ଭୁବନେଶ୍ୱର,୫/୧୨/୨୦୨୨(ଓଡ଼ିଶା ସମାଚାର)- ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ନିଯୁକ୍ତିପ୍ରାପ୍ତ ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକମାନେ ହଜାର ହଜାର ସଂଖ୍ୟାରେ ବିଧାନସଭା ସମ୍ମୁଖରେ ଆନ୍ଦୋଳନକୁ ଓହ୍ଲାଇଥିଲେ । ମାଷ୍ଟର କ୍ୟାରଟିନ ଛକରୁ ବାଜା ବଜାଇ, ହାତରେ ଖେଳ ଉପକରଣ ଧରି ଶିକ୍ଷକମାନେ ବିଧାନସଭା ଅଭିମୁଖେ ବାହାରିଥିଲେ । ସରକାରଙ୍କ ଡ଼ାକରାରେ ଏକ ୭ ଜଣିଆ ପ୍ରତିନିଧି ମଣ୍ଡଳୀ ରାଜ୍ୟ ସଚିବାଳୟ ଯାଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ସେ ସେହି ୧୦ ବର୍ଷ ଭଳି ଖାଲି ପ୍ରତିଶ୍ରୁତି ଦେଇଥିଲେ । ସରକାରଙ୍କ ପ୍ରତିଶ୍ରୁତି ଆଜି ପର୍ଯ୍ୟନ୍ତ ପାଣିର ଗାର ଭଳି ମିଳେଇ ଯାଉଥିବା ବେଳେ ୫ ହଜାର କଳା ଓ କ୍ରୀଡ଼ା ଶିକ୍ଷକ ସରକାରଙ୍କ ପ୍ରତିଶ୍ରୁତିକୁ ସମ୍ମାନ ଜଣାଇ ଫେରି ଆସିଥିଲେ ।
ହେଲେ ବର୍ତମାନ ଆଉ ସେଭଳି ହେବ ନାହିଁ ବୋଲି କହିଛନ୍ତି ରାଜ୍ୟର ସମସ୍ତ ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକ । କଳା ଓ କ୍ରୀଡ଼ା କ୍ଷେତ୍ରରେ ରାଜ୍ୟ, ଦେଶ ତଥା ବିଦେଶରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ ମଧ୍ୟ କଳା ଓ କ୍ରୀଡ଼ାକୁ ବିକାଶଭିମୁଖୀ କରିବା ପାଇଁ ପ୍ରଚେଷ୍ଟାରତ ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକଙ୍କୁ ନିୟମିତ କରିବାକୁ ଆମ ସରକାର ହୃଦୟରୁ ବିଚାର କରି ନିଷ୍ପତିି ନେବେ ବୋଲି ଆଶା ରଖିଛନ୍ତି । ସେ ପର୍ଯ୍ୟନ୍ତ ସମସ୍ତ ପାର୍ଟ ଟାଇମ କଳା ଓ କ୍ରୀଡ଼ା ପ୍ରଶିକ୍ଷକଙ୍କୁ ନେଇ ୨୦୧୩ରୁ ନିର୍ମିତ ହୋଇଥିବା ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘ ତାର ଧାରଣା ଜାରି ରଖିବ ବୋଲି ମହାସଂଘର ଆବାହକ ଧର୍ମେନ୍ଦ୍ର ପଣ୍ଡା, ଦେବବ୍ରତ ପଟ୍ଟନାୟକ, ସଦସ୍ୟ ବସନ୍ତ ସଣ୍ଡ, ଶଙ୍କର ପ୍ରସାଦ ମହାପାତ୍ର, ପ୍ରଦୀପ ପଟେଲ, କୃଷ୍ଣ ସୁଦାମ ପାଣିଗ୍ରାହୀ ଏବଂ ପ୍ରଦୀପ କୁମାର ଦାସଙ୍କ ସହ ଜିଲ୍ଲା କମିଟିର ସମସ୍ତ ସଦସ୍ୟ ମତପୋଷଣ କରିଥିଲେ । ଏହି ଅନ୍ଦୋଳନକୁ ସମର୍ଥନ କରି ସମସ୍ତ ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକଙ୍କୁ ବିପୁଳ ସଂଖ୍ୟାରେ ଯୋଗଦେବା ପାଇଁ ଆହ୍ୱାନ କରିଛନ୍ତି ।