ମହିଳା ଓ ବାଳିକାଙ୍କୁ ହିଂସାରୁ ସୁରକ୍ଷା ପ୍ରଦାନ
କେନ୍ଦ୍ରାପଡ଼ା, ୩/୧୨/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସହର ଉପକଣ୍ଠ ଗରାପୁରସ୍ଥିତ ରେସୱା ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ ଓଡିଶା ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସହାୟତାରେ ଅନୁଷ୍ଠାନ ସମ୍ମିଳନୀ କକ୍ଷରେ ମହିଳା ଓ ବାଳିକାମାନଙ୍କୁ ହିଂସାରୁ ସୁରକ୍ଷା ପ୍ରଦାନ ନିମନ୍ତେ ଏକ ଲିଙ୍ଗ ଭିତିକ ହିଂସା ବିରୋଧୀ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଲିଙ୍ଗ ଭିତିକ ହିଂସା ବିରୋଧରେ ୧୬ଦିନର ସକ୍ରିୟତା ହେଉଛି ଏକ ବାର୍ଷିକ ଆନ୍ତର୍ଜାତୀୟ ଅଭିଯାନ ଯାହା ନଭେମ୍ବର ୨୫ତାରିଖରୁ ଆରମ୍ଭ ହୋଇଛି । ମହିଳାମାନଙ୍କ ପ୍ରତି ହେଉଥିବା ହିଂସାକୁ ଦୁର କରିବା ପାଇଁ ଆନ୍ତର୍ଜାତୀୟ ଦିବସ ଏବଂ ଡିସେମ୍ବର ୧୦ତାରିଖ ମାନବ ଅଧିକାର ଦିବସ ପର୍ଯ୍ୟନ୍ତ ଏହା ଚାଲିବ । ରେସୱା ଅନୁଷ୍ଠାନର ଲିୟାକତ ହୁସେନଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସଚେତନତା ଶିବିରରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶଙ୍କର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜକୁ ଓ ସମାଜକୁ ସଠିକ ଭାବରେ ବୁଝିବା ପୂର୍ବରୁ କମ ବୟସରେ ପିଲାମାନେ ନେଉଥିବା ନିଷ୍ପତି ଯୋଗୁଁ ପରବର୍ତୀ ସମୟରେ ସେମାନେ ହିଂସା ଓ ନିର୍ଯ୍ୟାତନାର ଶୀକାର ହେଉଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଏଥିସହିତ ଘରୋ ହିଂସା ଓ ପି.ଏନ.ଡି.ଟି. ଆଇନ ସମ୍ପର୍କରେ ଆଲୋକପାତ କରିଥିଲେ । ପୂର୍ବତନ ପବ୍ଲିକ ପ୍ରସିକୁ୍ୟଟର ଭୀମସେନ ଭୂୟାଁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଦିଲ୍ଲୀର ‘ନିର୍ଭୟା’ ଗଣ ଦୁଷ୍କର୍ମ ପରେ ୨୦୧୨ ମସିହାରେ ୧୮ବର୍ଷରୁ କମ ବୟସର ପିଲାମାନଙ୍କ ନିର୍ଯ୍ୟାତନା, ହିଂସା ପ୍ରଭୃତିରୁ ସୁରକ୍ଷା ପାଇଁ କେନ୍ଦ୍ର ସରକାର ପୋକ୍ସୋ ଆଇନ ପ୍ରଣୟନ କଲେ । ଏଥିସହିତ ଛୋଟମୋଟ ଘଟଣାରେ ଥାନା, ପୋଲିସ ଓ କୋର୍ଟ କଚେରୀକୁ ନଯିବା ପାଇଁ ସେ ପରାମର୍ଶ ଦେଇଥିଲେ । ଅନ୍ୟତମ ବକ୍ତା ଭାବେ ଶିଶୁ ମଙ୍ଗଳ ସମିତିର ସଦସ୍ୟା ସ୍ମିତାଞ୍ଜଳି ମହାପାତ୍ର, ଲଳିତାଞ୍ଜଳି ଦାସ ଓ ନରୋତମ ପଟ୍ଟନାୟକ ଓ ବରିଷ୍ଠ ସାମ୍ବାଦିକ ଚିତରଞ୍ଜନ ଦାସ ପ୍ରମୁଖ ଯୋଗଦେଇ ଲିଙ୍ଗଗତ ହିଂସା, ମହିଳା ଓ ଯୁବତୀମାନଙ୍କ ହିଂସା ଓ ନିର୍ଯ୍ୟାତନା ବିରୋଧୀ ଆଇନ ସମ୍ପର୍କରେ ଆଲୋକପାତ କରିଥିଲେ ।
ଏତଦବ୍ୟତିତ ଭୃଣହତ୍ୟା, ଲିଙ୍ଗଗତ ଅସମାନତା, ଶିକ୍ଷାଗତ ଅସଙ୍ଗତା, ପ୍ରାପ୍ତ ବୟସ ପୂର୍ବରୁ ଝିଅକୁ ବାଧ୍ୟତା ମୂଳକ ବିବାହ ଦେବା,ଦୁଷ୍କର୍ମ ଜନିତ ହିଂସା, ବାଧ୍ୟତା ମୂଲକ ଗର୍ଭପାତ ଓ ଲିଙ୍ଗ ନିରୂପଣ,ଯୌନ ଉତ୍ପୀଡନ, ସାମାଜିକ ଓ ଆର୍ଥିକ ହିଂସା ପ୍ରଭୃତି ବିଷୟରେ ଥିବା ଆଇନ ସମ୍ପର୍କରେ ଆଲୋଚନା କରିଥିଲେ । ମହିଳା ଓ ଯୁବତୀମାନେ ନିଜେ ସଚେତନ ହେବାକୁ ସେମାନେ ପରାମର୍ଶ ଦେଇଥିଲେ । ରେସୱାର ସମସ୍ତ ଅନ୍ତେବାସୀ ବିଭିନ୍ନ ପ୍ରକାର ଧନ୍ଦା ମୂଳକ ଶିକ୍ଷା ଗ୍ରହଣ କରି ସ୍ୱାବଲମ୍ବୀ ହେବା ପାଇଁ ସେମାନେ ପରାମର୍ଶ ଦେଇଥିଲେ । ଶେଷରେ ଶିଶୁ ଯତ୍ନ ଅନୁଷ୍ଠାନର ପରିଚାଳକ ଅମିତରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଶିବିର ପରିଚାଳନାରେ ସ୍ୱାଧାରଗୃହର ଅଧିକ୍ଷିକା ମିନତୀ ମହାରଣା ଓ ରେନୁଜା ରାଉତରାୟ ପ୍ରମୁଖ ସହଯୋଗ କରିଥିଲେ ।