ଭୁବନେଶ୍ୱର, ୨୨/୧୧/୨୦୨୨(ଓଡ଼ିଶା ସମାଚାର)- ସାଲିଆସାହି ଆଂଚଳିକ କମିଟି ତରଫରୁ ଜଙ୍ଗଲ ଜମି ଅଧିକାରରେ ଜମିପଟ୍ଟା ଦେବା, ଜାଗା ମିଶନ୍ ମାଧ୍ୟମରେ ଜମିପଟ୍ଟା ଦେବା, ୨୦୦ ଫୁଟିଆ ରାସ୍ତାକୁ ମହିଳା ପଲିଟେକନିକ୍ ଠାରୁ ଏକାମ୍ର କାନନ ଗେଟ୍ ଦେଇ ସିଧା ସି.ଆର୍.ପି. ରାସ୍ତାରେ ସଂଯୋଗ କରାଯିବା, ପୁଲିସ୍ ଜୁଲୁମ ବନ୍ଦ କରିବା ପ୍ରମୁଖ ଦାବିରେ ବିଶାଳ ଗଣସମାବେଶ ହୋଇଯାଇଛି । ଗରିବ ବସ୍ତିବାସିନ୍ଦାଙ୍କୁ ଜମି ଦେବାରେ ନବୀନ ପଟ୍ଟନାୟକ ସରକାର ଜାଗା ମିଶନ ପାଇଁ ୱାର୍ଲଡ୍ ହେବିଟେଟ୍ ଆୱାର୍ଡ଼ ପାଇଥିବା ବେଳେ ବସ୍ତିବାସିନ୍ଦାଙ୍କୁ ସବୁ ଦିନ ଉଚ୍ଛେଦ କରୁଛନ୍ତି । ପୁଲିସ୍ର ଦାଦାଗିରି, ନାଲିଆଖି ଏବଂ ବନ୍ଧୁକ ମୁନରେ ବସ୍ତିବାସିନ୍ଦାଙ୍କୁ ଦମନ କରୁଛନ୍ତି । ସଭାରେ ଏହାକୁ ଦୃଢ଼ ନିନ୍ଦା କରାଯାଇଥିଲା । ଜମିର ଅଧିକାର ହାସଲ କରିବା ପାଇଁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସାଧାରଣ ପ୍ରଶାସନ, ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ, ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗକୁ ଦାବିପତ୍ର ପ୍ରଦାନ କରିଛନ୍ତି । କିନ୍ତୁ ଦାବି ସମ୍ପର୍କରେ ବିଚାର ନ ହୋଇ ବସ୍ତି ଉଚ୍ଛେଦ କରିବା କଥାକୁ ବିରୋଧ କରି ଦୃଢ଼ ଲଢ଼େଇ ପାଇଁ ଆହ୍ୱାନ ଦିଆଯାଇଛି । ସାଲିଆସାହି ଆଂଚଳିକ କମିଟିର ଆବାହକ ମଣ୍ଡଳୀ ସଭାପତି ଜୟଦେବ ନାୟକ, ସଭ୍ୟ ସାଲ ମାର୍ଣ୍ଡି, ରଘୁନାଥ ନାଥ, ପ୍ରମିଳା ବେହେରା, ଅଞ୍ଜନ ନାଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସି.ପି.ଆଇ.ର ରାଜ୍ୟ ସମ୍ପାଦକ ଅଭୟ ସାହୁ, ସି.ପି.ଆଇ.(ଏମ୍)ର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ସୁରେଶ ପାଣିଗ୍ରାହୀ, ଜଗନ୍ନାଥ ମିଶ୍ର, କଂଗ୍ରେସ ନେତା ତଥା ବିଧାୟକ ସୁରେଶ ରାଉତରାୟ, ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ, ଚିନ୍ମୟ ଦାସ, ବିଜେପି ନେତା ଦିଲ୍ଲୀପ ମହାନ୍ତି, ସି.ପି.ଆଇ. (ଏମ୍-ଏଲ୍) ଲିବରେସନ୍ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ମହେନ୍ଦ୍ର ପରିଡ଼ା, ବରିଷ୍ଠ ମାନବାଧିକାର କର୍ମୀ ବିଶ୍ୱପି୍ରୟ କାନୁନଗୋ, ସମାଜବାଦୀ ପାର୍ଟିର ରାଜ୍ୟ କମିଟି ସଭ୍ୟ ସୁଦର୍ଶନ ପ୍ରଧାନ, ସି.ପି.ଆଇ(ଏମ୍-ଏଲ୍) ରେଡ୍ ଷ୍ଟାରର ହେନା ବାରିକ, ଆମ୍ ଆଦ୍ମୀ ପାର୍ଟିର ଜୟସୂର୍ଯ୍ୟ କାନୁନଗୋ, ବସ୍ତି ସୁରକ୍ଷା ମଂଚର ଶରତ ଦାସ, ଓଡ଼ିଶା ଆଦିବାସୀ ଅଧିକାର ମଂଚର ରବିନ୍ଦ୍ର ଟୁଡୁ, ବସ୍ତିବାସିନ୍ଦା ମହସଭାର ଚାମ୍ବୁରୁ ସୋରେନ୍, ଆଂଚଳିକ କମିଟିର ଆବାହକ ମଣ୍ଡଳ ସଭ୍ୟ ଉମେଶ ଦାସ, ନାରୟଣ ଲେଙ୍କା, ବିଜୟ ସାମଲ, ପ୍ରଫୁଲ୍ଲ ସାହୁ, ଦେବେନ୍ଦ୍ର ମିଶ୍ର ନିରୁପମା ନାୟକ, ଶିବ ଶଙ୍କର ସୋରେନ, ଅନାଦି ପାତ୍ର, ଫୁଲରାଣୀ ପାତ୍ର, ଜ୍ୟୋତ୍ସ୍ନା ତିର୍କୀ, ସୁଶାନ୍ତ ମହାକୁଡ଼ ପ୍ରମୁଖ ଯୋଗଦେଇଥିଲେ । ଗଦାଧର ପ୍ରଧାନ, ପବିତ୍ର ମଲ୍ଳିକ, ବିକ୍ରମ ମହାପାତ୍ର ଯୋଗଦେଇ ଆଦିବାସୀଗାଁ ଶକ୍ତିବିହାର, ସ୍ୱାଧୀନ ନଗର ଉଚ୍ଛେଦକୁ ଦୃଢ଼ ବିରୋଧ କରି ଚାଲିଥିବା ଗଣଧାରଣାକୁ ଶକ୍ତିଶାଳୀ କରି ଦାବି ହାସଲ ପର୍ଯ୍ୟନ୍ତ ଉଦ୍ୟମ, ସମର୍ଥନ, ପ୍ରତ୍ୟକ୍ଷ ଯୋଗଦାନ ରହିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।