‘ଅବୁଝା ଏ ମନ’ ଲୋକାର୍ପିତ
ଭୁବନେଶ୍ୱର,୨୨/୧୧/୨୦୨୨(ଓଡ଼ିଶା ସମାଚାର)- ଭାବ, ଭାବନା ଓ କଳ୍ପନା ଏହାକୁ ଫେଣ୍ଟାଫେଣ୍ଟି କଲେ ସାହିତ୍ୟ ହୁଏ। କିନ୍ତୁ ଅନୁଭବ ଯେଉଁଠି ପଶିଲା ସେଠାରେ ସାହିତ୍ୟର ମାନ ଉଚ୍ଚ ହୁଏ। ଯାହାକି ଅନାମିକାଙ୍କ ପୁସ୍ତକ ‘ଅବୁଝା ଏ ମନ’ରେ ପ୍ରତିଫଳିତ ହୋଇଛି ବୋଲି କହିଛନ୍ତି ବିଶିଷ୍ଟ ଭାଷାବିତ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ।
ବ୍ଲାକ୍ ଇଗଲ୍ ବୁକ୍ସ ପ୍ରକାଶନ ସଂସ୍ଥା ପକ୍ଷରୁ ଅନାମିକା ଦାସଙ୍କ ‘ଅବୁଝା ଏ ମନ’ ପୁସ୍ତକ ସୋମବାର ରାଜ୍ୟ ସ୍କାଉଟ ଗାଇଡ୍ ପରିସରରେ ଉନ୍ମୋଚିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ ସ ଏବଂ ଗାଇଡ୍ ସ ରାଜ୍ୟ ମୁଖ୍ୟ ଆୟୁକ୍ତ ଡ.କାଳିପ୍ରସାଦ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଡ. ପଟ୍ଟନାୟକ କହିଲେ ଯେ, ଆମେ ପ୍ରତିଦ୍ବନ୍ଦ୍ବିତାରୁ ଦୂରେଇ ରହି ବସୁଧୈବ କୁଟୁମ୍ବକମ୍ ଉପରେ ଗୁରୁତ୍ବ ଦେବା ଆବଶ୍ୟକ। ଅନ୍ୟତମ ଅତିଥିଭାବେ ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ତଥା ଲୋକସେବକ ମଣ୍ଡଳ ଓଡ଼ିଶା ଶାଖାର ଅଧ୍ୟକ୍ଷ ନିରଞ୍ଜନ ରଥ ଯୋଗଦେଇ କହିଲେ ଯେ, ଅନେକ ସମୟରେ ଲୋକ ଭାବନ୍ତି, ଲେଖକ ବା ଲେଖିକା ଯାହା ଲେଖନ୍ତି ସେମାନେ ସେହି ଭାବନା ଓ ଚରିତ୍ରର। ଗଳ୍ପ ବା କବିତା ଯିଏ ଲେଖୁଛନ୍ତି ସେ ଯେ ସେୟା ତାହା ନୁହେଁ। ସେ ତାଙ୍କ ଅନୁଭବକୁ କଲମ ମୁନରେ ସ୍ଥାନ ଦେଇଥାନ୍ତି। ଗଳ୍ପ ବହିର ଯୁଗ ସରିଆସୁଛି। ପାଠକଙ୍କ ସଂଖ୍ୟା ମଧ୍ୟ କମୁଛି। କିନ୍ତୁ ଗଳ୍ପ ଦ୍ବାରା ଅନେକ କିଛି ଜାଣିହେବ ଏଥିରେ ସନ୍ଦେହ ନାହିଁ। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ପୂର୍ବତନ ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ, ‘ପ୍ରଗତିବାଦୀ’ କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୂପାକ୍ଷ ତ୍ରିପାଠୀ, ଟାଟା ଷ୍ଟିଲ୍ କଳିଙ୍ଗନଗରର ପୂର୍ବତନ ଅଧ୍ୟକ୍ଷ ପାର୍ଥସାରଥି ମିଶ୍ର ଏବଂ ଓଡ଼ିଶା ଲେଖିକା ସଂସଦର ସମ୍ପାଦିକା ଡ.ଶକୁନ୍ତଳା ବଳିଆରସିଂ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ।