Friday , December 9 2022
Breaking News
Home / ବିଶେଷ / କେନ୍ଦୁପତ୍ର ତୋଳାଳିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା

କେନ୍ଦୁପତ୍ର ତୋଳାଳିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା

ପ୍ରତି ତୋଳାଳିଙ୍କୁ ହଜାରେ ଟଙ୍କା – ୧୫ଶହ ପାଇବେ ଋତୁକାଳୀନ କର୍ମଚାରୀ ଓ ବନ୍ଧାଳି

ଭୁବନେଶ୍ୱର,୨୪/୧୧/୨୦୨୨(ଓଡ଼ିଶା ସମାଚାର)- କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହି ପ୍ୟାକେଜ୍ ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ପ୍ରତି ତୋଳାଳିଙ୍କୁ ୧୦୦୦ ଟଙ୍କା ଓ ପ୍ରତ୍ୟେକ ଋତୁକାଳୀନ କର୍ମଚାରୀ (ସିଜିନାଲ ଷ୍ଟାଫ) ଓ ବନ୍ଧାଳିଙ୍କୁ୧୫୦୦ ଟଙ୍କାଲେଖାଏଁ ଦିଆଯିବ। ସବୁ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍ କେୱାଇ)ରେ ସାମିଲ କରାଯିବ। କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କ ପିଲାଙ୍କୁ ବୃତ୍ତି ପ୍ରଦାନ କରାଯିବ। ମେଧାବୀ ଛାତ୍ରଛାତ୍ରୀଙ୍କୁ ଜିଲାସ୍ତରରେ ପୁରସ୍କୃତ କରାଯିବ।

ସର୍କଲ ଚେକର୍ସ ଓ ବାଇଣ୍ଡିଂ ଚେକର୍ସଙ୍କ ଗ୍ରାଚୁଇଟି ଦେୟ ସାତ ଦିନରୁ ବୃଦ୍ଧିକରି ୧୫ ଦିନ କରାଯିବ। ସମସ୍ତ ତୋଳାଳିଙ୍କୁ ପରିଚୟପତ୍ର ପ୍ରଦାନ କରାଯିବ। କେନ୍ଦୁପତ୍ର ବ୍ୟବସାୟ ଉପରେ କେନ୍ଦ୍ରସରକାର ୧୮% ଜିଏସଟି ରଖିଛନ୍ତି। ଏହା ବହୁତ ଅଧିକ। କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ, ସମସ୍ତେଗରିବ ଶ୍ରେଣୀର। ତେଣୁ କେନ୍ଦୁପତ୍ର ଉପରୁ ଜିଏସ୍ ଟି ଉଠାଇବାକୁ କେନ୍ଦ୍ରସରକାରଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ୮ ଲକ୍ଷ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ ରହିଛନ୍ତି। ବହୁ ଜନଜାତି ମା’ମାନେ କେନ୍ଦୁପତ୍ର ତୋଳିବା କାମ କରନ୍ତି। କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କ କଲ୍ୟାଣ ପାଇଁ ରାଜ୍ୟସରକାର ସବୁବେଳେ କାମ କରି ଆସୁଛନ୍ତି। ଓଡ଼ିଶା ହେଉଛି ଦେଶର ପ୍ରଥମ ରାଜ୍ୟ ଯେଉଁଠାରେ କେନ୍ଦୁପତ୍ର ତୋଳାଳିଙ୍କୁ ବୋନସ୍ ଦିଆଯାଉଛି। ଗତ ସପ୍ତାହକ ମଧ୍ୟରେ ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ତୋଳାଳିଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ତିନିଥର ଆଲୋଚନା କରିଛନ୍ତି। ଏବେ ପ୍ୟାକେଜ ଘୋଷଣା କରାଯାଇଛି।

Leave a Reply

Your email address will not be published.