ବ୍ରହ୍ମପୁର, ୨୮/୧୧/୨୦୨୨(ଓଡ଼ିଶା ସମାଚାର)- ବ୍ରହ୍ମପୁର ଏସ୍ଡିଜେଏମ୍ କୋର୍ଟରେ ସୋମବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। କୋର୍ଟ ରୁମ୍ରେ ଏକ ମାମଲାର ଶୁଣାଣି ଚାଲିଥିଲା ବେଳେ ଏସ୍ଡିଜେଏମ୍ଙ୍କୁ ଜଣେ ଯୁବକ ଛୁରିରେ ଆକ୍ରମଣ ଉଦ୍ୟମ କରିଛି। ଉପସ୍ଥିତ କର୍ମଚାରୀମାନେ ଅଭିଯୁକ୍ତ ଯୁବକକୁ କାବୁ କରି ବୈଦ୍ୟନାଥପୁର ପୋଲିସ ନିକଟରେ ଜିମା ଦେଇଛନ୍ତି। ପୋଲିସ ଅଭିଯୁକ୍ତ ଭଗବାନ ସାହୁକୁ ଅଟକ ରଖି ପଚରାଉଚରା କରୁଛି।
ସୂଚନା ଅନୁସାରେ ଏସ୍ଡିଜେଏମ୍ ପ୍ରଜ୍ଞା ପାରମିତା ପ୍ରତିହାରୀ ଆଜି ଅପରାହ୍ନ ପ୍ରାୟ ୩ଟାରେ ମାମଲାଗୁଡ଼ିକର ଶୁଣାଣି ପାଇଁ ତାଙ୍କର କୋର୍ଟ ରୁମ୍ରେ ବସିଥିଲେ। ଏହି ସମୟରେ ତାଙ୍କ ପୁରୁଣା ବ୍ରହ୍ମପୁର ଅଞ୍ଚଳର ଭଗବାନ ସାହୁ ନାମକ ଜଣେ ଯୁବକ ଡାଇସ ଉପରକୁ ଚଢ଼ି ଯାଇଥିଲା। ସେ ଆଣିଥିବା ଛୁରିରେ ଆକ୍ରମଣ ପାଇଁ ଉଦ୍ୟମ କରିଥିଲା। ଯୁବକର ଉନ୍ମୁକ୍ତ କାଣ୍ଡ ଯୋଗୁଁ ଏସ୍ଡିଜେଏମ୍ ଭୟଭୀତ ହୋଇଯାଇଥିଲେ। ସେହି ପାଖରେ ଥିବା ଆଇନଜୀବୀ ମୃତ୍ୟୁଞ୍ଜୟ ମହାରଣା ଓ କୋର୍ଟର ଅନ୍ୟ ଜଣେ ମହିଳା କର୍ମଚାରୀଙ୍କ ସହାୟତାରେ ତଳକୁ ଡେଇଁପଡ଼ିଥିଲେ। ଅନ୍ୟପଟରେ ସଫେଇ କର୍ମଚାରୀ ଶଙ୍କର ରାଓ ଦୌଡ଼ିଯାଇ ଜଜ ଙ୍କୁ ରକ୍ଷାକରିବାକୁ ଉଦ୍ୟମ କରିଥିଲେ। ସେ ଦୌଡ଼ିଯାଇ ଯୁବକଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ। ପରେ ଉପସ୍ଥିତ କର୍ମଚାରୀମାନେ ଯୁବକକୁ କାବୁ କରିଥିଲେ। କୋର୍ଟ ସହାୟକ ନିରୀକ୍ଷକ (ସିଏସ୍ଆଇ) କାର୍ଯ୍ୟାଳୟର କର୍ମାରୀମାନେ ଅଭିଯୁକ୍ତ ଭଗବାନ ସାହୁକୁ ବୈଦ୍ୟନାଥପୁର ଥାନାରେ ଜିମା ଦେଇଥିଲେ। ସୂଚନା ପାଇଁ ବ୍ରହ୍ମପୁର ଏସ୍ପି ଶରବଣା ବିବେକ ଏମ୍ ଘଟଣାସ୍ଥଲରେ ପହଞ୍ଚି ତଦନ୍ତ କରୁଛନ୍ତି । ତେବେ ଯୁବକ ଜଣକ ନିଶାସକ୍ତ କି ମାନସିକ ବିକୃତ ସେ ସଂପର୍କରେ ଜଣାପଡ଼ିନାହିଁ। ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ। ତେବେ କେଉଁ କାରଣରୁ ଯୁବକ ଜଣଙ୍କ ଏମିତି କରିଛନ୍ତି ତାହା ଜଣାପଡିନି । ପୋଲିସ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ।