ଖୋର୍ଦ୍ଧା, ୨୩/୧୧/୨୦୨୨ (ଓଡିଶା ସମାଚାର/ ଦୀପକ ପ୍ରଧାନ) :ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ତହସିଲ ନୂଆଗଡ ପଂଚାୟତ ପାତ୍ରପଡା ମୌଜାରେ ଥିବା ୪୫ ଏକର ଜମିକୁ ନୂଆଗଡ ଗ୍ରାମବାସୀ ଦୀର୍ଘ ବର୍ଷ ହେଲା ଭୋଗ ଦଖଲରେ ଥିଲେ। ଏଠାରେ ସେମାନେ ବିଭିନ୍ନ ପ୍ରକାର ଫସଲ ଓ ଗଛ ଲଗାଇ ଏକ ଜମି ସୁରକ୍ଷା କମିଟି କରିଥିଲେ। ଆଜି ଉକ୍ତ ଜମି ଗ୍ରାମବାସୀଙ୍କ ପ୍ରକୃତ ହକ୍ ସେଥିପାଇଁ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।
ସୂଚନାଯୋଗ୍ୟ କି ଉକ୍ତ ୪୫ ଏକର ଜମିରୁ ଜମି ମାଫିଆମାନେ ଚଂଚକତା କରି ସରକାରୀ କଳକୁ ହାତ କରି ୩୦ ଏକର ଜମି ୧୫ ଜଣକ ନାମରେ ଲିଜ୍ କରାଇ ରାଜ୍ୟ ବାହାରର ଏକ ପ୍ରତିଷ୍ଠିତ ସଂସ୍ଥାକୁ ବିକ୍ରୀ କରିବାକୁ ନେଇ ୨୦୦୯ ମସିହାରେ ଯୋଜନା କରିଥିଲେ। ଗ୍ରାମବାସୀ ଏହାକୁ ଜାଣିପାରି ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଉପରିସ୍ଥ ବିଭାଗୀୟ ଅଧିକାରୀମାନଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ପରେ ବିଭାଗ ପକ୍ଷରୁ ତଦନ୍ତ କରାଯାଇ ୧୫ ଜଣଙ୍କ ନାମରେ ଦିଆଯାଇଥିବା ୩୦ ଏକର ଜମିକୁ ବେଆଇନ ଲିଜ୍ ପୁନର୍ବାର ପୁରୁଣା ଖାତାକୁ ଫେରାଇ ନେଇଥିଲେ । ସେବେଠାରୁ ନୂଆଗଡ ଗ୍ରାମବାସୀ ଭୋଗ ଦଖଲ କରି ଆସୁଛନ୍ତି।
ଏବେ ଗ୍ରାମରେ ବର୍ଦ୍ଧିତ ଜନସଂଖ୍ୟା ଦ୍ରୁଷ୍ଟିରୁ ଗ୍ରାମବାସୀ ଉକ୍ତ ପ୍ଳଟରେ ବାସସ୍ଥାନ ନିର୍ମାଣ ପାଇଁ ଯାଗା ସଫା କରିବା ବେଳେ ପୋଲିସ ତାଙ୍କୁ ବାରଣ କରିଥିଲା। ପରେ ଆମ ଗାଁ ଜମି ସୁରକ୍ଷା କମିଟି ପକ୍ଷରୁ ସଭାପତି ବେଲେଶ୍ୱର ମଂଗରାଜ ଓ କିଛି ଗ୍ରାମବାସୀ ଟାଙ୍ଗି ତହସିଲଦାରଙ୍କୁ ଦେଖା କରିବା ପରେ ତାଙ୍କ ପକ୍ଷରୁ କୌଣସି ସନ୍ତୋଷଜନକ ପ୍ରତିକ୍ରିୟା ମିଳିନଥିଲା। ଫଳରେ ଗ୍ରାମବାସୀ ସେମାନଙ୍କ କାର୍ଯ୍ୟ ପୁନର୍ବାର କରିବା ବେଳେ ଯଦି ପ୍ରଶାସନ ସହଯୋଗ ନକରେ କିମ୍ବା ବନ୍ଦ କରେ ତେବେ ଗ୍ରାମବାସୀ ରାଜରାସ୍ତା ଅବରୋଧ କରିବେ ଓ ଏଥିପାଇଁ ଯଦି କୌଣସି ଅଘଟଣ ଘଟେ ତେବେ ଜିଲ୍ଲା ପ୍ରଶାସନ, ତହସିଲ ଓ ଫରେଷ୍ଟ ବିଭାଗ ଦାୟୀ ରହିବେ ବୋଲି ଆମ ଗାଁ ଆମ ଜମି ସୁରକ୍ଷା କମିଟି ଅଧକ୍ଷ ବେଲେଶ୍ୱର ମଂଗରାଜ ଚେତାବନୀ ଦେଇ ଏକ ପ୍ରତିକ୍ରିୟାରେ ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଆସନ୍ତାକାଲି ସେଠାରେ ସେମାନେ ଗ୍ରାମବାସୀଙ୍କ ଉଦ୍ଦେଶ୍ୟରେ ଭୁମି ପୂଜା କରିବେ ବୋଲି ସୂଚନା ମିଳିଛି।