Sunday , January 29 2023
Breaking News
Home / ବିଶେଷ / ରାସ୍ତା ଓ ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ଭୁବନ ଏନଏସି କୁ ୧୨ କୋଟି ଟଙ୍କା ମଞ୍ଜୁର

ରାସ୍ତା ଓ ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ଭୁବନ ଏନଏସି କୁ ୧୨ କୋଟି ଟଙ୍କା ମଞ୍ଜୁର

ପୂର୍ତ ମନ୍ତ୍ରୀ ଓ ସାଂସଦ ଙ୍କୁ କୃତଜ୍ଞତା ଜଣାଇଲେ ନଗରପାଳ –  ବିକାଶ ପଥରେ ଭୁବନ ଏନଏସି
ଭୁବନ ୨୯/୧୧/୨୦୨୨(ଓଡ଼ିଶା ସମାଚାର)- ଭୁବନ ଏନଏସି ର ନୂତନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ନିରନ୍ତର ପ୍ରୟାସ ଯୋଗୁ ପାନୀୟ ଜଳ ସମସ୍ୟା ଓ ରାସ୍ତା ଦୁର୍ଦ୍ଧଶାର ପରିସମାପ୍ତି ଘଟିବାକୁ ଯାଉଛି । ଏହି ଦୁଇଗୋଟି ସମସ୍ୟାର ସମାଧାନ ପାଇଁ ୧୨ କୋଟି ଟଙ୍କା ମଞ୍ଜୁର ହୋଇଥିବା ଜଣାପଡିଛି । ଏଥି ସକାଶେ ଭୁବନ ପାରିଷଦ ବର୍ଗ ଓ ନଗରପାଳ ଙ୍କ ତରଫରୁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏବଂ ସାଂସଦ ମହେଶ ସାହୁ ଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଭୁବନ ଏନଏସିରେ ପାନୀୟ ଜଳ ସମସ୍ୟା ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ଏନଏସି ର ଅଧା ଅଂଚଳ ନିୟମିତ ଏବଂ ଆବଶ୍ୟକ ମୂତାବକ ପାଣି ପାଇପାରୁନାହାନ୍ତି । ତଳିଆ ଅଂଚଳ ମାନଙ୍କରେ ପାନୀୟ ଜଳ ସମସ୍ୟା ସର୍ବଦା ଲାଗିରହୁଛି । ଜନସ୍ୱାସ୍ଥ୍ୟ ବିଭାଗ ଯୋଗାଉଥିବା ପାଣି ସେଠାରେ ଠିକରେ ପହଁଚି ପାରୁନାହିଁ ଓ ଲୋକେ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି । ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଦୀର୍ଘ ୮ ମାସ ହେଲା ପ୍ରୟାସ ଜାରି ରଖି ଏବେ ସଫଳ ହୋଇଛନ୍ତି । ମିଳିଥିବା ସୂଚନାରୁ ପ୍ରକାଶ ଯେ ,ବସଷ୍ଟାଣ୍ଡ ଠାରୁ ନୂଆ ଭୁବନ ଏବଂ ପୋଥାଳ ସାହି , ରାଉତ ସାହି ଅଂଚଳକୁ ପାନୀୟ ଜଳ ଯୋଗାଣ ନିମନ୍ତେ ୧ କୋଟି ୩୭ ହଜାର ଟଙ୍କା ମଞ୍ଜୁର ହୋଇଛି । ଏ ସଂପର୍କରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ (ଜନସ୍ୱାସ୍ଥ୍ୟ) ଚିଠି ନଂ -୨୬୮୫ ତା ୨୦.୦୭.