ଭୁବନେଶ୍ୱର, ୨୬/୧୧/୨୦୨୨(ଓଡ଼ିଶା ସମାଚାର)- ଭୁବନେଶ୍ୱର ମାଷ୍ଟର କ୍ୟାନଟିନ୍ ଛକଠାରେ ସଂଯୁକ୍ତ ରୋଜଗାର ଆନ୍ଦୋଳନ ସମିତି ପକ୍ଷରୁ ଦେଶରେ ଖାଲି ପଡ଼ିଥିବା ୬୦ ଲକ୍ଷ ସରକାରୀ ପଦବୀକୁ ପୂରଣ କରିବା ଏବଂ ବେରୋଜଗାର ସମସ୍ୟାର ସମାଧାନ ପାଇଁ ରାଷ୍ଟ୍ରୀୟ ବେରୋଜଗାର ଆଇନ ପ୍ରଣୟନ କରିବା ଦାବିରେ ବିକ୍ଷୋଭ ପ୍ରଦଶର୍ନ କରାଯାଇଥିଲା । ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଦେଶରେ ବେକାରୀ ସମସ୍ୟା ଚରମ ସୀମାରେ ରହିଛି । ଏପରି ପରିସ୍ଥିତିରେ ଜଣେ ବ୍ୟକ୍ତି କିପରି ନିଜ ପରିବାରର ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ରକ୍ଷଣା ବେକ୍ଷଣର ଯତ୍ନ ନେଇପାରିବ । ରାଷ୍ଟ୍ର ନିର୍ମାଣରେ ସେ କିପରି ଅଂଶଗ୍ରହଣ କରିପାରିବ? ଆଜିର ଯୁଗରେ ରୋଜଗାର କେବଳ ଖାଦ୍ୟ, ପୋଷାକ, ଆଶ୍ରୟ ପରି ମୌଳିକ ଆବଶ୍ୟକତା ପୂରଣ କରେ ନାହିଁ ବରଂ ରାଷ୍ଟ୍ର ନିର୍ମାଣରେ ମଧ୍ୟ ସାହାଯ୍ୟ କରେ । ବେରୋଜଗାର ଦ୍ୱାରା ଆତ୍ମ ସନ୍ତୋଷ ଏବଂ ଆତ୍ମସମ୍ମାନ ମଧ୍ୟ ସମ୍ପନ୍ନ ହୁଏ ।
ଆଜି ଦେଶର ଛାତ୍ର, ଯୁବକ, କୃଷକ, ଶ୍ରମିକମାନେ ସମସ୍ତେ ଚାକିରୀ ଦାବି କରୁଛନ୍ତି । ଦୈନିକ ମଜୁରୀ ନ ପାଇ ସେମାନେ ଆନ୍ଦୋଳନ କରୁଛନ୍ତି । ଅନେକ ଲୋକ ବାଧ୍ୟତାମୂଳକ ଭାବେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି । ଆଜି ଦେଶରେ ବିଭିନ୍ନ ବିଭାଗରେ ପ୍ରାୟ ୬୦ ଲକ୍ଷ ସରକାରୀ ପଦବୀ ଖାଲି ପଡ଼ିଛି । ଯେଉଁ ପଦବୀଗୁଡ଼ିକ ଉପରେ ଯଥାଶୀଘ୍ର ନିଯୁକ୍ତି ଦିଆଯିବାର ଆବଶ୍ୟକତା ଅଛି । ଆଜିକାଲି ସମଗ୍ର ଦେଶ ଦେଖିଛି ଯେ, ଉତରପ୍ରଦେଶ, ଦିଲ୍ଲୀ, ମହାରାଷ୍ଟ୍ର, ବିହାର, ମଧ୍ୟପ୍ରଦେଶ ଇତ୍ୟାଦି ରେଳବାଇ, ଏସଏସସି, ୟୁପିଏସସି, କେନ୍ଦ୍ରୀୟ ପୋଲିସ୍ ଫୋର୍ସ, ଆରବିଆଇ,ଏନଟିପିସି ଏବଂ ରାଜ୍ୟର ବିଭିନ୍ନ ନିଯୁକ୍ତି ନେଇ ଆନ୍ଦୋଳନ ହୋଇଥିଲା । କିନ୍ତୁ ଯୁବପିଢିଙ୍କ ସହ ଆଲୋଚନା