ନିରାକାରପୁର ୨/୧୨/୨୦୨୨(ଓଡ଼ିଶା ସମାଚାର)- ମାଲବାହୀ ଟ୍ରେନ ଉପରେ ଚଢ଼ି ସେଲଫି ନେବାବେଳେ ୨୫୦୦୦ ଭୋଲ୍ଟ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିବା କଲେଜ ଛାତ୍ରୀ ବନିତା ଙ୍କର ଆଜି ଦିନ ୨ଟା ବେଳେ କଟକ ମେଡିକାଲରେ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ କି ଖୋରଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ମଳିପଡା ରେ ଘରଦ୍ୱାର କରି ରହୁଥିବା ବେଗୁନିଆ ଥାନା ରାଉତପଡା ଗ୍ରାମର ରଞ୍ଜନ ସାହୁଙ୍କ ଝିଅ ବନିତା ସାହୁ ( ଶିଳ୍ପା) ମଳିପଡା କଲେଜ ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରୀ। ସେ ସବୁ ଦିନ ଭୋରୁ ସାଙ୍ଗମାନଙ୍କ ସହିତ ମଳିପଡା ରୁ ତାପଙ୍ଗ ଷ୍ଟେସନ ପର୍ଯ୍ୟନ୍ତ ପ୍ରାତଃ ଭ୍ରମଣରେ ଯାଉଥିଲେ। ସବୁ ଦିନ ଭଳି ଗୁରୁବାର ଦିନ ବି ସାଙ୍ଗ ମାନଙ୍କ ସହିତ ତାପଙ୍ଗ ଷ୍ଟେସନ ପର୍ଯ୍ୟନ୍ତ ଯାଇ ଷ୍ଟେସନରେ ଛିଡ଼ା ହୋଇ ଥିବା ଏକ ମାଲବାହୀ ଟ୍ରେନ ଉପରେ ଚଢ଼ି ନିଜ ମୋବାଇଲରେ ସେଲଫି ନେବାକୁ ଚେଷ୍ଟା କରୁଥିଲା ବେଳେ ଉପରେ ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ଘଟଣା ସ୍ଥଳରେ ଟ୍ରେନ ରୁ ତଳକୁ ଗୁରୁତର ଅବସ୍ଥାରେ ଖସି ପଡ଼ିବାପରେ ଲୋକମାନେ ୧୦୮ ଆମ୍ବୁଲାନ୍ସରେ ପ୍ରଥମେ ଖୋର୍ଦ୍ଧା ପରେ ଭୁବନେଶ୍ୱର ଏମ୍ସ ରେ ଭର୍ତି କରି ଚିକିତ୍ସା କରୁଥିଲେ। ସନ୍ଧ୍ୟାବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ହସପିଟାଲକୁ ସ୍ଥାନାନ୍ତରିତ ହୋଇଥିଲେ। ସେଠାରେ ସେ ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସା ହେବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି।