ଗରଦପୁର, ୨୩/୧୧/୨୦୨୨(ଓଡ଼ିଶା ସମାଚାର)- ରାଜ୍ୟ ସଂଘ ନିର୍ଦ୍ଧେଶ କ୍ରମେ ଗରଦପୁର ବ୍ଲକ୍ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି । ବ୍ଲକ୍ ସଂଘର ସଭାପତି ଶୈଳବାଳା ମହାପାତ୍ରଙ୍କ ନେତୃତ୍ୱରେ ଧାରଣା ଦେବା ସହ ୮ ଦଫା ଦାବି ନେଇ ନାରାବାଜି କରୁଛନ୍ତି । ସରକାର ଦାବି ନମାନିଲେ ଏହି ଧାରଣା ଚାଲୁ ରହିବ ବୋଲି ମଧ୍ୟ କହିଛନ୍ତି । ଦାବି ଗୁଡ଼ିକ ମଧ୍ୟରେ ସମସ୍ତ ଅଙ୍ଗନୱପାଡ଼ି କର୍ମୀ ଓ ସହାୟିକାଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରିବା, ଚାକିରୀ ସମୟରେ ମୃତ୍ୟୁ ହେଲେ ୫ଲକ୍ଷ ଟଙ୍କା ସହାୟତାପ୍ରଦାନ, ଇପିଏଫ, ପେସନ୍ ଭଳି ବିଭିନ୍ନ ସରକାରୀ ସୁବିଧା ଓ ସୁଯୋଗ ପ୍ରଦାନ କରିବା ସହ ଦାବି ଗୁଡ଼ିକୁ ସରକାର ମାନି ନେବାକୁ ଦାବି କରାଯାଇଛି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁଙ୍କୁ ପାଠ ପଢ଼ାଇବା, ଛତୁଆ ବଂଟନ, ମମତା ଯୋଜନା କାର୍ଯ୍ୟକ୍ରମ ସହ ସରକାରଙ୍କ ସମସ୍ତ ଲୋକାଭିମୁଖୀ ଯୋଜନାରେ ସାମିଲ ହେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଏହି ଧାରଣାରେ ସଂଘ ସଭାପତି ଶୈଳବାଳା ପ୍ରଧାନ, ସମ୍ପାଦିକା ମେନକା ପାତ୍ର,କମଳା ରାଣୀ ବେଉରା, ବିନୋଦିନୀ ମହାରାଜ, ଶଙ୍କୁତଳା ବେହେରା, ଅନିମା ତ୍ରିପାଠୀ ,ଶୁଭଶ୍ରୀ ନାୟକ, ମିନତି ରାଉତ, ଶୋଭାରାଣୀ ରାଉତ ପ୍ରମୁଖ ନେତୃତ୍ୱ ନେଉଛନ୍ତି ।