କରିବା ପରିବର୍ତେ ସରକାର ସେମାନଙ୍କ ଉପରେ ଲାଠିଚାଳନା କରିଥିଲେ । ଏଥିରୁ ଜଣାପଡୁଛି ଯେ, ନିଯୁକ୍ତି ସମ୍ବନ୍ଧରେ ସରକାର କିଛି କରିବାକୁ ଯୋଜନା କରିନାହାଁନ୍ତି । ଅକ୍ଟୋବର ୫, ୨୦୧୮ରେ ‘ଜାତୀୟ ନିଯୁକ୍ତି ନୀତି’ ଗଠନ ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ । ସୁଯୋଗର ଉନ୍ନତି ପାଇଁ ଏକ ରୋଡ଼ ମାନଚିତ୍ର ପ୍ରସ୍ତୁତ କରିବାକୁ ନିଷ୍ପତି ନେଇଥିଲେ । ୨୫ ଅକ୍ଟୋବର ୨୦୨୧ରେ ଜାତୀୟ ରୋଜଗାର ନୀତିର ଡ୍ରାଫ୍ଟ ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିଥିଲେ । ୨୦ ଡିସେମ୍ବର ୨୦୨୧ରେ ‘ଦେଶ କି ବାତ ଫାଉଣ୍ଡେସନ’ ଦ୍ୱାରା କେନ୍ଦ୍ର ସରକାରଙ୍କୁ ଏକ ସ୍ମାରକ ପତ୍ର ପଠାଇଥିଲେ । ଯେଉଁଥିରେ ବେକାରୀ ସମସ୍ୟା ସମାଧାନ ପାଇଁ ରାଷ୍ଟ୍ରୀୟ ରୋଜଗାରର ନୀତି ଚିଠା ସଂଲଗ୍ନ କରାଯାଇଥିଲା । ଯେଉଁଥିରେ ଛାତ୍ର, ଯୁବକ, ମହିଳା, କୃଷକ, ଶ୍ରମିକ ଆଦି ତମାମ ବର୍ଗଙ୍କ ରୋଜଗାର ସମ୍ପର୍କରେ କୁହାଯାଇଛି । ତାହାକୁ କାର୍ଯ୍ୟକାରୀ କରିବା ପାଇଁ ସଂଗଠନ ପକ୍ଷରୁ ଅଗଷ୍ଟ ୧୬ରୁ ୨୨ ଦିଲ୍ଲୀ ନନ୍ଦ ନଗରୀଠାରେ ଅନଶନ କରାଯାଇଥିଲା । କିନ୍ତୁ ଦିଲ୍ଲୀ ପୋଲିସ୍ ସମସ୍ତ ଆନ୍ଦୋଳନକାରୀଙ୍କୁ ଗିରଫ କରିଥିଲେ । ଆଜି ଦେଶର ବିଭିନ୍ନ ରାଜ୍ୟରେ ୬ଶହରୁ ଅଧିକ ସ୍ଥାନରେ ଏହି ବିକ୍ଷୋଭ କରାଯାଇଛି । ଯଦି ଚଳିତ ସଂସଦ ଅଧିବେଶନରେ ରାଷ୍ଟ୍ରୀୟ ରୋଜଗାର ନୀତି ଲାଗୁ କରାନଯାଏ, ତେବେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି । ଦେଶ କି ବାତ ଫାଉଣ୍ଡେସନର ରାଜ୍ୟ ସଂଯୋଜକ ରଞ୍ଜନ ମିଶ୍ର ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିବା ବେଳେ ସରୋଜ ଶତପଥୀ, ସଂଗ୍ରାମ ଷଡ଼ଙ୍ଗୀ, ସିତାଂଶୁ ନାଏକ, ଶ୍ରମିକ ନେତା ରାଜେନ୍ଦ୍ର ପ୍ରସାଦ ବାରିକ ପ୍ରମୁଖ ବକ୍ତବ୍ୟ ରଖିବା ସହ ବିଭିନ୍ନ ସଂଗଠନର ବହୁ ସଦସ୍ୟ ଉପସ୍ଥିତ ଥିଲେ ।