Thursday , February 2 2023
Breaking News
Home / ବିଶେଷ / ସମ୍ବିଧାନର ସୁରକ୍ଷା ଜନନାୟକ ଆମ୍ବେଦକରଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ

ସମ୍ବିଧାନର ସୁରକ୍ଷା ଜନନାୟକ ଆମ୍ବେଦକରଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ

କେନ୍ଦ୍ରାପଡ଼ା, ୬/୧୨/୨୦୨୨(ଓଡ଼ିଶା ସମାଚାର)- ସମ୍ବିଧାନର ମୁଖ୍ୟ ସ୍ଥପତି, ଧୂରୀଣ ଅର୍ଥଶାସ୍ତ୍ରୀ ତଥା ଭାରତର ପ୍ରଥମ ଆଇନ ମନ୍ତ୍ରୀ ଡଃ. ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ୬୭ତମ ଶ୍ରାଦ୍ଧ ଦିବସ କେନ୍ଦ୍ରାପଡ଼ା ପୌରାଂଚଳରେ ପୁରୁଣା ବସଷ୍ଟାଣ୍ଡରେ କେନ୍ଦ୍ରାପଡ଼ାର ଡଃ. ଆମ୍ବେଦକର ବିଚାର ମଂଚ ପକ୍ଷରୁ ପାଳିତ ହୋଇଯାଇଛି । ବିଚାର ମଂଚର ସଭାପତି ପ୍ରଫେସର ନନ୍ଦ କିଶୋର ପରିଡା ଏହି କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିଲେ । ପୁରୁଣା ବସଷ୍ଟାଣ୍ଡସ୍ଥିତ ପୁଣ୍ୟାତ୍ମାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହ ଶ୍ରଦ୍ଧା ନିବେଦନ କରାଯାଇଥିଲା । ରାଜନୀତି ବିଜ୍ଞାର ପ୍ରଫେସର ଶ୍ରୀ ପରିଡା ଏହି ଅବସରରେ ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଥିଲେ ଯେ ଡଃ. ଆମ୍ବେଦକର ସାରା ବିଶ୍ୱର ସମସ୍ତ ସମ୍ବିଧାନ ଗୁଡିକୁ ଗଭୀର ଅନୁଶୀଳନ କରି ତନ୍ମଧ୍ୟରୁ ଶ୍ରେଷ୍ଠ ଧାରା ଓ ଉପଧାରା ଗୁଡିକୁ ଆମ ସମ୍ବିଧାନରେ ସନିବେଶିତ କରିଥିଲେ । ଯେତେଦିନ ପର୍ଯ୍ୟନ୍ତ ସମ୍ବିଧାନ ଥିବ ସେତେଦିନ ପର୍ଯ୍ୟନ୍ତ ଭାରତବାସୀ ଡଃ. ଆମ୍ବେଦକରଙ୍କୁ କୃତଜ୍ଞତାର ସହିତ ସ୍ମରଣ କରୁଥିବେ । ବିଚାର ମଂଚର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ତାଙ୍କ ଶ୍ରଦ୍ଧାଞ୍ଜଳିରେ କହିଥିଲେ ଯେ ସମ୍ବିଧାନ ଆମ ଦେଶର ରକ୍ଷା କବଚ । ଯଦି ସମ୍ବିଧାନ ସୁରକ୍ଷିତ ତେବେ କେହି ଅସୁରକ୍ଷିତ ନୁହନ୍ତି । ସୁତରାଂ ସମ୍ବିଧାନର ସୁରକ୍ଷା ପାଇଁ ସମ୍ବିଧାନ ପ୍ରଣେତା ମହାନ ଜନନାୟକ ଡଃ. ଆମ୍ବେଦକରଙ୍କ ତିରୋଧାନ ତିଥି ପାଳନ ଅବସରରେ ଆମେ ସମସ୍ତ ଭାରତବାସୀ ଐକ୍ୟବଦ୍ଧ ଭାବେ ପ୍ରୟାସ ଜାରିରଖିଲେ ବାବା ସାହେବଙ୍କର ଉପଯୁକ୍ତ ଦାୟାଦ ଭାବେ ଦାବି କରିପାରିବା । ଏହି ଶ୍ରାଦ୍ଧୋତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ପୂର୍ବତନ ନଗରପାଳ ଧିରେନ କୁମାର ସାହୁ, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ଜିଲ୍ଲା କଂଗ୍ରେସ ଉପସଭାପତି ପ୍ରଫୁଲ ଦାସ, ସିପିଆଇ ସାଧାରଣ ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ଶିକ୍ଷକ ସଂଗଠନର ନେତା ଭ୍ରମରବର ନାୟକ, ବିଚାର ମଂଚ ସାଧାରଣ ସମ୍ପାଦକ ମୁକ୍ତାର ଖାଁ, ବିଶିଷ୍ଟ ସମାଜ ସଂଗଠକ ପ୍ରଦୀପ ମହାନ୍ତି, କାଉନସିଲର ରମେଶ ଚନ୍ଦ୍ର ଦାସ, ଆଦିକନ୍ଦ ରାଉଳ, ଡି.ସି.ସି . ସାଧାରଣ ସମ୍ପାଦକ ମୀର ମୁରସିଦ୍, ଡି.ସିସି ସାଧାରଣ ସମ୍ପାଦକ କମଳାକାନ୍ତ ବେହେରା, କଂଗ୍ରେସ ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ସର୍ବେଶ୍ୱର ସେଠୀ, କଂଗ୍ରେସ ନେତା ନିରଞ୍ଜନ ପରିଡା, ସେକ ଜଲାଲଉଦ୍ଧିନ, ସେକ୍ ଆଜମାତ ଉଲ୍ଲା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave a Reply

Your email address will not be published.