Friday , December 9 2022
Breaking News
Home / ରାଜନୀତି / ମୁଲାୟମ ସିଂ ଯାଦବଙ୍କ ୮୪ତମ ଜନ୍ମ ଜୟନ୍ତୀରେ ବିଶିଷ୍ଟ ବକ୍ତାଙ୍କ ମତ : ଚଳିତ ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ଆଣି ସମାନୁପାତିକ ସଂରକ୍ଷଣ ଓ ଜାତି ଜନଗଣନା କରିବାକୁ ଦାବି

ମୁଲାୟମ ସିଂ ଯାଦବଙ୍କ ୮୪ତମ ଜନ୍ମ ଜୟନ୍ତୀରେ ବିଶିଷ୍ଟ ବକ୍ତାଙ୍କ ମତ : ଚଳିତ ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ଆଣି ସମାନୁପାତିକ ସଂରକ୍ଷଣ ଓ ଜାତି ଜନଗଣନା କରିବାକୁ ଦାବି

ଭୁବନେଶ୍ୱର, ୨୨/୧୧/୨୦୨୨(ଓଡ଼ିଶା ସମାଚାର)- ଭାରତର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ, ଉତର ପ୍ରଦେଶର ତିନିଥର ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା, ବରିଷ୍ଠ ରାଜନେତା ମୁଲାୟମ ସିଂ ଯାଦବଙ୍କ ୮୪ତମ ଜୟନ୍ତୀ, ସମାଜବାଦୀ ପାର୍ଟି ଆନୁକୂଲ୍ୟରେ ସ୍ଥାନୀୟ ଲୋହିଆ ଭବନଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ‘ଇଡବ୍ଲୁଏସ ସଂରକ୍ଷଣ ପରିପ୍ରେକ୍ଷୀରେ ଜାତି ଜନଗଣନା ଓ ପଛୁଆବର୍ଗ ସଂରକ୍ଷଣ’ ଶୀର୍ଷକ ଆଲୋଚନା ଚକ୍ରରେ ଯୋଗଦେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ରାଜ୍ୟ ସରକାର ଓଡ଼ିଶାର ୫୪ ଭାଗ ପଛୁଆବର୍ଗଙ୍କ ସ୍ୱାର୍ଥ ଦୃଷ୍ଟିରୁ ଚଳିତ ବିଧାନସଭାରେ ଏକ ସର୍ବସମ୍ମତ ପ୍ରସ୍ତାବ ପାରିତ କରି ତୁରନ୍ତ ନିଯୁକ୍ତି ଓ ନାମ ଲେଖା କ୍ଷେତ୍ରରେ ସଂରକ୍ଷଣ ଲାଗୁ କରିବାକୁ ଦାବି କରିଥିଲେ । ବରିଷ୍ଠ ସାମ୍ବାଦିକ ରବି ଦାସ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ରାଜ୍ୟରେ ଓବିସି ସଂରକ୍ଷଣ ଠିକ୍ ଭାବରେ ଲାଗୁ ନହେବା ଯୋଗୁ ପ୍ରତିବର୍ଷ ପାଖାପାଖି ୨୫୦୦ ଇଞ୍ଜିନିୟର ଓ ୫୦୦ ଡ଼ାକ୍ତର ପଛୁଆବର୍ଗ ଲୋକମାନେ ହରାଉଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ସିପିଆଇ ରାଜ୍ୟ ସମ୍ପାଦକ ଅଭୟ ସାହୁ, ସମାଜବାଦୀ ପାର୍ଟିର ଏହି ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଜିଲ୍ଲାସ୍ତରରେ ପଛୁଆବର୍ଗ ସଂରକ୍ଷଣ ଦାବିରେ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ପ୍ରସ୍ତାବ ଦେଇଥିଲେ । ସିପିଏମ୍ ର ବରିଷ୍ଠ ନେତା ସନ୍ତୋଷ ଦାସ ଏହି ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ପଛୁଆବର୍ଗ ସଂରକ୍ଷଣର ଇତିହାସ ଓ ଅତୀତରେ ବିହାରର କର୍ପୂରି ଠାକୁର ସରକାରଙ୍କ ଉଦାହରଣ ଉପରେ ଆଲୋକପାତ କରିବା ସେଙ୍ଗ ସେଙ୍ଗ ରାଜ୍ୟରେ ପଛୁଆବର୍ଗ ଆନ୍ଦୋଳନ ପ୍ରତି ନିଜ ପାର୍ଟିର ସମର୍ଥନ ରହିଛି ବୋଲି ମତ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡି, କଂଗ୍ରେସ ପାର୍ଟି ପକ୍ଷରୁ ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟ, ସମତାକ୍ରାନ୍ତି ଦଳର ପ୍ରଭାସ ସାମନ୍ତରାୟ, ଫରୱାର୍ଡ଼ ବ୍ଲକର ସଭାପତି ପୂର୍ଣ୍ଣଚନ୍ଦ୍ର ପାଢୀ, ସିପିଆଇ(ଏମଏଲ) ପକ୍ଷରୁ ମହେନ୍ଦ୍ର ପରିଡ଼ା, ଅଖିଳ ଭାରତ ଯାଦବ ମହାସଭାର ଜାତୀୟ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଦାସ, ସାମାଜିକ କର୍ମୀ ଓ ସ୍ତମ୍ଭକାର ମାନସ ଜେନା, ସାମାଜିକ ନ୍ୟାୟ ଆନ୍ଦୋଳନର ଆବାହକ ଅକ୍ଷୟ ମଲ୍ଲିକ, ଭିଟାମାଟି ସୁରକ୍ଷା ଆନ୍ଦୋଳନର ଅରୁଣ ଜେନା, ଶ୍ରୀ ସାହିତ୍ୟର ସମ୍ପାଦକ କୃଷ୍ଣ ନାୟକ ପ୍ରମୁଖ ମୁଲାୟମ ସିଂଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରି ସାମାଜିକ ନ୍ୟାୟ ଆନ୍ଦୋଳନକୁ ଆଗାମୀ ଦିନରେ ଏକ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ପଦକ୍ଷେପ ନେବାକୁ ମତବ୍ୟକ୍ତ କରିଥିଲେ ।
ପ୍ରାରମ୍ଭରେ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ ସ୍ୱାଗତ ଭାଷଣ ଦେଇଥିବା ବେଳେ ଯୁବନେତା ସୁବ୍ରତ ଲେଙ୍କା, ସୁନିଲ ମିଶ୍ର, ଶରତ ଚନ୍ଦ୍ର ବେହେରା, ସଞ୍ଜୟ ନାୟକ, ଦେଶପ୍ରିୟ ଦାସ, ଓମ୍ ପ୍ରକାଶ ଦାସ, ଦୀପଦାସ ଯାଦବ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରି•ଳନାରେ ସକି୍ରୟ ସହାୟତା କରିଥିଲେ । ଆଗାମୀ ୨୪ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଥିବା ବିଧାନସଭା ଅଧିବେଶନ ସମୟରେ ରାଜ୍ୟର ସମସ୍ତ ବିରୋଧୀ ଦଳ ମାନଙ୍କୁ ନେଇ ବିଧାନସଭା ସମ୍ମୁଖରେ ଏକ ପ୍ରତିବାଦ ଧାରଣା ଅନୁଷ୍ଠିତ ହେବା ପାଇଁ ପ୍ରସ୍ତାବ ଗ୍ରହଣ କରାଗଲା । ରାଜ୍ୟରେ ପଛୁଆବର୍ଗ ସଂରକ୍ଷଣ ଓ ଜାତି ଜନଗଣନା ଦାବିରେ ସମସ୍ତ ବିଧାୟକମାନଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇ ବିଧାନସଭାରେ ପ୍ରସ୍ତାବ ଆଣିବାକୁ ଆଲୋଚନା ଚକ୍ରରେ ସର୍ବସମ୍ମତ ମତ ପ୍ରକାଶ ପାଇଥିଲା । ଶେଷରେ ଯୁବନେତା ଦେବାଶିଷ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.