Friday , December 9 2022
Breaking News
Home / କୃଷି / ଜାତୀୟ ପ୍ରାକୃତିକ କୃଷି ଓ ଖାଦ୍ୟ ସୁରକ୍ଷା ସମ୍ମିଳନୀ

ଜାତୀୟ ପ୍ରାକୃତିକ କୃଷି ଓ ଖାଦ୍ୟ ସୁରକ୍ଷା ସମ୍ମିଳନୀ

‘ସ୍ବାସ୍ଥ୍ୟ ସମସ୍ୟା ଦୂର କରିବ ପ୍ରାକୃତିକ କୃଷି

ଭୁବନେଶ୍ୱର, ୨୧/୧୧/୨୦୨୨(ଓଡ଼ିଶା ସମାଚାର)- କୃଷିରେ ଅତ୍ୟଧିକ ସାର ପ୍ରୟୋଗ ଯୋଗୁ ପରିବେଶ ସହ ଜନସାଧାରଣଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଉଛି। ଏହାକୁ ପ୍ରତିହତ କରିବାକୁ ହେଲେ ପ୍ରାକୃତିକ କୃଷି ଉପରେ ଗୁରୁତ୍ବାରୋପ କରାଯିବା ଆବଶ୍ୟକ ବୋଲି ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି ।

ରବିବାର ଓୟୁଏଟିଠାରେ ଅନୁଷ୍ଠିତ ଜାତୀୟ ପ୍ରାକୃତିକ କୃଷି ଓ ଖାଦ୍ୟ ସୁରକ୍ଷା ସମ୍ବନ୍ଧୀୟ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବଵିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଥିଲେ ଯେ, କୃଷିକାର୍ଯ୍ୟରେ ରାସାୟନିକ ସାର ଓ କୀଟନାଶକ ଔଷଧ ବହୁଳ ବ୍ୟବହାର ଦ୍ୱାରା ଅନେକ ସ୍ବାସ୍ଥ୍ୟ ଓ ପରିବେଶ ଜନିତ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ପ୍ରଦୂଷଣ ନିୟନ୍ତ୍ରଣ କରିବା ଦିଗରେ ପ୍ରାକୃତିକ କୃଷି ସହାୟକ ହୋଇପାରିବ। ପ୍ରାକୃତିକ କୃଷିକୁ ଆଦରି ନେଲେ ସ୍ବାସ୍ଥ୍ୟ ଓ ପରିବେଶ ଜନିତ ଅନେକ ସମସ୍ୟାକୁ ଦୂର କରାଯାଇପାରିବ। ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ଯୋଗଦେଇ କହିଥିଲେ ଯେ, ଦିନକୁ ଦିନ ବଢୁଥିବା ସ୍ବାସ୍ଥ୍ୟ ଓ ପୁଷ୍ଟିଜନିତ ସମସ୍ୟା ଦୂର କରିବା ଦିଗରେ ପ୍ରାକୃତିକ କୃଷି ପ୍ରମୁଖ ଭୂମିକା ଗ୍ରହଣ କରିପାରିଵ। ଆଣ୍ଠୁ ଗଣ୍ଠି, କର୍କଟ ରୋଗ, ସ୍ମୃତିଶକ୍ତି ହ୍ରାସ ସମସ୍ୟା ଦୂର କରିବା ଦିଗରେ ପ୍ରାକୃତିକ କୃଷି ଅନେକ ମାତ୍ରାରେ ସହାୟକ ହୋଇପାରିବ ବୋଲି ସେ କହିଥିଲେ। ଭାରତୀୟ କିଷାନ ସଂଘର ସାଧାରଣ ସମ୍ପାଦକ ମୋହିନୀ ମୋହନ ମିଶ୍ର ରାସାୟନିକ ସାର ବ୍ୟବହାରରେ ରିଆତି ସିଧା କୃଷକଙ୍କ ଆକାଉଣ୍ଟକୁ ଦିଆଯିବା ଦରକାର ବୋଲି କହିବା ସହ କିଷାନ କ୍ରେଡିଟ କାର୍ଡକୁ ବ୍ୟବହାର କରି ବଜାର ବ୍ୟବସ୍ଥା ଦିଗରେ ପଦକ୍ଷେପ ନିଆଯିବା ଦରକାର ବୋଲି କହିଥିଲେ। ଜାତୀୟ ପ୍ରାକୃତିକ କୃଷି ଓ ଜୈବିକ କୃଷି କେନ୍ଦ୍ରର ନିର୍ଦେଶକ ଗଗ୍ନେଶ ଶର୍ମା ଯୋଗଦେଇ କହିଥିଲେ ଯେ, ଜୈବିକ କୃଷି ଓ ପ୍ରାକୃତିକ କୃଷି ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି। ଏହାଦ୍ବାରା ପରିବେଶ ଜନିତ ସମସ୍ୟା ଦୂର କରିବାକୁ ସହଜ ହୋଇପାରିବ। ଅନନ୍ୟାର କାର୍ଯ୍ୟନିର୍ବାହୀ ସମ୍ପାଦକ ସୁକାନ୍ତ କୁମାର ପାଣିଗ୍ରାହୀ ପ୍ରାକୃତିକ ଉପାୟରେ ଚାଷ କଲେ ବଜାର ବ୍ୟବସ୍ଥା ଦିଗରେ ସଂସ୍ଥା ସହଯୋଗ କରିବ ବୋଲି ଆଶ୍ବାସନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ୫ ଜଣ ପ୍ରାକୃତିକ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସିଫାର ବରିଷ୍ଠ ବୈଜ୍ଞାନିକ ଡକ୍ଟର ନଗେଶ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ୬୦୦ରୁ ଊର୍ଦ୍ଧ୍ବ ଚାଷୀ ଯୋଗ ଦେଇଥିଲେ।

Leave a Reply

Your email address will not be published.