Thursday , December 1 2022
Breaking News
Home / ବିଶେଷ / ଡାଲି ବ୍ୟବସାୟୀ ମହମ୍ମଦ ଫାରୁକ ହତ୍ୟା ଘଟଣା :

ଡାଲି ବ୍ୟବସାୟୀ ମହମ୍ମଦ ଫାରୁକ ହତ୍ୟା ଘଟଣା :

ପୁଲିସ ପଞ୍ଝାରେ ଆଉଜଣେ ସାର୍ପସୁଟର

କଟକ, ୨୫/୧୧/୨୦୨୨(ଓଡ଼ିଶା ସମାଚାର)- ବହୁଚର୍ଚ୍ଚିତ ମାଲଗୋଦାମ ଡାଲି ବ୍ୟବସାୟୀ ମହମ୍ମଦ ଫାରୁକ୍ ତୟବ ହତ୍ୟା ଘଟଣାରେ କମିସନରେଟ ପୁଲିସକୁ ଆଉ ଏକ ସଫଳତା ମିଳିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ତଥା ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତାଙ୍କ ପ୍ରମୁଖ ସାର୍ପସୁଟରକୁ ଗୁରୁବାର ରାତିରେ ପୁଲିସ ଗିରଫ କରିବାରେ ସଫଳ ହୋଇଥିଲା । ଅଭିଯୁକ୍ତ କଟକ ଜିଲା ବାହାରର ଏକ ନିର୍ଦିଷ୍ଟ ସ୍ଥାନରେ ରହିଥିବା ନେଇ ସୂଚନା ମିଳିବା ପରେ ମାଲଗୋଦାମ ପୁଲିସ ଓ ସ୍ପେଶାଲ ସ୍କ୍ବାଡ ଚଢ଼ଉ କରି ଅଭିଯୁକ୍ତକୁ ଗିରଫ କରିଛି।

୨୦୧୪ ନଭେମ୍ବର ୧୨ ଅପରାହ୍ଣ ପ୍ରାୟ ସାଢ଼େ ୩ଟାରେ ବକ୍ସିବଜାର ମଣିସାହୁ ଛକର ଫାରୁକ ତୟବ ମାଲଗୋଦାମରେ ଥିବା ତାଙ୍କର ଡାଲି ଗୋଦାମରେ ବସିଥିଲେ। ଏହି ସମୟରେ ୬/୭ଜଣ ଦୁର୍ବୁତ୍ତ ଏକାଧିକ ବାଇକରେ ଆସି ଫାରୁକଙ୍କ ଉପରକୁ ଗୁଳିମାଡ କରିଥିଲେ। ଗୁଳିମାଡରେ ଘଟଣାସ୍ଥଳରେ ହିଁ ଫାରୁକଙ୍କ ମୃତ୍ୟୁ ଘଟିଥିଲା। ଦିନଦ୍ୱିପ୍ରହରରେ ମାଲଗୋଦାମ ଭଳି ଜନଗହଳି ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କୁ ହତ୍ୟା କରାଯିବା ନେଇ ବ୍ୟବସାୟୀଙ୍କ ମହଲରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ପୁଲିସ ପ୍ରଥମେ ୩ରୁ ଅଧିକ ଅପରାଧୀଙ୍କୁ ଗିରଫ କରିଥିଲା। ହତ୍ୟାକାଣ୍ଡର ନେତୃତ୍ୱ ନେଇଥିବା ତଥା ଗ୍ୟାଙ୍ଗଷ୍ଟର ସୁଶାନ୍ତ ଓ ସୁଶୀଲ ଧଳସାମନ୍ତ ଭ୍ରାତାଙ୍କ ଲାଗି ସାର୍ପସୁଟର ଭାବେ କାମ କରୁଥିବା ରାଣୀହାଟ ଗୋପାଳ ସାହିର ଦୀପକ ନାୟକ ଓରଫ ଶଙ୍କର(୩୩) ଓ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ  ପୁଲିସ ଧରିବାରେ ସଫଳ ହୋଇ ନଥିଲା। ବହୁ କସରତ ପରେ ଦୀର୍ଘ ୭ ବର୍ଷର ଲୁଚକାଳି ଖେଳ ପରେ ପୁଲିସ ହାତରେ ଦୁର୍ଦ୍ଦାନ୍ତ ଶଙ୍କର ଧରାପଡ଼ିଥିଲା। ତା’ ନିକଟରୁ ଗୋଟିଏ ପିସ୍ତଲ ସହ ୨ଟି ଗୁଳି ଜବତ କରାଯାଇଥିଲା। ଏହାପରେ ଅନ୍ୟ ଦୁଇ ଫେରାର ଅଭିଯୁକ୍ତଙ୍କ ସମ୍ପର୍କରେ ପୁଲିସ ତା’ଠାରୁ ଅନେକ ତଥ୍ୟ ହାସଲ କରିବାରେ ସଫଳ ହେବାପରେ ସେମାନଙ୍କୁ  ଧରିବା ଲାଗି ପ୍ରୟାସ ଜାରି ରଖିଥିଲା। ଧରାପଡ଼ିଥିବା ଲାଲବାଗ ଥାନା ଅଞ୍ଚଳର ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତାଙ୍କ ପ୍ରମୁଖ ସହଯୋଗୀ ତଥା ସାର୍ପସୁଟର ଥିଲା। ଫାରୁକ୍ ଙ୍କୁ ହତ୍ୟା କରାଯିବା ଘଟଣା ପରେ ଏହି ଅଭିଯୁକ୍ତଜଣକ ମଧ୍ୟ କଟକ ଛାଡ଼ି ଫେରାର ରହିଥିଲା। ତେବେ ଜିଲା ବାହାରେ ତା’ର ଏକ ଠିକଣା ମିଳିବା ପରେ ଗୁରୁବାର ରାତିରେ ପୁଲିସ ସେଠାରେ ଚଢ଼ଉ କରି ଅଭିଯୁକ୍ତଜଣକୁ ଗିରଫ କରିଥିବା ଜଣାପଡିଛି।

Leave a Reply

Your email address will not be published.