Sunday , May 28 2023
Breaking News
Home / ବିଶେଷ / ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ଗୁରୁତ୍ବ, ୬୦ ପ୍ରତିଶତ ଘରେ ପହଞ୍ଚିଲା ଟ୍ୟାପ୍ ପାଣି

ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ଗୁରୁତ୍ବ, ୬୦ ପ୍ରତିଶତ ଘରେ ପହଞ୍ଚିଲା ଟ୍ୟାପ୍ ପାଣି

ଭୁବନେଶ୍ବର, ୨୧/୧୧/୨୦୨୨(ଓଡ଼ିଶା ସମାଚାର)- ରାଜ୍ୟ ସରକାର ୨୦୨୪ ସୁଦ୍ଧା ସବୁ ଘରକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଦେବାକୁ ଘୋଷଣା କରିଥିବା ବେଳେ ଏହାର କାର୍ଯ୍ୟାନ୍ବୟନ ନେଇ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ପ୍ରତି ସପ୍ତାହରେ ଏ ନେଇ ସମୀକ୍ଷା ହେଉଥିବାବେଳେ କାର୍ଯ୍ୟାନ୍ବୟନରେ ଉପୁଜୁଥିବା ସମସ୍ୟା ସମାଧାନ ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତା କରାଯାଉଛି। ଏବେ ସୁଦ୍ଧା ୬୦ ପ୍ରତିଶତ ଘରେ ଟ୍ୟାପ୍ ଯୋଗେ ଜଳଯୋଗାଣ ହେଉଛି ବୋଲି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସଂସ୍ଥାର ସର୍ବୋଚ୍ଚ ଯନ୍ତ୍ରୀ ହାଡ଼ିଡ଼ିବନ୍ଧୁ ବେହେରା କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଚଳିତ ମାସ ୭ ତାରିଖ ସୁଦ୍ଧା କୋରାପୁଟ ସର୍କଲରେ ସର୍ବାଧିକ ୭୪ ପ୍ରତିଶତ ଘରକୁ ଟ୍ୟାପ୍ ଯୋଗେ ପାନୀୟ ଜଳ ଯୋଗାଣ ହୋଇଥିବାବେଳେ ଭୁବନେଶ୍ବର ସର୍କଲରେ ସର୍ବନିମ୍ନ ୪୮ ପ୍ରତିଶତ ଘରକୁ ଟ୍ୟାପ୍ ସଂଯୋଗ ହୋଇଛି। ସେହିପରି ବାଲେଶ୍ବର ସର୍କଲରେ ୭୧ ପ୍ରତିଶତ ଘରକୁ କଟକ ସର୍କଲରେ ୬୦ପ୍ରତିଶତ ଯୋଗାଣ ହୋଇଛି। ତା’ଛଡ଼ା ବ୍ରହ୍ମପୁର ସର୍କଲରେ ୫୦ ପ୍ରତିଶତ, ବଲାଙ୍ଗିର ସର୍କଲରେ ୬୧ ପ୍ରତିଶତ ଓ ସମ୍ବଲପୁର ସର୍କଲରେ ୬୦ ପ୍ରତିଶତ ଘରକୁ ଟ୍ୟାପ୍ ଯୋଗେ ପାନୀୟ ଜଳ ଯୋଗାଣ ହୋଇପାରିଛି। ଏବେ ସୁଦ୍ଧା ଏ ଦିଗରେ ହୋଇଥିବା ବ୍ୟୟବରାଦର ୩୨ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଛି ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି। ପାନୀୟ ଜଳ ଯୋଗାଣ ନିମନ୍ତେ ମେଗା ପ୍ରକଳ୍ପ ପାଇଁ କେତେକ ଟେଣ୍ଡର ହୋଇ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଆଉ କିଛି ଖୁବ୍ ଶୀଘ୍ର ଆରମ୍ଭ ହେବ। ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ଲକ୍ଷ୍ୟଧାର୍ଯ୍ୟ ପୂରଣ କରାଯିବ ବୋଲି ଆଶାବାଦୀ ଥିବା ଶ୍ରୀ ବେହେରା କହିଛନ୍ତି।

Leave a Reply

Your email address will not be published.