ଭୁବନେଶ୍ୱର,୫/୧୨/୨୦୨୨(ଓଡ଼ିଶା ସମାଚାର)-ଏ.ଆଇ.ଟି.ୟୁ.ସି. ନେତୃତ୍ୱାଧୀନ ଆଶାକର୍ମୀ ସଂଘ ଏବଂ ଏନ୍.ଏଫ୍.ଆଇ.ଟି.ୟୁ. ନେତୃତ୍ୱାଧୀନ ପଶ୍ଚିମ ଓଡ଼ିଶା ଆଶାକର୍ମୀ ସଂଘ ପକ୍ଷରୁ ହଜାର ହଜାର ଆଶାକର୍ମୀ ବିଭିନ୍ନ ଦାବିନେଇ ଲୋୟର ପି.ଏମ୍.ଜି.ଠାରେ ସଚିବାଳୟ ଘେରାଉ କରିଛନ୍ତି । ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ୍ ଅଧୀନରେ ଗ୍ରାମାଂଚଳରେ ମା’ ଓ ଶିଶୁର ବିକାଶ ସହିତ ନିରାପଦ ମାତୃତ୍ୱ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟରେ ଆଶାକର୍ମୀମନେ ନିଯୁକ୍ତି ପାଇ କାର୍ଯ୍ୟ କରିଆସୁଛନ୍ତି । ଯାହା ଫଳରେ ମାତୃ ମୃତୁ୍ୟହାର ଓ ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁ ଜନ୍ମଲାଭ କରିବା ସହ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମର ଉଲ୍ଲେଖନୀୟ ପରିବର୍ତନ ଘଟିଛି । ଓଡ଼ିଶା ଭଳି ଏକ ଅନଗ୍ରସର, ପାହାଡ଼ ପର୍ବତ ଘେରା ଉପାନ୍ତ ଅଂଚଳରେ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଆଶାକର୍ମୀର ଉଲ୍ଲେଖନୀୟ ଅବଦାନ ରହିଛି । କରୋନା ମହାମାରୀ ସମୟରେ ଆଶାକର୍ମୀ ଜୀବନକୁ ବାଜି ଲଗାଇ ରାଜ୍ୟବ୍ୟାପୀ କରୋନା ସଚେତନତା କରିବା ସହ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଓ ଟିକାକରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।
ଫଳରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଆଶାକର୍ମୀଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ Global Health Leader ହିସାବରେ ଦର୍ଶାଇଛନ୍ତି । ଏହା ସତ୍ୱେ ଆଶାକର୍ମୀମାନେ ସର୍ବନିମ୍ନ ସୁବିଧାରୁ ବଂଚିତ । ଏହି ପରିପ୍ରେକ୍ଷୀରେ ଜାତୀୟ ଶ୍ରମ ସମ୍ମିଳନୀର ନିଷ୍ପତି ଅନୁଯାୟୀ ଆଶାକର୍ମୀଙ୍କୁ ୱାର୍କର ମାନ୍ୟତା, ସର୍ବନିମ୍ନ ପେନସନ୍, ସାମାଜିକ ନିରାପତା, ମାସିକ ସୁନିଶ୍ଚିତ ଭତା ପରିବର୍ତେ ମାସିକ ଭତା ପ୍ରଦାନ, ବିଭିନ୍ନ ଯୋଜନା ଯଥା ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଓ ଅନ୍ୟାନ୍ୟ ଯୋଜନାର ଦେୟ ଆଶାମାନଙ୍କର ଜମାଖାତାରୁ କଟାଯିବା ବନ୍ଦ କରିବା ସହ ସରକାର ବୀମା ଯୋଜନାର ପ୍ରିମିୟମ ପ୍ରଦାନ, ସମସ୍ତ ପ୍ରୋତ୍ସାହନ ରାଶିକୁ ମିଶାଇ ମୋଟ ୨୧,୦୦୦ ଟଙ୍କା ଭତା