ଯାଜପୁର , ୩/୧୨/୨୦୨୨(ଓଡ଼ିଶା ସମାଚାର ସୁରେଶ କର ) – ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର (RPOP) ୨୦୨୨- ୨୦୨୪ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ ପାଇଁ ଗତ ନଭେମ୍ବର ୨୭ ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି। ନୂଆଦିଲ୍ଲୀ ସ୍ଥିତ ତ୍ୟାଗରାଜ ଜଗନ୍ନାଥ ମନ୍ଦିର ଶୁଭଦ୍ରା କଳା ମଣ୍ଡପ ରେ ବିଧିବଦ୍ଧ ଭାବରେ ନିର୍ବାଚନ ପ୍ରକ୍ରିୟା ସମ୍ପନ୍ନ ହୋଇ ଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ସୁପ୍ରିମ କୋର୍ଟ ର ବରିଷ୍ଠ ଆଇନଜୀବି କୃଷ୍ଣ ଚନ୍ଦ୍ର ନାୟକ,ସହଯୋଗୀ ଝୁମ୍ ଝୁମ ପାଢ଼ୀ ଓ ବିଶ୍ୱଜିତ ବାରିକଙ୍କ ତତ୍ତ୍ଵାବଧାନରେ ନିର୍ବାଚନ ହୋଇ ଯାଇଛି । ଦିଲ୍ଲୀ ତଥା ଦେଶର ବିଭିନ୍ନ କୋଣର ୧୩୦ ଆଜୀବନ/ବାର୍ଷିକ ସଦସ୍ୟଙ୍କ ମୂଲ୍ୟବାନ ମତଦାନରେ ନୂତନ ସଦସ୍ୟ ମାନେ ନିର୍ବାଚିତ ହୋଇଛନ୍ତି। ଉଭୟ ଅନ ଲାଇନ୍ ଓ ପ୍ରତ୍ୟକ୍ଷ ବାଲଟ ସହଯୋଗରେ ଭୋଟ ଗ୍ରହଣ ହୋଇଥିଲା ।ସଭାପତି ଭାବରେ ଡାକ୍ତର ବିକ୍ରମ ମହାନ୍ତି,୨ ଜଣ ଉପ-ସଭାପତି ଶ୍ରୀମତୀ ମଧୁ ଦାସ ଓ ଶ୍ରୀ ରାଧାଶ୍ୟାମ ସାହୁ,ମୁଖ୍ୟ ସମ୍ପାଦକ ଶ୍ରୀ ଅସିତ୍ ପରିଡ଼ା,୨ ଯୁଗ୍ମ -ସମ୍ପାଦକ ଶ୍ରୀମତୀ ରଞ୍ଜିତା ଦାସ ଓ ଶ୍ରୀ ସନ୍ଦୀପ ମହାପାତ୍ର , କୋଷାଧ୍ୟକ୍ଷ ପ୍ରଫେସର.ଅମୀୟ କୁମାର ପ୍ରଧାନ ,ସହ କୋଷାଧ୍ୟକ୍ଷ ଶ୍ରୀ ଦିଲ୍ଲୀପ ସାମନ୍ତ ରାୟ ଓ ଆବାହକ ପୁଷ୍ପାଞ୍ଜଳି ବାରିକ ନିର୍ବାଚିତ ହୋଇଛନ୍ତି ।
ନିର୍ବାଚିତ କର୍ମକର୍ତ୍ତାଙ୍କୁ ଡାକ୍ତର ଦେବେନ୍ଦ୍ର ମାଝୀ,ପ୍ରଫେସର ସୁକୁମାର ମିଶ୍ର ଓ ମୁଖ୍ୟ ନିର୍ବାଚନ ଅଧିକାରୀ ଆଇନଜୀବି କୃଷ୍ଣ ଚନ୍ଦ୍ର ସାହୁ ପଦ ଓ ଗୋପନୀୟତା ଶପଥ ପାଠ କରାଇ ଥିଲେ । ନିର୍ବାଚିତ କର୍ମକର୍ତ୍ତାଙ୍କୁ ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାରର ପୂର୍ବତନ ସଭାପତି ଶ୍ରୀ ମୀନ କେତନ ସାମଲ ଉତ୍ତରୀୟ ଓ ପୁଷ୍ପ ମାଳ ଦେଇ ସମ୍ବର୍ଦ୍ଧିତ କରିଥିଲେ ।କେବଳ ଦିଲ୍ଲୀ/ଏନ୍ ସି ଆର ରେ ସୀମିତ ନରହି ପୁରା ଦେଶ/ବିଦେଶରେ ପ୍ରବାସୀ ଓଡ଼ିଆ ଭାଇ ଭଉଣୀ ମାନଙ୍କର ସୁଖ ଦୁଃଖର ସାଥୀ ହୋଇ ଗଠନ ମୂଳକ କାର୍ଯ୍ୟ କରିବା ଦିଗରେ ଅଗ୍ରଣୀ ଭୂମିକା ନେବ ବୋଲି ମଞ୍ଚାସିନ ଅତିଥି ବୃନ୍ଦ ନିର୍ବାଚିତ କର୍ମକର୍ତ୍ତା ଙ୍କୁ ପରାମର୍ଶ ଦେଇଥିଲେ । ମନ୍ଦିରରେ ସମସ୍ତ ସଦସ୍ୟଙ୍କ ପାଇଁ ପ୍ରସାଦର୍ ବ୍ୟବସ୍ଥା କରା ଯାଇଥିଲା ଓ ନିର୍ବାଚିତ ନୂତନ କର୍ମକର୍ତ୍ତା ମାନଙ୍କ ତରଫରୁ ସମସ୍ତଙ୍କୁ ଧନ୍ୟବାଦ୍ ପ୍ରଦାନ କରାଯାଇଥିଲା ।