ଭୁବନେଶ୍ୱର,୬/୧୨/୨୦୨୨(ଓଡ଼ିଶା ସମାଚାର)- ଉତ୍କଳ ସାମ୍ବାଦିକ ସଂଘର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ବୈଷ୍ଣବ ଚରଣ ଜେନାଙ୍କ ସ୍ମୃତିସଭା ସଂଘର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ସାମ୍ବାଦିକ ଓ ବିଭିନ୍ନ ସାମ୍ବାଦିକ ସଂଗଠନର ନେତୃବୃନ୍ଦ ସ୍ମୃତିଚାରଣ ଅବସରରେ କହିଥିଲେ କି, ସ୍ୱର୍ଗତ ଜେନାଙ୍କ ଅପ୍ରତ୍ୟାଶିତ ମୃତୁ୍ୟ ଯେଭଳି ଅବିଶ୍ୱାସନୀୟ, ତାଙ୍କର ବ୍ୟକ୍ତିଗତ ତଥା ବୃତିଗତ ଜୀବନର ଗୁଣାବଳୀ ସେହିଭଳି ଅବିସ୍ମରଣୀୟ ହୋଇ ରହିବ । ପ୍ରଭାତଜ୍ୟୋତି, ସମ୍ବାଦ, ମାତୃଭାଷା, ନକ୍ଷତ୍ର ଜ୍ୟୋତି, ଦୂରଦର୍ଶନ, ଅଲ ଇଣ୍ଡିଆ ରେଡ଼ିଓ ସହ ତତ୍କାଳୀନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କର ପିଆରଓ ଭାବେ କାର୍ଯ୍ୟ କରି ସାମ୍ବାଦିକତା ବୃତିକୁ ପରିପୃଷ୍ଟ କରିଥିଲେ । ସ୍ୱର୍ଗତ ଜେନା ଜଣେ ନିଷ୍ଠାପର ତଥା ଉତ୍ସର୍ଗୀକୃତ ସାମ୍ବାଦିକ ତଥା ସ୍ତମ୍ଭକାର ଭାବେ ବେଶ୍ ପରିଚିତ ଥିଲେ । ଏହି ଅବସରରେ ସ୍ୱର୍ଗତ ଜେନାଙ୍କ ସ୍ମୃତିରକ୍ଷା ଉଦ୍ଧେଶ୍ୟରେ ସ୍ମରଣିକା ପ୍ରକାଶନ ସହ ସଂଘର ବାର୍ଷିକ ଉତ୍ସବ ଅବସରରେ ତାଙ୍କ ନାମରେ ରାଜ୍ୟର ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ସ୍ମାରକୀ ପ୍ରଦାନ ପୂର୍ବକ ସମ୍ମାନିତ କରାଯିବା ପାଇଁ ନଷ୍ପତି ହୋଇଥିଲା ।
ଆୟୋଜିତ ସ୍ମୃତି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅକ୍ଷୟ ସାହୁ, ବିଭୂତି ଭୂଷଣ କର, ସନତ ମିଶ୍ର, ଅବିନାଶ ମିଶ୍ର, ବିଜୟ ପଣ୍ଡା, ପପୁ ମହାନ୍ତି, ଭାଗବତ ତ୍ରିପାଠୀ, ବିବେକାନନ୍ଦ ଜେନା, ନିରଞ୍ଜନ ବିଶ୍ୱାଳ, ସୁକାନ୍ତ ଚୌଧୁରୀ, ପ୍ରତାପ ପ୍ରଧାନ, ଜିତେନ୍ଦ୍ର ସାହୁ, ବିଜୟ ଖୁଂଟିଆ, ରଜେନ ଚୌଧୁରୀ, ପାର୍ଥସାରଥୀ ଜେନା, ବଙ୍କିମ ନାୟକ, ମାଧବାନନ୍ଦ ବେଉରା, କିଶୋର ମଙ୍ଗରାଜ, ସୁରେଶ କର, ବେଣୁଧର ପଣ୍ଡା, ମନୋଜ ପ୍ରଧାନ, ସତ୍ୟବ୍ରତ ଦାସ, ପୂର୍ଣ୍ଣଚନ୍ଦ୍ର ନାୟକ, ନବୀନ ଦାସ, ଦେବବ୍ରତ ମହାପାତ୍ର, ନୃସିଂହ ନାରାୟଣ ଦାସ, ହରିହର ସ୍ୱାଇଁ, ନିମାଇଁ ଚରଣ ଦାସ ପ୍ରମୁଖ ଯୋଗ ଦେଇଥିଲେ ।