କେନ୍ଦ୍ରାପଡ଼ା, ୦୧/୧୨/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଂଘର ଏକ ବନ୍ଧୁ ମିଳିନ ସମାବେଶ ସଂଘର ସାଧାରଣ ସମ୍ପାଦକ ଗଣେଶ୍ୱର ମେକାପଙ୍କ ପରିଚାଳନାରେ ପୌରାଂଚଳ ଅନ୍ତର୍ଗତ ବଡବାରଙ୍ଗ ଗ୍ରାମର ମା’ବାରେଙ୍ଗଇଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଂଘର ଉପସଭାପତି ଦୁର୍ଯେ୍ୟାଧନ ସେଠୀଙ୍କ ପୌରହିତ୍ୟରେ ଦିବଂଗତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଉଦିତନଗର ଶାଖାର ପରିଚାଳକ ତଥା ବଡବାରଙ୍ଗ ଗ୍ରାମର ଅଧିବାସୀ ସ୍ୱର୍ଗତ ଶାରଦା ପ୍ରସନ୍ନ ବେହେରାଙ୍କ ଅକାଳ ବିୟୋଗରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ତାଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା । ଅବସର ପରେ ବ୍ୟାଙ୍କ କର୍ମଚାରୀମାନଙ୍କ ଏଭଳି ବନ୍ଧୁ ମିଳନ ସମାବେଶରେ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନରେ ବହୁ ମାନସିକ ଶାନ୍ତି ମିଳୁଥିବା କଥା ସଂଘର କୋଷାଧ୍ୟକ୍ଷ ଗୌରାଙ୍ଗ ଚରଣ ସାହୁ ପ୍ରକାଶ କରିଥିଲେ । ଅବସର ପରେ ଆଧ୍ୟାତ୍ମିକ ପରିବେଶ ଓ ଭଗବତ୍ ଚିନ୍ତନ ହିଁ ଏକମାତ୍ର ମାନସିକ ଶାନ୍ତି ଦେବ ବୋଲି ସଂଘର ବରିଷ୍ଠ ସଦସ୍ୟ ଅତୁଲ ଚନ୍ଦ୍ର ଗିରି ସଭ୍ୟମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ବନ୍ଧୁ ମିଳନ ସମାବେଶରେ କ୍ଷୀରୋଦ ଚନ୍ଦ୍ର ବେହେରା, ଭୀମସେନ ଦାସ, ମହେନ୍ଦ୍ର କୁମାର ମିଶ୍ର, ସୁନାକର ଜେନା, ପ୍ରମୋଦ ସାହାଣୀ, ସୌର ପ୍ରସାଦ ତ୍ରିପାଠୀ, ଶରତ କୁମାର ମୁଦୁଲି, ନିତ୍ୟାନନ୍ଦ ମହାନ୍ତି, ରାମଚନ୍ଦ୍ର ସେଠୀ ପ୍ରମୁଖ ଯୋଗଦେଇଥିଲେ । ଏହି ବନ୍ଧୁ ମିଳନ ସମାବେଶର ସଫଳତା ପାଇଁ ସମ୍ପାଦକ ଶ୍ରୀ ମେକାପ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।