କେନ୍ଦ୍ରାପଡ଼ା, ୨୬/୧୧/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପକ୍ଷରୁ ଜାତୀୟ ସମ୍ବିଧାନ ଦିବସ ପାଳନ ଅବସରରେ ‘ଭାରତ ଗଣତନ୍ତ୍ରର ଜନନୀ’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିବା ସହ ସ୍ୱାଗତ ସମ୍ଭାଷଣ ରଖିଥିଲେ । ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ବେହେରା ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ଭାରତୀୟ ସମ୍ବିଧାନର ପ୍ରସ୍ତାବନା ପାଠ କରାଇଥିଲେ । ପ୍ରଫେସର ନନ୍ଦ କିଶୋର ପରିଡା ଓ ପ୍ରଫେସର ଡଃ. ପ୍ରଦୀପ୍ତ କିଶୋର ଦାସ ବୈଠକରେ ମୁଖ୍ୟବକ୍ତା ଏବଂ ସମ୍ମାନୀତ ବକ୍ତା ଭାବେ ଯୋଗଦେଇଥିଲେ । ପ୍ରଫେସର ପରିଡା ଭାରତୀୟ ଇତିହାସ ଓ ସଂସ୍କୃତିରେ ଭରି ରହିଥିବା ଗଣତାନ୍ତ୍ରିକ ଉପାଦାନ ମାନଙ୍କ ବିଷୟରେ ଆଲୋକପାତ କରିଥିଲେ । ପ୍ରଫେସର ଦାସ ସାଂପ୍ରତିକ ପରିସ୍ଥିତିରେ ଭାରତୀୟ ସମ୍ବିଧାନ ପ୍ରତି ଥିବା ଆହ୍ୱାନ ଉପରେ ବିଶ୍ଳେଷଣ କରିବା ସହ ସମ୍ବିଧାନର ସଠିକ କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ କରିଥିଲେ । ରାଜନୀତି ବିଜ୍ଞାନର ଅଧ୍ୟାପକ ପ୍ରଶାନ୍ତ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପକ ପ୍ରଫେସର ଡଃ. ଦେବେନ୍ଦ୍ରନାଥ ଗୋଛାୟତ, ପ୍ରଫେସର ସଞ୍ଜୀବ କୁମାର ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ରାଜନୀତି ବିଜ୍ଞାନର ଅଧ୍ୟାପିକା ଆର୍ଶିଆ ଅଞ୍ଜୁମ ସଭା ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।