ଯାଜପୁର , ୪/୧୨/୨୦୨୨(ଓଡ଼ିଶା ସମାଚାର /ସୁରେଶ କର): ଏବେବି ମହାମାରୀ କରୋନାର ଭୟ କମି ନାହିଁ । କରୋନାର ଜନ୍ମ ମାଟି ଚାଇନା ଦେଶରେ ପୁଣି ହୁ-ହୁ ହୋଇ ବଢୁଥିବାବେଳେ ଓଡ଼ିଶାରେ ଏହା ଉତ୍ଥାନ ପତନ ମଧ୍ୟ ଦେଇ ଗତି କରୁଛି । ତେଣୁ ପ୍ରତି ପ୍ରତ୍ୟେକ ବ୍ୟକ୍ତିକୁ ଏଥିପାଇଁ ସଜାଗ ରହିବାକୁ ପଡିବ । ଏହି ବାର୍ତ୍ତାକୁ ଲୋକଙ୍କ ପାଖରେ ପହଁଚାଇବାରେ ଲାଗିପଡ଼ିଛି ବବଲପୁରସ୍ଥିତ ଅଗ୍ରଣୀ ଆନ୍ତର୍ଜାତିକ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ । ଓଡ଼ିଶାରେ ଗତ ସପ୍ତାହ ଗୋଟିଏ ମାତ୍ର ପଜେଟିଭ ଏବଂ ୦୪ ଦିନ ତଳେ ୧୨ଟି ପଜେଟିଭ ଦେଖାଦେଇଥିବାବେଳେ ଗତ ୦୨/୧୨/୨୦୨୨ର ତଥ୍ୟ ଅନୁଯାୟୀ ଏହା ପୁନଶ୍ଚ ହ୍ରାସ ପାଇ ୦୯ରେ ପହଁଚିଛି । ଏଣୁ ବହୁ ମାତ୍ରାରେ ସଚେତନତାର ଆବଶ୍ୟକତା ରହିଛି ।
ଏ ସବୁକୁ ଉପଲବ୍ଧି କରି ଗତ ୨୨ମାର୍ଚ୍ଚ ୨୦୨୦ ମସିହାରୁ ଅଦ୍ୟାବଧି ୯୮୮ଦିନ ଧରି ନିରବଛିନ୍ନ ପ୍ରକ୍ରିୟାରେ ଲୋକମାନଙ୍କୁ ସଚେତନ କରାଇବା ସହ ମାକ୍ସ, ସାନିଟାଈଜର, ହ୍ୟାଣ୍ଡ ଗ୍ଳୋବ୍ସ , ଡେଟଲ, ଫିନାଇଲ ଆଦି ବଣ୍ଟନ କରାଯାଉଅଛି । ଏତଦଭିନ୍ନ ଗରିବ, ଅସହାୟ, ପାଗଳା ପାଗିଳି, ବୃଦ୍ଧ ବୃଦ୍ଧା ଆଦିଙ୍କୁ ଖାଦ୍ୟ,ଗ୍ରୋସରୀ ସାମଗ୍ରୀ, ବସ୍ତ୍ର, କମ୍ବଳ, ମଶାରୀ ଆଦି ସମଗ୍ର ଓଡିଶାର ବିଭିନ୍ନ ସ୍ଥାନରେ ଚିନ୍ମୟ ଫାଉଣ୍ଡେସନର ଶାଖା କାର୍ଯ୍ୟାଳୟ ମାଧ୍ୟମରେ ବଣ୍ଟନ କରାଯାଉଥିବାବେଳେ ଫାଉଣ୍ଡେସନର ଦିନସଂଖ୍ୟା ୯୮୬ରୁ ୯୮୮ ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ଜାରି ରହିଥିବାର ଦେଖିବାକୁ ମିଳିଛି । ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦେଶକ୍ରମେ ସମାଜସେବୀ ଶ୍ରୀକ୍ଷେତ୍ର ସାହୁ, ସାଗର ମଲ୍ଲିକ ଆଦି ଏହି କରୋନା ସଚେତନତା, କିଟ୍ ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି ।