ମାର୍ଗଶୀର ମାସ ଶୁକ୍ଳ ଷଷ୍ଠୀ ତିଥିରେ ପାଳିତ ହୁଏ ଶ୍ରୀମନ୍ଦିରରେ ପବିତ୍ର ଓଢ଼ଣୀ ଷଷ୍ଠୀ ଯାତ୍ରା । ମହାପ୍ରଭୁଙ୍କର ମାନବୀୟ ଲୀଳା ଖେଳର ଅଂଶ ବିଶେଷ ପ୍ରବରଣ ବା ଓଢଣୀ ଷଷ୍ଠୀ ନୀତି । ଶୀତରୁ ରକ୍ଷା ପାଇବା ପାଇଁ ମହାପ୍ରଭୁଙ୍କୁ ଏହି ଦିନ ଠାରୁ ଘୋଡାଲାଗି କରାଯାଏ । ସପ୍ତାହକୁ ସାତ ରଙ୍ଗର ଘୋଡାଲାଗି ହୋଇଥାଏ । ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ନୀତି ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ଚୂଡାନ୍ତ ହୋଇଥାଏ । ମହାପ୍ରଭୁ ଶୀତରୁ ରକ୍ଷା ପାଇବା ପାଇଁ ଏହି ଦିନ ଠାରୁ ଶୀତ ବସ୍ତ୍ର ପରିଧାନ କରିଥାନ୍ତି । ଏହି ଯାତ୍ରା ପାଇଁ ଲୋଡ଼ା ପଡ଼େ ମହାପ୍ରଭୁଙ୍କ ଅତି ପ୍ରିୟ ଗୀତଗୋବିନ୍ଦ ଖଣ୍ଡୁଆ ପାଟ । ସପ୍ତାହରେ ବ୍ୟବହୃତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ସାତ ରଙ୍ଗର ପାଟ ରବିବାର ଲାଲ, ସୋମବାର ଧଳା ସହ କଳା ରଙ୍ଗର ଛିଟ, ମଙ୍ଗଳବାର ବାରପାଟିଆ, ବୁଧବାର ଶାଗୁଆ, ଗୁରୁବାର ହଳଦିଆ, ଶୁକ୍ରବାର ଧଳା ପାଟରେ ଲାଲ ରଙ୍ଗର କୁମ୍ଭ, ଶନିବାର କଳା କିମ୍ବା ନୀଳ ରଙ୍ଗର ପାଟ ମହାପ୍ରଭୁଙ୍କୁ ଲାଗି ହୋଇଥାଏ । କଟକ ଜିଲ୍ଲା ତିଗିରିଆ ବ୍ଲକର ପ୍ରସିଦ୍ଧ ହସ୍ତତନ୍ତ ଗ୍ରାମ ନୂଆପାଟଣାରେ ଅତ୍ୟନ୍ତ ନିଷ୍ଠାର ସହ ଏହି ପାଟ ତିଆରି ହୋଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରଶାସନ ନିକଟରେ ପହଞ୍ଚାଇ ଦିଆଯାଏ । ଏହି ପାଟ ପ୍ରସ୍ତୁତି ସମୟରେ ବିଶ୍ୱନାଥଙ୍କ ପରିବାର ହବିଶାନ୍ନ ଭକ୍ଷଣ କରିବା ସହ ସମସ୍ତ ନୀତିନିୟମ ପାଳନ କରନ୍ତି । ପୁରୁଷାନୁକ୍ରମେ ଶ୍ରୀମନ୍ଦିର ପ୍ରଶାସନକୁ ବିଶ୍ୱନାଥଙ୍କ ପରିବାର ପକ୍ଷରୁ ଏହି ସେବା ଯୋଗାଇ ଦିଆଯାଉଛି । ପ୍ରଥମେ ବିଶ୍ୱନାଥଙ୍କ ବଡ଼ ଜେଜେ ସ୍ବର୍ଗତ କାଳିନ୍ଦୀ କଟୁଆଳ, ଜେଜେ ସ୍ବର୍ଗତ ଗୋପୀନାଥ ଗୁଇଁ ଓ ବାପା ସ୍ବର୍ଗତ ସୁଦାମ ଗୁଇଁ ଏହି ସେବା ଯୋଗାଇ ଆସୁଥିଲେ । ୧୯୯୬ ମସିହାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବର ସମୟରୁ ବିଶ୍ୱନାଥ ନିଜେ ଶ୍ରୀମନ୍ଦିରକୁ ଏହି ସେବା ଯୋଗାଇ ଆସୁଛନ୍ତି ।