କଟକ, ୨୧/୧୧/୨୦୨୨(ଓଡ଼ିଶା ସମାଚାର)- ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ସମଗ୍ର ଦେଶରେ ବିଶ୍ୱ ସ୍ମୃତି ଦିବସ ପାଳନ କରାଯାଇଥିଲା। ଏହି ଅବସରରେ କମନ୍ ଆକ୍ସନ୍ ଫର୍ ରୋଡ୍ ସେଫ୍ଟି (ସିଏଆରଏସ) ସହଯୋଗରେ କମିସନରେଟ ପୁଲିସ ପକ୍ଷରୁ ମଧୁପାଟଣା ଥାନାରେ ସ୍ମୃତି ଦିବସ ପାଳିତ ହୋଇଥିଲା। କମିସନରେଟ ପୁଲିସର ଅତିରିକ୍ତ ପୁଲିସ କମିସନର ଅନିଲକୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ। ବିଶ୍ୱରେ ପ୍ରତିବର୍ଷ ୧.୨୫ମିଲିୟନ୍ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି । କାର୍ଯ୍ୟକ୍ରମକୁ ସିଏଆରଏସ୍ ଅନୁଷ୍ଠାନର ଅଧ୍ୟକ୍ଷ ଆଇନଜୀବୀ ସୁଜିତ୍ ସେନାପତି ପରିଚାଳନା କରିଥିଲେ। ସମ୍ମାନିତ ଅତିଥି ଭାବେ ଟ୍ରାଫିକ୍ ଏସିପି ଆଶୁତୋଷ ମିଶ୍ର, ଏସିପି ଅମରେନ୍ଦ୍ର ପଣ୍ଡା, ଟ୍ରାଫିକ ଥାନା ଇନ୍ସପେକ୍ଟର କିଶୋରଚନ୍ଦ୍ର ପ୍ରଧାନ, ମଧୁପାଟଣା ଥାନାଧିକାରୀ ତୁଷାରକାନ୍ତ ସେଠୀ, ହାଇକୋର୍ଟ ବାର୍ ଆସୋସିଏସନ୍ ସମ୍ପାଦକ ଆଲୋକପ୍ରସାଦ ନନ୍ଦ, ଉପଜିଲାପାଳ ଲଗ୍ନଜିତ୍ ବେହେରା ପ୍ରମୁଖ ମତ ରଖିଥିଲେ। ଷ୍ଟିୱାର୍ଟ ବିଜ୍ଞାନ ମହାବିଦ୍ୟାଳୟର ଏନସିସି ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଟ୍ରାଫିକ୍ ଏସିପି ଶ୍ରୀ ମିଶ୍ର ଧନ୍ୟବାଦ ଦେଇଥିଲେ।