ଭୁବନେଶ୍ୱର, ୨୪/୧୧/୨୦୨୨(ଓଡ଼ିଶା ସମାଚାର)- ରାଜ୍ୟରେ ଥିବା ୧୦ ହେକ୍ଟର କିମ୍ବା ତା’ଠାରୁ ଊର୍ଦ୍ଧ୍ବ ଆୟତନ ବିଶିଷ୍ଟ ୨୮୧ ପୁଷ୍କରିଣୀର ଜଳ ନମୁନା ପରୀକ୍ଷା କରାଯିବ। ଜଳ ନମୁନା ସଂଗ୍ରହ କରି ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ (ଓଏସପିସିବି) କେନ୍ଦ୍ରୀୟ ପରୀକ୍ଷାଗାରକୁ ପଠାଇବ। ପୋଖରୀ ଗୁଡିକର ଜଳ ପରୀକ୍ଷା କରିବା ନିମନ୍ତେ ଜାତୀୟ ସବୁଜ ପ୍ରାଧିକରଣ(ଏନଜିଟି)ଙ୍କ ନିର୍ଦେଶ ଅନୁସାରେ ବୁଧବାର ଏଚଏଚ, ଜିଆଇଏସ ଏବଂ ସିଇଏମ ମୁଖ୍ୟଯନ୍ତ୍ରୀ ଇଂ ଡି.ଡି.ଆର.ଆର. ପଟ୍ଟନାୟକ କ୍ଷୁଦ୍ର ଜଳସେଚନ ମୁଖ୍ୟଯନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ୩୦ ଜିଲାରେ ୧୦ ହେକ୍ଟର କିମ୍ବା ତା’ଠାରୁ ଊର୍ଦ୍ଧ୍ବ ଆୟତନ ବିଶିଷ୍ଟ ୨୮୧ଟି ପୋଖରୀର ପାଣି ସ୍ନାନ ପାଇଁ ଉପଯୋଗୀ କି ନୁହେଁ ପରୀକ୍ଷା କରାଯିବ। ପରୀକ୍ଷାରୁ ଯଦି ଜଣାପଡେ ଯେ, ପୋଖରୀ ପାଣି ଗାଧୋଇବା ପାଇଁ ଉପଯୁକ୍ତ ନୁହେଁ, ତେବେ ପ୍ରଶାସନ ପକ୍ଷରୁ ପାଣିକୁ ପରିଷ୍କାର ନିମନ୍ତେ ପଦକ୍ଷେପ ନିଆଯିବ। ଦଳସଫା, ବର୍ଷାପାଣି ପୋଖରୀ ଭିତରକୁ ନ ଛାଡିବା ସହ ପରିଷ୍କାର ପାଇଁ ପଦକ୍ଷେପ ନିଆଯାଇପାରିବ। ସପ୍ତାହକରେ ଆଞ୍ଚଳିକ କାର୍ଯ୍ୟାଳୟ ଜଳାଶୟରୁ ନମୁନା ସଂଗ୍ରହକରି କେନ୍ଦ୍ରୀୟ ପରୀକ୍ଷାଗାରକୁ ପଠାଇବେ।