମାଣିକ ସାର୍ଟିଫିକେଟ ଦେଇଥାନ୍ତି । ଧୀରଜ ଫାର୍ମ ଯେତିକି ବିହନ ଯୋଗାଇବା କଥା କହିଛି ସେତିକି ଉତ୍ପାଦନ କରୁନାହିଁ ବୋଲି ପଞ୍ଜାବ ବିହନ ନିଗମ କହିଛି । ସବୁ ଆଇନ କାନୁନକୁ ଜଳାଞ୍ଜଳି ଦେଇ ଧୀରଜ ଠାରୁ ବିହନ କିଣାଯାଇଛି ।
ସେହିଭଳି ମିଲେଟ ମିଶନକୁ ନେଇ ସାରା ଓଡ଼ିଶାରେ ଯେଉଁ ଚର୍ଚ୍ଚା ଚାଲିଛି ତାହା କେବଳ ପ୍ରଚାର ଆଧାରିତ । ବଜେଟର ସିଂହଭାଗ ଟେନ୍ରିଂ, ଭିଜିଟିଙ୍ଗ, କାପାସିଟି ବିଲଡ଼ିଙ୍ଗ ଓ ବିଜ୍ଞାପନରେ ବ୍ୟୟ ହେଲାବେଳେ ଚାଷୀଙ୍କୁ ଅତ୍ୟନ୍ତ ନଗଣ୍ୟ ଅର୍ଥ ଦିଆଯାଉଛି । ଚାଷୀମାନେ ଅନେକ ଜାଗାରେ ମାଣ୍ଡିଆ ନକରି ଏବଂ ନିର୍ଦ୍ଧିଷ୍ଟ ଭାବରେ ସୀମିତ ଅଂଚଳ ଚାଷ କରାଯାଇଥିଲେ ବି ତାକୁ କାଗଜ ପତ୍ରରେ ଅଧିକ ଦେଖାଉଛନ୍ତି । ଧାଡ଼ି ରୁଆଁ ଧାନଚାଷ ବେଳେ ଯେଭଳି ରାସ୍ତାକଡ଼ରେ ଧାଡ଼ିରୁଆଁ ଧାନଚାଷ କରଯାଇ ଶହ ଶହ ହେକ୍ଟର ମିଥ୍ୟା ବିଲ୍ କରାଯାଉଥିଲା, ମିଲେଟ ମିଶନରେ ସେହିଭଳି ହେଉଛି । ଭିଜିଟିଙ୍ଗ ଟ୍ରେନିଂରେ ଏନଜିଓମାନେ ଲୁଟିବାକୁ ଅଧିକ ସୁଯୋଗ ଥିବାରୁ ଏଭଳି କରାଯାଉଛି ।

Leave a Reply

Your email address will not be published.