ଉଗ୍ରତାରା ଙ୍କ ଦର୍ଶନ କଲେ ମନ୍ଦିର ର ଉରଣତିକରଣ ପାଇଁ କଲେ ଆଲୋଚନା
ଖୋର୍ଦ୍ଧା, ୨୧/୧୧/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ସକାଳେ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପିଠ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ମା’ ଭଗବତୀ ମନ୍ଦିର ଏବଂ ଭୁଷଣ୍ଡପୁରସ୍ଥିତ ମା ଉଗ୍ରତାରା ଙ୍କ ପୀଠ ପରିଦର୍ଶନ କରିଛନ୍ତି ୫ଟି ସଚିବ ଭି କେ ପାଣ୍ଡିଆନ। ଶ୍ରୀ ପାଣ୍ଡିଆନ ସକାଳ ୬ ଘଟିକା ୧୦ ମିନିଟ ସମୟରେ ମା’ ଭଗବତୀଙ୍କ ମନ୍ଦିର ସମ୍ମୁଖରେ ପହଞ୍ଚିବା କ୍ଷଣି ତାଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଓ ଏସପି ସ୍ୱାଗତ ଜଣାଇବା ସହ ମନ୍ଦିର ମଧ୍ୟକୁ ପାଛୋଟି ନେଇଥିଲେ। ମନ୍ଦିର ମଧ୍ୟରେ ମାତ୍ର ୧୫ ମିନିଟ ସମୟ ଅତିବାହିତ କରିଥିଲେ ଶ୍ରୀ ପାଣ୍ଡିଆନ। ଉକ୍ତ ସମୟ ମଧ୍ୟରେ ମନ୍ଦିରର ବିଭିନ୍ନ ଉନ୍ନତି କରଣ ଯୋଜନା ଗୁଡ଼ିକ ଉପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉପରେ ଶ୍ରୀ ପାଣ୍ଡିଆନ ମୋହର ମାରିଛନ୍ତି।
ପ୍ରମୁଖ ଉନ୍ନୟନମୂଳକ ପ୍ରକଳ୍ପ ଗୁଡ଼ିକ ହେଲା: ମନ୍ଦିର ଜମିର ସୀମା ନିର୍ଦ୍ଧାରଣ ସହ ଜବରଦଖଲ କାରୀଙ୍କୁ ଉଚ୍ଛେଦ, ମନ୍ଦିର ପଛପଟ ପ୍ରାଚୀର ସମ୍ପ୍ରସାରଣ, ବସଷ୍ଟାଣ୍ଡ ନିର୍ମାଣ ଓ ପାର୍କିଙ୍ଗ ବ୍ୟବସ୍ଥା, ଦୋଳବେଦି ଛକରୁ ଭଗବତୀ ମନ୍ଦିର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ପ୍ରଶସ୍ତିକରଣ (ପ୍ରସ୍ତାବିତ ୧୦ ମିଟର), ଯାତ୍ରୀ ନିବାସ ଓ କଲ୍ୟାଣ ମଣ୍ଡପ ନିର୍ମାଣ, ମୁଖ୍ୟ ମନ୍ଦିର ପୁନରୁଦ୍ଧାର ଓ ପରିକ୍ରମା ମାର୍ଗ ନିର୍ମାଣ, ରୋଷ ଘର ଉନ୍ନତିକରଣ, ସର୍ବସାଧାରଣ ପ୍ରସାଦ ସେବନ ଗୃହ ନିର୍ମାଣ, ମନ୍ଦିର କାର୍ଯ୍ୟାଳୟ ନିଯୋଗୀ ବୈଠକ ଗୃହ ନିର୍ମାଣ, ଐତିହାସିକ ଦକ୍ଷେଶ୍ୱର ମନ୍ଦିରର ପୁନରୁଦ୍ଧାର। ତେବେ ଉକ୍ତ ସମସ୍ତ ପ୍ରକଳ୍ପ ପାଇଁ ୫ଟି ସଚିବ ମନ୍ଦିର ପ୍ରଶାସନ, ବାଣପୁର ଜନସାଧାରଣ ଏବଂ ସେବାୟତଙ୍କ ସହ ଆଲୋଚନା କରି ତୁରନ୍ତ ପ୍ଲାନ ଏଷ୍ଟିମେଟ କରି ପଠାଇବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ମା ଉଗ୍ରତାରା ମନ୍ଦିରରେ ସକାଳ ପ୍ରାୟ ୭ଟାରେ ପହଞ୍ଚିଥିଲେ। ଏଠାରେ ମନ୍ଦିର ବୁଲି ମାଙ୍କ ଦର୍ଶନ କରିବା ସହ ମନ୍ଦିର ଚାରିପଟ ବୁଲି ଦେଖିଥିଲେ। ମନ୍ଦିର ର ସୌନ୍ଦର୍ଯ୍ୟକରଣ ନିମନ୍ତେ ଜିଲାପାଳ ଓ ମନ୍ଦିର ଟ୍ରଷ୍ଟି ସଦସ୍ୟ, ପୂଜକଙ୍କ ସହ ଆଲୋଚନା କରିଥିଲେ । ଜାତୀୟ ରାଜପଥ ଠାରୁ ମନ୍ଦିର ପର୍ଯ୍ୟନ୍ତ ଆଲୋକୀକରଣ, ଯାତ୍ରୀନିବାସ ଓ କଲ୍ୟାଣ ମଣ୍ଡପ ନିର୍ମାଣ ଲାଗି ସେବାୟତ ମାନେ ପ୍ରସ୍ତାବ ଦେଇଥିଲେ। ଗତକାଲି ଠାରୁ ଅଞ୍ଚଳବାସୀ ଙ୍କ ତରଫ ରୁ ଏକ ଦାବି ପତ୍ର ଜିଲ୍ଲାପାଳ ଙ୍କ ଜରିଆରେ ପଠାଯାଇଥିଲା। ପରେ ଶ୍ରୀ ପାଣ୍ଡିଆନ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ।
ଶ୍ରୀ ପାଣ୍ଡିଆନଙ୍କ ଭଗବତୀ ମନ୍ଦିର ଗସ୍ତ ସମୟରେ କେବଳ ସୀମିତ ବ୍ୟକ୍ତିଙ୍କ ମନ୍ଦିର ମଧ୍ୟକୁ ପ୍ରବେଶ ଅନୁମତି ଥିବା ବେଳେ ଜିଲ୍ଲାପାଳ, ଏସପି, ବାଲୁଗାଁ ଏସଡିପିଓ, ବାଣପୁର ଆଇଆଇସି, ତହସିଲଦାର, ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ, ଏଣ୍ଡାଉମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ, ଏନଏସି ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଆଦି ମନ୍ଦିର ମଧ୍ୟରେ ଉପସ୍ଥିତ ଥିଲେ। ସେହିପରି ଉଗ୍ରତାରାଙ୍କ ମନ୍ଦିର ଠାରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଏସପି, ବାଲୁଗାଁ ଓ ଖୋର୍ଦ୍ଧା ଏସ୍ଡିପିଓ, ଟାଙ୍ଗୀ ବିଡ଼ିଓ, ଟାଙ୍ଗୀ ତହସିଲ ଦାର ଓ ଟାଙ୍ଗୀ ଥାନା ଆଇଆଇସି, ନିରାକାରପୁର ଥାନା ଆଇଆଇସି ପ୍ରମୁଖ ଉପସ୍ଥିତ ଥିଲେ।