ଦୁର୍ଘଟଣା ବଢ଼ାଉଛି ବେଆଇନ୍ ପାର୍କିଂ
କଟକ, ୨୦/୧୧/୨୦୨୨(ଓଡ଼ିଶା ସମାଚାର)- ଦ୍ରୁତଗତିରେ ଗାଡିଚାଳନା ଓ ଅଧିକାଂଶ କ୍ଷେତ୍ରରେ ବେଆଇନ୍ ପାର୍କିଂ ଯୋଗୁଁ ସଡ଼କ ଦୁର୍ଘଟଣା ମୃତ୍ୟୁ ବଢୁଛି। ରାଜ୍ୟରେ ସଡକ ଦୁର୍ଘଟଣା ଘଟି ୨୦୨୧ ମସିହାରେ ୫୦୮୧ ଜଣଙ୍କ ମୃତ୍ୟୁ ଘଟିଥିଲା। ତନ୍ମଧ୍ୟରୁ ୨୫% ବେଆଇନ୍ ପାର୍କିଂ ଯୋଗୁଁ ହେଉଥିବା ସରକାରୀ ରିପୋର୍ଟ ପ୍ରକାଶ ପାଇଛି। ଏହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ପକ୍ଷରୁ କେତେକ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ୬ଟି ଜିଲାରେ ଅତ୍ୟାଧୁନିକ ଭାରୀଯାନ ଟର୍ମିନାଲ ନିର୍ମାଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ, ଅନୁଗୋଳ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ନବରଙ୍ଗପୁର ଜିଲାରେ ଅତ୍ୟାଧୁନିକୁ ଟର୍ମିନାଲ ନିର୍ମାଣ କରାଯିବ। ଏହି ଟର୍ମିନାଲରେ ପେଟ୍ରୋଲ ପମ୍ପ, ଶୀତଳ ଭଣ୍ଡାର, ହେଟେଲ, ଏଟିଏମ୍ , ମାର୍କେଟ କମ୍ପ୍ଲେକ୍ସ ଆଦି ସୁବିଧା ରହିବ। ଚାଳକମାନେ କ୍ଲାନ୍ତ ଅନୁଭବ କଲେ ଏଠାରେ ଗାଡି ପାର୍କିଂକରି ବିଶ୍ରାମ ନେବେ, ଖାଦ୍ୟ ଗ୍ରହଣ ଓ ଶୌଚ/ସ୍ନାନାଦି ଭଳି କାର୍ଯ୍ୟ କରିପାରିବେ। ଗାଡି ଚାଳକମାନେ ରାଜପଥ ପାର୍ଶ୍ବରେ ଯାନବାହନ ପାର୍କିଂ ନକରି ଏହି ଟର୍ମିନାଲରେ ରଖିପାରିବେ। ରାଜପଥ ପାର୍ଶ୍ବରେ ଗାଡି ପାର୍କିଂ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ଏହି ୬ଟି ଜିଲାରେ ଟର୍ମିନାଲ ନିର୍ମାଣ ପାଇଁ ଟେଣ୍ଡର ଆରମ୍ଭ ହୋଇଛି। ଡିସେମ୍ବର ୩ ପର୍ଯ୍ୟନ୍ତ ବିଡିଂ ପ୍ରକ୍ରିୟା ଜାରି ରହିବ। ଖୁବ୍ କମ୍ ସମୟ ମଧ୍ୟରେ ଟର୍ମିନାଲ ନିର୍ମାଣ କରାଯିବ। ଏହାର ସଫଳ ରୂପାୟନ ପରେ ଅନ୍ୟାନ୍ୟ ଜିଲାରେ ମଧ୍ୟ ଟର୍ମିନାଲ ନିର୍ମାଣ କରାଯିବାକୁ ଯୋଜନା ହେଉଥିବା ଅତିରିକ୍ତ ପରିବହନ ଆୟୁକ୍ତ ଲାଲମୋହନ ସେଠୀ ସୂଚନା ଦେଇଛନ୍ତି। ରାଜପଥରେ ଭାରୀଯାନ ଚଳାଚଳ କିଛି ବର୍ଷ ମଧ୍ୟରେ ବହୁ ଗୁଣିତ ହୋଇଯାଇଛି। ମାଲ ପରିବହନ କ୍ଷେତ୍ରରେ ସର୍ବାଧିକ ଟ୍ରକ୍ ବ୍ୟବହାର କରାଯାଉଛି। ଲମ୍ବା ଯାତ୍ରା ଯୋଗୁଁ ଚାଳକମାନେ କ୍ଲାନ୍ତ ହୋଇପଡିଥାନ୍ତି। ଫଳରେ ସେମାନେ ରାଜପଥ ପାର୍ଶ୍ବରେ ଗାଡି ରଖି ବିଶ୍ରାମ ନେଇଥାନ୍ତି। ଏପରିକି ଢାବାରେ ଖାଇବା ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ମଧ୍ୟ ସେମାନେ ରାସ୍ତା କଡରେ ଗାଡି ପାର୍କିଂ କରି ରଖିଥାନ୍ତି। ଏଥିଯୋଗୁଁ ବହୁ ସମୟରେ ଦୁର୍ଘଟଣା ଘଟିଥାଏ। ଏହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ପକ୍ଷରୁ ଇଓଆଇ(ଏକ୍ସପ୍ରେସନ ଅଫ୍ ଇନଟ୍ରେଷ୍ଟ) ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି।