Thursday , February 2 2023
Breaking News
Home / ବିଶେଷ / ଭେଟେରାନ୍ସ କ୍ଲବ ଓଡ଼ିଶା ପକ୍ଷରୁ ୫୨ତମ ନୌସେନା ଦିବସ ପାଳିତ

ଭେଟେରାନ୍ସ କ୍ଲବ ଓଡ଼ିଶା ପକ୍ଷରୁ ୫୨ତମ ନୌସେନା ଦିବସ ପାଳିତ

ଭୁବନେଶ୍ୱର,୫/୧୨/୨୦୨୨(ଓଡ଼ିଶା ସମାଚାର)- ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଭେଟେରାନ୍ସ କ୍ଲବ ଓଡ଼ିଶା ପକ୍ଷରୁ ବେଶ ଧୁମଧାମରେ ୫୨ତମ ନୌସେନା ଦିବସ ପାଳିତ ହୋଇଯାଇଛି । ଏଥିରେ ବହୁ ସଂଖ୍ୟାରେ ତିନି ସେନା (ସ୍ଥଳସେନା, ଜଳସେନା ଓ ବାୟୁସେନା)ର ଭେଟେରାନ୍ ଓ ସେମାନଙ୍କ ପରିବାରବର୍ଗ ଗୌରବର ସହ ପାଳନ କରିଥିଲେ । ନୌସେନା ଦିବସ ଅବସରରେ ଦିବଙ୍ଗତ ଶହୀଦ ଅମରାତ୍ମାମାନଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ଆତଙ୍କବାଦୀ ଅପରେସନ ସମୟରେ ନିଜର ଜୀବନ ଉତ୍ସର୍ଗ କରିଥିବା ଅମର ଶହୀଦ ମେରାଇନ କମାଣ୍ଡୋ ଉମାକାନ୍ତ ପାଣିଗ୍ରାହୀଙ୍କ ସ୍ମୃତିଚାରଣ କରାଯାଇଥିଲା ଏବଂ ମରଣୋତ୍ତର ଶୌର୍ୟ୍ୟଚକ୍ର ପ୍ରାପ୍ତ ନୟାଗଡ଼ ଜିଲ୍ଲାର ଏହି ସୁପୁତ୍ରଙ୍କ ନାମରେ ରାଜଧାନୀ ଭୁବନେଶ୍ୱରରେ ଏକ ରାସ୍ତା ନାମକରଣ ନିମନ୍ତେ ଦାବି କରାଯାଇଥିଲା । ମୁଖ୍ୟ ଅତିଥି ରୂପେ ଯୋଗଦେଇ ବ୍ୟଙ୍ଗ କଥାକାର ଶ୍ରୀଯୁକ୍ତ ଜ୍ଞାନ ହୋତା ରାଷ୍ଟ୍ରୀୟ ସୁରକ୍ଷାରେ ନୌସେନାର ଭୂମିକାକୁ ଭୁୟସୀ ପ୍ରଶଂସା କରିବା ସହ ତିନି ସେନାର ଉପସ୍ଥିତ ପରିବାରବର୍ଗଙ୍କୁ ନୌସେନା ଦିବସର ଶୁଭେଚ୍ଛା ଜଣାଇଥିଲେ । ଉପସ୍ଥିତ ପରିବାରବର୍ଗଙ୍କୁ ନିଜର ହାସ୍ୟରସପୂର୍ଣ୍ଣ ବ୍ୟଙ୍ଗାତ୍ମକ ଶୈଳୀରେ ଆମୋଦିତ କରିବା ସହ ଏଭଳି ଏକ ରାଷ୍ଟ୍ରଭକ୍ତି କାର୍ୟ୍ୟକ୍ରମରେ ଆମନ୍ତ୍ରିତ କରିଥିବାରୁ ଭେଟେରାନ୍ସ କ୍ଲବ ଓଡ଼ିଶାକୁ ନିଜର କୃତଜ୍ଞତା ଜଣାଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ବାୟୁସେନାର ଭେଟେରାନ୍ ତଥା ଓଡ଼ିଶା ବାୟୁସେନା ସଙ୍ଘର ଉପଦେଷ୍ଟା ଶ୍ରୀଯୁକ୍ତ ଅରୁଣ ମହାନ୍ତି ମହୋଦୟ ସମସ୍ତ ପରିବାରବର୍ଗଙ୍କୁ ନୌସେନା ଦିବସର ଶୁଭେଚ୍ଛା