ପ୍ରଦାନ, ଆଶାକର୍ମୀଙ୍କ ଅବସର ବୟସ ସୀମା ୬୫ ବର୍ଷକୁ ବୃଦ୍ଧି ସହିତ ଅବସର ସହାୟତା ରାଶି ୫ ଲକ୍ଷ ଟଙ୍କାକୁ ବୃଦ୍ଧି, ଜନନୀ ସୁରକ୍ଷା ଯୋଜନାର ଅନୁଦାନ ବୃଦ୍ଧି ସହ ବେସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସନ୍ତାନ ଜନ୍ମହେଲେ ସହାୟତା ରାଶି ପ୍ରଦାନ, ଆଶାକର୍ମୀଙ୍କ ପାଇଁ ଗଠିତ ସଂସଦୀୟ କମିଟିର ସୁପାରିଶ୍ ଯଥା ଦଶ ବର୍ଷର ଅଭିଜ୍ଞତା ଥିବା ଆଶାକର୍ମୀଙ୍କୁ ଏ.ଏନ୍.ଏମ୍. ପଦୋନ୍ନତି, ୫ ବର୍ଷ ଅଭିଜ୍ଞତା ଥିବା ଆଶାକର୍ମୀଙ୍କ ନର୍ସିଂ ସ୍କୁଲ କଲେଜରେ ତାଲିମ ପାଇଁ ସ୍ଥାନ ସଂରକ୍ଷଣ ଓ ଅନ୍ୟାନ୍ୟ ଦାବିରେ ଅନୁଷ୍ଠିତ ଏହି ବିକ୍ଷୋଭ ସମାବେଶରେ ଏ.ଆଇ.ଟି.ୟୁ.ସି. ରାଜ୍ୟ ସାଧାରଣ ସମ୍ପାଦକ ତଥା ନିଖିଳ ଓଡ଼ିଶା ଆଶାକର୍ମୀ ସଂଘର ରାଜ୍ୟ ସଭାପତି ବିଜୟ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶରେ ଏନ୍.ଏଫ୍.ଆଇ.ଟି.ୟୁ. ରାଜ୍ୟ ଆବାହକ ତଥା ପଶ୍ଚିମ ଓଡ଼ିଶା ଆଶାକର୍ମୀ ସଂଘର ସଭାପତି ପ୍ରଶାନ୍ତ ପାଢ଼ୀ, ନିଖିଳ ଓଡ଼ିଶା ଆଶାକର୍ମୀ ସଂଘର ରାଜ୍ୟ ସାଧାରଣ ସମ୍ପାଦିକା ନମିତା ସାହୁ, ଏ.ଆଇ.ଟି.ୟୁ.ସି. ରାଜ୍ୟ ସମ୍ପାଦକ ଜୟନ୍ତ ଦାସ, ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ସୁର ଜେନା, ଓମି ଗୁପ୍ତା, ଗୁରୁବାରୀ ସାହୁ, ମମତା ସ୍ୱାଇଁ, ଅନିଲତା ପାତ୍ର, ସରସ୍ୱତୀ ଶର୍ମା, ଶାସ୍ୱତା ଦାସ, ଶଶିରେଖା ମଲ୍ଲିକ, ସବିତା ମହାନ୍ତି, ରଶ୍ମିତା ସ୍ୱାଇଁ, ସନ୍ତୋଷିନୀ ଦାସ, ଶିବାନୀ ଦୁର୍ଗା, ମମତା ଖଣ୍ଡାୟତ, ଯାଜ୍ଞସେନୀ ପ୍ରଧାନ, ଲକ୍ଷ୍ମୀ ମହାରଣା, ମୁକ୍ତା ପ୍ରଧାନ, ପ୍ରଭାତୀ ନାୟକ, ବାଳକୃଷ୍ଣ ଭୋଇ, ରମଣୀ ରଞ୍ଜନ ରାଉତରାୟ, ସୁବାଷ ମହାପାତ୍ର ପ୍ରମୁଖ ଉଦ୍ବୋଧନ ଦେଇଥିବା ବେଳେ ନମିତା ସାହୁ, ପ୍ରଶାନ୍ତ କୁମାର ପାଢ଼ୀ, ତୀର୍ଥ ପ୍ରଧାନ, ରୀନା ସ୍ୱାଇଁ ପ୍ରମୁଖଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସ୍ୱାସ୍ଥ୍ୟ ଉପନିର୍ଦ୍ଧେଶକ ଅରୁଣ କୁମାର ବିଶ୍ୱାଳଙ୍କୁ ସାକ୍ଷାତ କରି ଦାବିପତ୍ର ଉପସ୍ଥାପନ କରିଥିଲେ ।
ଏହି ଦାବି ବଜେଟ୍ ଅଧିବେଶନ ପୂର୍ବରୁ ପୂରଣ ନ ହେଲେ ବଜେଟ୍ ଅଧିବେଶନ ସମୟରେ ଆଶାକର୍ମୀମାନେ ଅନିର୍ଦ୍ଧିଷ୍ଟ କାଳ ପାଇଁ ବିଧାନସଭା ଘେରିବାକୁ ବାଧ୍ୟ ହେବେ ବୋଲି ଆଶାକର୍ମୀ ୟୁନିୟନ୍ ସଂଯୁକ୍ତ ମୋର୍ଚ୍ଚା ପକ୍ଷରୁ ଚେତାବନୀ ଦିଆଯାଇଛି ।