Friday , December 9 2022
Breaking News
Home / କୃଷି /    ଜଗତସିଂହପୁର ଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ମତ୍ସ୍ୟ ଦିବସ ପାଳିତ

   ଜଗତସିଂହପୁର ଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ମତ୍ସ୍ୟ ଦିବସ ପାଳିତ

ଜଗତସିଂହପୁର,୨୧/୧୧/୨୦୨୨(ଓଡ଼ିଶା ସମାଚାର)- ସୋମବାର ପୂର୍ବାହ୍ନରେ ସ୍ଥାନୀୟ  ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ଜିଲ୍ଲା ମତ୍ସ୍ୟ ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ବିଶ୍ୱ ମତ୍ସ୍ୟ ଦିବସ  ପାଳିତ ହୋଇଯାଇଅଛି । ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ଦିପ୍ତି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାଓରୀ ଜିଲ୍ଲା ମତ୍ସ୍ୟ ଦିବସ ଅବସରରେ ସମସ୍ତ ମତ୍ସ୍ୟଚାଷୀ ଓ ମତ୍ସ୍ୟ ବିଭାଗ କର୍ମକର୍ତା ମାନଙ୍କୁ ଶୁଭେଛା ଜଣାଇଥିଲେ । ମତ୍ସ୍ୟଚାଷ ଆମ ଜିଲ୍ଲାରେ ଗୁରୁତ୍ୱ ବହନ କରୁଛି । ଆମ ଜିଲ୍ଲାରେ ଖାରିଜଳ ଓ ମଧୁର ଜଳ  ମାଛଚାଷ କରାଯାଏ  । ଖାରିଜଳ ଚାଷ ଦ୍ୱାରା ଅଧିକ ମତ୍ସ୍ୟ ଉତ୍ପାଦନ ହୋଇପାରୁଛି । ଆମ ଜିଲ୍ଲାରେ ସ୍ୱୟଂ ସହାୟକ ମହିଳା ମାନେ ବହୁତ ଭଲ ମତ୍ସ୍ୟଚାଷ  କରୁଛନ୍ତି । ଆଧୁନିକ ବୈଷୟିକ ପ୍ରଣାଳୀରେ ମତ୍ସ୍ୟଚାଷ ସଂପର୍କରେ ଚାଷୀମାନଙ୍କୁ ସଚେତନ କରିବାକୁ ମତ୍ସ୍ୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ବାୟୋଫ୍ଲକ, ରାସ୍ ଫାର୍ମିଙ୍ଗ୍, ମୋ ପୋଖରୀ ଯୋଜନାରେ ମତ୍ସ୍ୟଚାଷ କରାଯାଉଛି । ମତ୍ସ୍ୟଚାଷୀ ମାନେ  ଭଲ ରୋଜଗାର କରୁଛନ୍ତି । ଜିଲ୍ଲାରେ ଯେଉଁସବୁ ଜଳ ଉତ୍ସ ରହୁଛି ତାକୁ ବୈଜ୍ଞାନିକ ପ୍ରଣାଳୀରେ ମତ୍ସ୍ୟଚାଷ ପାଇଁ ଉପଯୋଗୀ କରିପାରିଲେ ଜିଲ୍ଲାରେ ଅଧିକରୁ ଅଧିକ ମତ୍ସ୍ୟ ଉତ୍ପାଦନ ହୋଇପାରିବ ।  ଏହି ଦିବସରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀ ବୀର କିଶୋର ପରିଡା ଖାରିଜଳ ଓ ମଧୁର ଜଳ ଚାଷ ସଂପର୍କରେ ଅବଗତ କରାଇ ଥିଲେ । ମତ୍ସ୍ୟ ଉତ୍ପାଦନରେ ଜଗତସିଂହପୁର ଜିଲ୍ଲା ଏକ ଅଗ୍ରଣୀ ଜିଲ୍ଲା ।  ଅନ୍ୟତମ ଅତିଥି ଭାବେ ଯୋଗଦେଇ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ସେଠୀ କୃଷି ବିଭାଗର ବିଭିନ୍ନ ଯୋଜନା, ଜାତୀୟ ଖାଦ୍ୟ ନିରାପତା ମିଶନ, ରାଜ୍ୟ ଯୋଜନା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ସମନ୍ୱିତ କୃଷି, ଜଳନିଧି, ସୌର ଜଳନିଧି, କୃଷକ ଓଡିଶା ପୋର୍ଟାଲ ଏବଂ ସଫଳ କାର୍ଯ୍ୟକ୍ରମ ସଂପର୍କରେ ଚାଷୀ ମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ଅବଗତ କରାଇଥିଲେ । ସହକାରୀ ଉଦ୍ୟାନ ନିର୍ଦ୍ଧେଶକ ଶ୍ରୀ ପ୍ରଦୀପ କୁମାର ବଳ ଯୋଗଦେଇ ଉଦ୍ୟାନ ବିଭାଗରେ ଯେଉଁସବୁ ଯୋଜନା କାର୍ଯ୍ୟକାରୀ ହେଉଛି ସେ ବିଷୟରେ ଆଲୋକପାତ କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ର  ବୈଜ୍ଞାନିକ, ମତ୍ସ୍ୟ ସଂପଦ  ଶ୍ରୀମତୀ ସରିତା ଦାସ ଯୋଗଦେଇ ମତ୍ସ୍ୟଚାଷ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏରସମା ବ୍ଲକରେ କିଭଳି ଭାବେ ମସô୍ୟ ଉତ୍ପାଦନ କରୁଛନ୍ତି ତା ଉପରେ ଆଲୋଚନା  କରିଥିଲେ । ଏହି ଦିବସରେ ଅଧ୍ୟକ୍ଷତା କରି ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ଦିପ୍ତି କୁମାର ମହାପାତ୍ର ମାଛ ଯାଆଁଳ ଉତ୍ପାଦନକାରୀଙ୍କ ପାଇଁ ଉନ୍ନତ ପରିଚାଳନା ପଦ୍ଧତି,ଉପକୂଳ ଜଳକୃଷି ପ୍ରାଧିକରଣଙ୍କ ଗାଇଡ୍ ଲାଇନ୍ ଆଧାରରେ ଖାରିପାଣି, ଚିଙ୍ଗୁଡି ଓ ମାଛଚାଷ, ଅନୁକୂଳ ଭୂମି, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ଦ୍ୱାରା  ଗ୍ରାମ ପଂଚାୟତ ପୋଖରୀରେ ମାଛଚାଷ,ମତ୍ସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ମାଛଚାଷ ପାଇଁ ନୂଆ ପୋଖରୀ ଖୋଳା ଯୋଜନା,ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ରାଜ୍ୟ ଯୋଜନା, ଓଡିଶାରେ ଜଳକୃଷି ପାଇଁ ଆବଶ୍ୟକ ଯନ୍ତ୍ରପାତି ଓ ଅନ୍ୟ ସରଂଜାମ ଗୁଡିକର ବହୁଳ ବ୍ୟବହାର ନିମନ୍ତେ ସ୍ୱତନ୍ତ୍ର ପ୍ରୋତ୍ସାହନ ସଂପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ମତ୍ସ୍ୟଚାଷୀଙ୍କୁ ଅବଗତ କରାଇ ଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ କାମିନୀ ରଂଜନ ପଟ୍ଟନାୟକ ଯୋଗଦେଇ ମତ୍ସ୍ୟଚାଷ ଯୋଜନା ଗୁଡିକ ସଂପର୍କରେ ଚାଷୀମାନଙ୍କୁ ଅଧିକରୁ ଅଧିକ ସଚେତନ କରିପାରିଲେ  ଜିଲ୍ଲାରେ ଅଧିକ ମତ୍ସ୍ୟଚାଷ ହୋଇପାରିବ ଓ ଚାଷୀମାନେ ସ୍ୱାବଲମ୍ବୀ ହୋଇ ପାରିବେ ବୋଲି କହିଥିଲେ । ଏହି ଦିବସରେ ତିର୍ତୋଲ ଇଟାଙ୍ଗର ମଧୁର ଜଳ ମତ୍ସ୍ୟଚାଷୀ  ବାବାଜୀ ନାୟକ,ଉତମ ଖାରିଜଳ ମତ୍ସ୍ୟଚାଷୀ ଏରସମା, ଧୋବୋଇ ଜଙ୍ଗଲର ଶ୍ରୀ ହରିପଦ ଦାସ, ଉତମ ବାୟୋଫ୍ଲକ ମତ୍ସ୍ୟଚାଷୀ ଶ୍ରୀମତୀ ସରୋଜ ଭାଷିନୀ ବିଶ୍ୱାଳ,ଗାନ୍ଧିଛକ, ଜିଲ୍ଲାର ସର୍ବୋତମ ମତ୍ସ୍ୟଚାଷୀ ମହିଳା ସ୍ୱୟଂ ସହାୟକ ଦଳ, ଧରାଧରପୁର, ରଘୁନାଥପୁରଙ୍କୁ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିଲେ । ଅତିରିକ୍ତ ମତ୍ସ୍ୟ ଅଧିକାରୀ ରେଶମା ରାଣୀ ସିଂହ ପ୍ରାରମ୍ଭରେ  ସ୍ୱାଗତ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିବା ସହିତ ଉତ୍ସବଟିକୁ ପରିଚାଳନା କରିଥିଲେ । ଏହି ଉତ୍ସବରେ ଜିଲ୍ଲାର ମତ୍ସ୍ୟଚାଷୀ,ବିଭାଗୀୟ ଅଧିକାରୀ,ସହକାରୀ ମସô୍ୟ ଅଧିକାରୀ,ବ୍ଲକ ମତ୍ସ୍ୟ ସଂପ୍ରସାରଣ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published.