Friday , December 9 2022
Breaking News
Home / ବିଶେଷ / ରକ୍ତହୀନତା ଦୂର କରିବିବ ‘ଅମ୍ଳାନ’

ରକ୍ତହୀନତା ଦୂର କରିବିବ ‘ଅମ୍ଳାନ’

ଉପକୃତ ହେବେ ୧.୩୭ କୋଟି ଲୋକ : ମୁଖ୍ୟମନ୍ତ୍ରୀ

୫୫ ହଜାର ବିଦ୍ୟାଳୟ, ୭୪ ହଜାର ଅଙ୍ଗନବାଡ଼ି  କେନ୍ଦ୍ର ରେ ଲାଗୁ

ଭୁବନେଶ୍ୱର, ୨୪/୧୧/୨୦୨୨(ଓଡ଼ିଶା ସମାଚାର)-  ରକ୍ତହୀନତା ଦୂର କରିବା ପାଇଁ ରାଜ୍ୟ ସରକାର ଆନେମିଆ ମୁକ୍ତ ଲକ୍ଷ୍ୟ ଅଭିଯାନ(ଅମ୍ଳାନ)ର ବୁଧବାର ଶୁଭାରମ୍ଭ କରିଛନ୍ତି। ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କ ମଧ୍ୟରେ ଆନେମିଆ (ରକ୍ତହୀନତା) ଦୂର କରିବା ଏହାର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା, ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ଏସଟି/ଏସସି ଉନ୍ନୟନ ବିଭାଗ ସମେତ ବିଭିନ୍ନ ବିଭାଗରେ ଏଥିପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯିବ। ବିଶେଷକରି ମହିଳା ଏବଂ ଶିଶୁଙ୍କୁ  ଆନେମିଆରୁ ମୁକ୍ତ କରିବାକୁ ରାଜ୍ୟର ଏହା ନିଜସ୍ବ କାର୍ଯ୍ୟକ୍ରମ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆଭାସିରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଗର୍ଭବତୀ, ସ୍ତନ୍ୟପାନ କରାଉଥିବା ମହିଳା, କିଶୋର ଏବଂ ଶିଶୁଙ୍କ ସମେତ ପ୍ରାୟ ୧.୩୭ କୋଟି ଲୋକ ଏହାଦ୍ବାରା ଉପକୃତ ହେବେ। ଆଇରନ ଏବଂ ଫଲିକ୍ ଏସିଡ୍ ସପ୍ଲିମେଣ୍ଟ, ହିମୋଗ୍ଲୋବିନ୍ ପରୀକ୍ଷା, ଆନେମିକ୍ ମାମଲାର ଚିକିତ୍ସା, ସେବା ପ୍ରଦାନକାରୀଙ୍କ ଦକ୍ଷତା ବୃଦ୍ଧି ଆଦିକୁ ଗୁରୁତ୍ବ ଦିଆଯାଇଛି। ଏହି କାର୍ଯ୍ୟକ୍ରମ ରାଜ୍ୟର ୫୫ ହଜାର ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଏବଂ ୭୪ ହଜାର ଅଙ୍ଗନବାଡ଼ି କେନ୍ଦ୍ରରେ ଲାଗୁ ହେବ। ଜନସ୍ବାସ୍ଥ୍ୟ ଯୋଜନାରେ ଅଧିକ ଦୃଷ୍ଟି ଦିଆଯାଉଥିବାରୁ ଟିକାଦାନ, ନବଜାତ ମୃତ୍ୟୁହାର, ମାତୃ ମୃତ୍ୟୁହାର ଆଦି ସ୍ବାସ୍ଥ୍ୟ ସୂଚକାଙ୍କ କ୍ଷେତ୍ରରେ ଉନ୍ନତି ଆସିପାରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଏହାର କାର୍ଯ୍ୟକାରିତା ନେଇ ମାର୍ଗଦର୍ଶିକା ଉନ୍ମୋଚନ କରିଥିଲେ। ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ, ସମସ୍ତ ବିଭାଗର ପ୍ରୟାସରେ ଏହି କାର୍ଯ୍ୟକ୍ରମ ନିଶ୍ଚିତ ସଫଳ ହେବ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଲୋକସେବା ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡିତ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ପରିବାର କଲ୍ୟାଣ ନିର୍ଦେଶକ ଧନ୍ୟବାଦ ଦେଇଥିଲେ। ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଏବଂ ସଚିବ ଉପସ୍ଥିତ ଥିଲେ। ଅନଲାଇନରେ ସମସ୍ତ ଜିଲାର ଅଧିକାରୀ ଯୋଡ଼ି ହୋଇଥିଲେ।

Leave a Reply

Your email address will not be published.