ଗରଦପୁର, ୨୫/୧୧/୨୦୨୨(ଓଡ଼ିଶା ସମାଚାର)-ପାଟକୁରା ଥାନା ପଛପଟ ମୁସଲିମ ବସ୍ତିରେ ଥିବା ଅବ୍ଦୁଲ ରସିଦ ଖାଁ ଙ୍କ ଘରୁ ଗତ ବୁଧବାର ବିଳମ୍ବିତ ରାତିରେ ଚୋରୀ ହୋଇଥିଲା । ଦୁର୍ବୃତମାନେ ଏକ ସିଢ଼ି ମାଧ୍ୟମରେ ଘରର ଛାତ ଉପରକୁ ଚଢ଼ି ସିଡ଼ି ଦେଇ ଘର ଭିତରେ ପ୍ରବେଶ କରିଥିଲେ । ରସିଦ ଙ୍କ ଦୁଇଟି ପ୍ରକୋଷ୍ଠ ରେ ଥିବା ବାକ୍ସ ଓ ଗଡ଼ରେଜ ଭାଙ୍ଗି ସେଥିରେ ଥିବା ନଗଦ ଦେଢ଼ ଲକ୍ଷ ଟଙ୍କା ସମେତ ୫ ଭରି ସୁନା ଅଳଙ୍କାର ଓ ଅନ୍ୟ ଆସବାବ ପତ୍ର ଚୋରାଇ ନେଇ ଫେରାର ହୋଇ ଯାଇଥିଲେ । ରସିଦ ରାତି ୨ ଟା ୪୫ ରେ ପରିସ୍ରା କରିବା ପାଇଁ ଉଠିବାରୁ ଘର ଭିତରୁ ଚୋରୀ ହୋଇଥିବା ଜାଣି ତତକ୍ଷଣାତ୍ ନିକଟସ୍ଥ ପାଟକୁରା ଥାନାକୁ ଯାଇ ପୋଲିସ୫ କୁ ଖବର ଦେଇଥିଲେ ।
ପରେ ରସିଦ ଙ୍କ ଲିଖିତ ଅଭିଯୋଗ ଉପରେ ପୋଲିସ ଏକ ଚୋରୀ ମାମଲା ରୁଜୁକରି ତଦନ୍ତ ଚଳାଇଛି । ଘଟଣାସ୍ଥଳକୁ ଆସି ତଦନ୍ତ କରିବା ସହିତ ଚୋରୀ ରେ ବ୍ୟବହୃତ ହୋଇଥିବା ସିଢ଼ି ଓ ଭଙ୍ଗା ବାକ୍ସ କୁ ଜବତ କରିଛି । ବଜାରରେ ଥିବା ଗୋପିନାଥ ଏଆର ଭଏସ ମୋବାଇଲ ଦୋକାନ ଓ ତ୍ରିନାଥ ଗୋଖାଦ୍ୟ ଭଣ୍ଡାର ରେ ଲାଗିଥିବା ସିସିଟିଭି ଫୁଟେଜ କୁ ଯାଂଚ କରିଛି । ବୁଧବାର ରାତି ୧୨ ଟା ୪୫ ରେ ୩ ଜଣ ଦୁର୍ବୃତ ରସିଦ ଖାଁ ଙ୍କ ଘର ସମ୍ମୁଖରେ ଥିବା ଅବ୍ଦୁଲ ରହେମନ୍ ଙ୍କ ଚିକେନ୍ ଦୋକାନ ର କବାଟ ଭାଙ୍ଗି ପ୍ରବେଶ କରିଥିବା ସିସିଟିଭି ଫୁଟେଜରେ ଦେଖାଯାଇଛି ।
ଚିକେନ୍ ଦୋକାନ ତାଡ଼ି ବାକ୍ସ ରେ ଥିବା ମାତ୍ର ୭୦ ଟଙ୍କା, କେତୋଟି କୁକୁଡ଼ା ଅଣ୍ଡା ସହିତ କୁକୁଡ଼ା କଟା ଚାପଡ଼ ଦୁର୍ବୃତମାନେ ନେଇଯାଇଥିବା ଅବ୍ଦୁଲ ରହେମାନ ଅଭିଯୋଗ କରିଛନ୍ତି । ପରେ ଅଜୋ ମିଆଁ ଙ୍କ ଘରେ ପସିବାକୁ ଉଦ୍ୟମ କରି ବିଫଳ ହୋଇ ତାଙ୍କ ପାଇଖାନା ନିକଟରେ ଥିବା ଏକ ଠେଙ୍ଗା ବାଡ଼ିକୁ ନେବା ପରେ ପରେ ରସିଦ ଙ୍କ ଘରେ ପସି ବଡ଼ ଧରଣର ଚୋରୀ କରିବାକୁ ସକ୍ଷମ ହୋଇଥିବା ପୋଲିସ ସନ୍ଦେହ କରୁଛି । ଗତ ସୋମବାର ରାତିରେ ନୂଆପଡ଼ା ଚୋରୀ , ମଙ୍ଗଳବାର ରାତି ଅନ୍ତେଇ ଗ୍ରାମର ୩ ଜଣଙ୍କ ଘରୁ ଚୋରୀ ଏବଂ ବୁଧବାର ରାତି ପାଟକୁରା ମୁସଲିମ ବସ୍ତି ରେ ହୋଇଥିବା ଚୋରୀ ମଧ୍ୟରେ ସାମଂଜସ୍ୟ ଥିବା ପୋଲିସ ସନ୍ଦେହ କରୁଛି । ଏସବୁ ଦିଗକୁ ନଜର ରେ ରଖି ପୋଲିସ ଅନୁସନ୍ଧାନ ଜାରି ରଖିଥିଲେ ମଧ୍ୟ ଆଜି ସୁଦ୍ଧା ପୋଲିସ ଦୁର୍ବୃତମାନଙ୍କ ନିକଟରେ ପହଂଚି ପାରିନାହିଁ । ପାଟକୁରା ଥାନା ନିକଟସ୍ଥ ଚୋରୀ ସମେତ ଲଗାତର ୩ ରାତିରେ ୩ ଟି ଚୋରୀ ପାଟକୁରା ପୋଲିସ ପାଇଁ ଏକ ବଡ଼ ଚାଲେଂଜ ସୃଷ୍ଟି କରିଛି ।