ଜଣାଇଥିଲେ । କାର୍ୟ୍ୟକ୍ରମ ଆରମ୍ଭରେ ନୌସେନା ସଙ୍ଗୀତ “ଜୟ ଭାରତୀ” ସମୂହଗାନ କରାଯାଇ ଏକ ଜାତୀୟତା ବୋଧକ ପରିବେଶ ସୃଷ୍ଟି କରାଯାଇଥିଲା । ଭେଟେରାନ୍ସ କ୍ଲବ ଓଡ଼ିଶାର ଅଧ୍ୟକ୍ଷ ବିଦ୍ୟାଧର ନାୟକ କାର୍ୟ୍ୟକ୍ରମକୁ ସମ୍ବୋଧିତ କରି ସାମ୍ପ୍ରତିକ ବିଶ୍ଵ ପରିସ୍ଥିତିରେ ଚାଇନାର ଉଗ୍ର ବିସ୍ତାରବାଦୀ ନୀତିକୁ ପ୍ରତିହତ କରିବା ପାଇଁ ଭାରତୀୟ ନୌସେନାରେ ଆଇଏନଏସ୍ ବିକ୍ରାନ୍ତ ଭଳି ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଉ ଏକ ବିମାନବାହୀ ଯୁଦ୍ଧପୋତର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ତତ୍ ସହିତ ବିଭିନ୍ନ ପ୍ରକାର ଯୁଦ୍ଧକୌଶଳ ମଧ୍ୟରେ ବର୍ତ୍ତମାନ ବିଶ୍ୱର ପ୍ରମୁଖ ଦେଶମାନେ ଇଲେକ୍ଟ୍ରୋନିକ ଯୁଦ୍ଧକୁ ପ୍ରାଧାନ୍ୟ ଦେଉଥିବା ବେଳେ ଭାରତର ରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନ ଏବଂ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ ପକ୍ଷରୁ ଏହା ଉପରେ ତ୍ୱରାନ୍ୱିତ ଗତିରେ ନିଜର ଉତ୍ପାଦନ କ୍ଷମତା ବଢ଼ାଇବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ତିନି ସେନାରେ କାର୍ୟ୍ୟରତ ସୈନିକମାନଙ୍କୁ ଉତ୍ସାହିତ ରଖିବା ପାଇଁ ପ୍ରତ୍ୟେକ ରାଜ୍ୟ ସରକାରମାନେ ନିଜ ନିଜ ରାଜ୍ୟରେ ଅବସରପ୍ରାପ୍ତ ସୈନିକମାନଙ୍କୁ ସମ୍ମାନର ସହ ବଞ୍ଚିବା ପାଇଁ ସୁଯୋଗ ସୃଷ୍ଟି କରିବା ଉଚିତ ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭେଟେରାନ୍ ସମରେନ୍ଦ୍ର ପରିଜା, ସବମେରାଇନର୍ ଗୋପୀନାଥ ମିଶ୍ର, ଅନ୍ତର୍ୟ୍ୟାମୀ ଦାଶ, ବିମଳ ପ୍ରସାଦ ବାରିକ, ଅଜୟ ନାୟକ, ରମେଶ ଚନ୍ଦ୍ର ଲେଙ୍କା, ହରପ୍ରସାଦ ଦୋରା, ଦୀନବନ୍ଧୁ ଷଡ଼ଙ୍ଗୀ, ଶେଷଦେବ ମିଶ୍ର, ବିଷ୍ଣୁ ପ୍ରସାଦ ଦାଶ, ମୃତ୍ୟଞ୍ଜୟ ମହାପାତ୍ର, ମନୋଜ କୁମାର ସେନାପତି, ମହେଶ୍ବର ଦୀକ୍ଷିତ, ସଞ୍ଜୟ କୁମାର ରାଉତ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published.