Sunday , January 29 2023
Breaking News
Home / ବିଶେଷ / ଓଡ଼ିଶୀ ପାଇଁ ସମର୍ପିତ ପତିତପାବନ

ଓଡ଼ିଶୀ ପାଇଁ ସମର୍ପିତ ପତିତପାବନ

ଗଢ଼ିଲେଣି ଶତାଧିକ ଓଡ଼ିଶୀ ନୃତ୍ୟଶିଳ୍ପୀ
ଚଣ୍ଡିଖୋଲ, ୨/୧୨/୨୦୨୨(ଓଡ଼ିଶା ସମାଚାର)- ଓଡ଼ିଶାକୁ ବିଶ୍ୱ ଦରବାରରେ ପରିଚିତ କରାଇଛି ଓଡ଼ିଶୀ ନୃତ୍ୟ । ଜଗନ୍ନାଥ ସଂସ୍କୃତି ସହ ଓଡ଼ିଶୀ ନୃତ୍ୟ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ । ଛାନ୍ଦ,ତାଳ, ଲୟରେ ବାନ୍ଧି ହୋଇ ଓଡ଼ିଶୀ ନୃତ୍ୟ ପ୍ରେମରେ ପଡ଼ିଛନ୍ତି ଅଗଣିତ ବିଦେଶୀ ନାଗରିକ । ଓଡ଼ିଶୀ ନୃତ୍ୟ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିଛି । ଏ ଦିଗରେ ଓଡ଼ିଶୀ ନୃତ୍ୟଗୁରୁମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ରହିଛି । ଓଡ଼ିଶୀ ନୃତ୍ୟର ପ୍ରଚାରପ୍ରସାର କରି ଏହାକୁ ସମୃଦ୍ଧ କରିବାରେ ଲାଗିଛନ୍ତି । ଗଢ଼ି ଚାଲିଛନ୍ତି ନୂଆ ନୂଆ ଓଡ଼ିଶୀ ନୃତ୍ୟଶିଳ୍ପୀ । ଏମିତି ଜଣେ ଓଡ଼ିଶୀ ନୃତ୍ୟଗୁରୁ ହେଉଛନ୍ତି ଗୁରୁଶ୍ରୀ ପତିତପାବନ ସାହୁ । ‘ପୁପି’ ସାର୍ ନାମରେ ପରିଚିତ ହୋଇ ଶହଶହ କୁନି ପ୍ରତିଭାଙ୍କୁ ଓଡ଼ିଶୀ ନୃତ୍ୟରେ ମାହିର୍ କରୁଛନ୍ତି । ମାତ୍ର ୨୭ ବର୍ଷ ବୟସରେ ତାଙ୍କର ଏଭଳି ଉଦ୍ୟମକୁ ସମସ୍ତେ ପ୍ରଶଂସା କରୁଛନ୍ତି । ଯୁବଗୋଷ୍ଠୀଙ୍କ ପାଇଁ ସେ ପ୍ରେରଣାର ଉତ୍ସ ସାଜିଛନ୍ତି ।
ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଖଏରା ଗ୍ରାମର ସ୍ୱର୍ଗତ ହଟକିଶୋର ସାହୁ ଓ ସଞ୍ଜୁକ୍ତା ସାହୁଙ୍କ ଜ୍ୟୋଷ୍ଠପୁତ୍ର ହେଉଛନ୍ତି ପତିତପାବନ ଓରଫ ପୁପି(୨୭) । ପିଲାଦିନେ ବାପାଙ୍କ ସାଙ୍ଗରେ ଏକ ନୃତ୍ୟ ଅନୁଷ୍ଠାନକୁ କୌଣସି କାର୍ଯ୍ୟରେ ଯାଇଥିବା ବେଳେ ସେଠାରେ କୁନିକୁନି ପିଲାମାନେ ଓଡ଼ିଶୀ ନୃତ୍ୟ ଶିଖୁଥିବା ଦେଖିଥିଲେ । ଏହା ତାଙ୍କ ମନରେ ଘର କରିଥିଲା । ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ହେବାକୁ ମନ ବଳାଇଥିଲେ । ପୁଅର ଇଚ୍ଛାକୁ ସମ୍ମାନ ଦେଇ ବାପା ୧୨ ବର୍ଷ ବସୟରେ ତାଙ୍କୁ ଓଡ଼ିଶୀ ନୃତ୍ୟାନୁଷ୍ଠାନରେ ନାଁ ଲେଖାଇଥିଲେ । ଏହାପରଠୁ ଆଉ ପଛକୁ ଫେରିଚାହିଁନାହାଁନ୍ତି ପତିତପାବନ । ଗୁରୁ ବୈଦ୍ୟନାଥ ପ୍ରାଧାନୀ ଠାରୁ ନୃତ୍ୟ ଶିକ୍ଷା କରିଥିଲେ । ଓଡ଼ିଶୀ ନୃତ୍ୟ ପ୍ରତି ରହିଥିବା ଦୁର୍ବଳତା ତାଙ୍କୁ ସଫଳତା ଆଡ଼କୁ ଅଗ୍ରସର କରାଇଥିଲା । ବିଭିନ୍ନ ସ୍ଥାନରେ ନୃତ୍ୟ ପ୍ରଦର୍ଶନ କରି ବେଶ୍ ପ୍ରଶଂସା ସାଉଁଟିଥିଲେ । ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ସେ ପ୍ରାୟ ୧୦ ଥର ପ୍ରଥମ ସ୍ଥାନ ଅଧିକାର କରି ସମସ୍ତଙ୍କ ନଜରକୁ ଆସିଥିଲେ । ରାଜ୍ୟସ୍ତରୀୟ ନୃତ୍ୟ ପ୍ରତିଯୋଗିତାରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିବା ସହ ପୁରସ୍କୃତ ମଧ୍ୟ ହୋଇଛନ୍ତି । ଏତିକିରେ ସେ ଅଟକି ନଯାଇ ଦେଶବିଦେଶରେ ନାଁ କମାଇବାକୁ ଉଦ୍ୟମ ଚଳାଇଛନ୍ତି । ଓଡ଼ିଶୀ ନୃତ୍ୟ ପ୍ରତି ସମର୍ପଣ ଭାବ ନେଇ ସେ ଆଗେଇ ଚାଲିଛନ୍ତି । ଏହାର ପ୍ରଚାରପ୍ରସାରରେ ନିଜକୁ ନିୟୋଜିତ ମଧ୍ୟ ରଖିଛନ୍ତି । କୁନିକୁନି ପିଲାଙ୍କୁ ଓଡ଼ିଶୀ ନୃତ୍ୟ ଶିକ୍ଷା ଦେଉଛନ୍ତି । ତାଙ୍କରିଠାରୁ ନୃତ୍ୟ ଶିକ୍ଷା କରୁଥିବା ଅନେକ କୁନି ପ୍ରତିଭା ମଧ୍ୟ ରାଜ୍ୟ ତଥା ଜାତୀୟ ସ୍ତରରେ ସଫଳତା ସାଉଁଟିଛନ୍ତି । ଓଡ଼ିଶୀ ନୃତ୍ୟ ପାଇଁ ସାରା ଜୀବନ ଉତ୍ସର୍ଗ କରିବାକୁ ଅଙ୍ଗୀକାର ବଦ୍ଧ ହୋଇଥିବା କହିଛନ୍ତି ଗୁରୁଶ୍ରୀ ପତିତପାବନ ସାହୁ । ଯୁବ ବୟସରେ ଏଭଳି ଉଦ୍ୟମକୁ ନୃତ୍ୟପ୍ରେମୀ ପ୍ରଶଂସା କରିବା ସହ ତାଙ୍କର ଉତରୋରର ଉନ୍ନତି କାମନା କରୁଛନ୍ତି ।

Leave a Reply

Your email address will not be published.