୨୦୨୨ ରେ ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀ ଙ୍କୁ ସୂଚନା ଦେଇଛନ୍ତି । ଅନୁରୂପ ଭାବେ ନୂଆ ଭୁବନରେ ଆଉ ଏକ ପମ୍ପ ହାଉସ ଓ ୩ ଲକ୍ଷ ଲିଟର କ୍ଷମତା ସଂପନ୍ନ ପାଣି ଟାଙ୍କି ନିର୍ମାଣ ପାଇଁ ୧ କୋଟି ୬୫ ଲକ୍ଷ ୫୩ ହଜାର ଟଙ୍କା ମଞ୍ଜୁର ହୋଇଛି । ଏଥି ପାଇଁ ଗତ ତା୧୯.୦୮.୨୦୨୨ ରିଖ ଠାରୁ ୨୨.୦୮.୨୦୨୨ ରିଖ ପର୍ଯ୍ୟନ୍ତ ଟେଣ୍ଡର ଆହ୍ୱାନ କରାଯାଇଥିଲା ।
ଟେଣ୍ଡର ପ୍ରକ୍ରିୟା ଶେଷ ହୋଇ ଠିକାଦାର ଚୟନ ହୋଇଛି ଓ ଖୁବ ଶୀଘ୍ର କାମ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଅନ୍ୟ ଏକ ପ୍ରମୁଖ ତଥା ସହରବାସୀ ଙ୍କ ପାଇଁ ମୁଖ୍ୟ ସମସ୍ୟା ହେଉଛି ସହରର ମୁଖ୍ୟ ରାସ୍ତା । ୫୩ ନମ୍ବର ଜାତୀୟ ରାଜପଥ ୪ ଥାକିଆ ହେଲା ପରେ ନୀଳମାଧବ ପେଟ୍ରୋଲ ପମ୍ପ ଠାରୁ କାଳୀ ବଜାର ଦେଇ କୋର୍ଟ ଛକ ପର୍ଯ୍ୟନ୍ତ ୩ କିମି ରାସ୍ତା ମରଣଯନ୍ତା ପାଲଟିଥିଲା । ଦଶହରା ପୂର୍ବରୁ ନାମକୁ ମାତ୍ର ମରାମତି କରାଯାଇ ରାସ୍ତାକୁ ଚଳନୀୟ କରାଯାଇଥିଲା । ଏହି ରାସ୍ତା ପାଇଁ ଅତୀତରେ ଅନେକ ଆନ୍ଦୋଳନ ହୋଇଥିଲା ଓ ବରିଷ୍ଠ ନାଗରିକ ମାନେ ଅନଶନ , ଗଣଧାରଣା ମଧ୍ୟ ଦେଇଥିଲେ । ୫୩ ନମ୍ବର ଜାତୀୟ ରାଜପଥର କୋର୍ଟ ଛକ ଠାରୁ ନୀଳମାଧବ ପେଟ୍ରୋଲ ପମ୍ପ ୩ କିମି ରାସ୍ତା ନିର୍ମାଣ ସକାଶେ ୯ କୋଟି ୨୩ ଲକ୍ଷ ୩୧ ହଜାର ୧୯୮ ଟଙ୍କା ମଞ୍ଜୁର ହୋଇଥିବା ସଂପର୍କରେ ଢେଙ୍କାନାଳ ରାସ୍ତା ଓ ଗୃହ ନିର୍ମାଣ ମୁଖ୍ୟ ଯନ୍ତ୍ରୀ ସୂଚନା ଦେଇଛନ୍ତି । ଏହି ରାସ୍ତା ନିର୍ମାଣ ପାଇଁ ଗତ ତା ୧୯.୧୧.୨୦୨୨ ଠାରୁ ଆସନ୍ତା ୩.୧୨.୨୦୨୨ ପର୍ଯ୍ୟନ୍ତ ଟେଣ୍ଡର ପ୍ରକ୍ରିୟା ଚାଲୁ ରହିଛି । ଏହା ପରେ ଠିକାଦାର ଚୟନ କରାଯାଇ ନୂତନ ବର୍ଷ ପୂର୍ବରୁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଭୁବନ ଏନଏସି ରେ ରାସ୍ତା ଓ ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ନଗରପାଳ ଙ୍କ ପ୍ରୟାସ ,ମାନ୍ୟବର ମନ୍ତ୍ରୀ ଙ୍କ ଉଦ୍ୟମ ଓ ସାଂସଦ ଙ୍କ ସହଯୋଗ ପାଇଁ ୧୨ କୋଟି ଟଙ୍କା ମଞ୍ଜୁର ହୋଇଥିବାରୁ ସଚେତନ ନାଗରିକ ଓ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି ଏବଂ ବିକାଶ ପଥରେ ଭୁବନ ଏନଏସି ବୋଲି ଚର୍ଚ୍ଚା ହେଉଛି ।

Leave a Reply

Your email address will not be published.