Friday , December 9 2022
Breaking News
Home / କୃଷି / ନବନିଯୁକ୍ତ ୩୪ ସହ-ଉଦ୍ୟାନକୃଷି ଅଧିକାରୀଙ୍କୁ ଦିଗଦର୍ଶନ

ନବନିଯୁକ୍ତ ୩୪ ସହ-ଉଦ୍ୟାନକୃଷି ଅଧିକାରୀଙ୍କୁ ଦିଗଦର୍ଶନ

ସେବକ ମନୋଭାବ ନେଇ କାମ କର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦/୧୧/୨୦୨୨(ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ ଦ୍ବାରା ନବନିଯୁକ୍ତ ୩୪ ଜଣ ସହ-ଉଦ୍ୟାନକୃଷି ଅଧିକାରୀ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଶନିବାର ଏହି ଉପଲକ୍ଷେ ଏକ ଦିଗଦର୍ଶନ କାର୍ଯ୍ୟକ୍ରମ ଲୋକସେବା ଭବନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତ ସହ କୃଷି ଅଧିକାରୀଙ୍କୁ  ସମାଜର ଶେଷ ପାହାଚରେ ଥିବା ଲୋକ ଓ ସରକାରଙ୍କ ମଧ୍ୟରେ ସେତୁ ଭଳି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି।

ଏବେ ଏକ ସୁସ୍ଥ ବଳୟରୁ ବାହାରି ଆଦିବାସୀ ଅପହଞ୍ଚ ପାହାଡ଼ିଆ ଅଞ୍ଚଳରେ ରହିଥିବା ଲୋକଙ୍କ ସହ ଯୋଗାଯୋଗ କରି ଚାଷରେ ସେମାନେ ସମ୍ମୁଖୀନ ହେଉଥିବା ଆହ୍ବାନର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ଅଧିକାରୀଙ୍କୁ କହିଥିଲେ। ସେ ଆହୁରି କହିଥିଲେ, ଉଦ୍ୟାନ କୃଷି ଅଧିକାରୀ ଭାବରେ ଆସନ୍ତା ୩୦ବର୍ଷ ମଧ୍ୟରେ ସେମାନଙ୍କ ଭୂମିକା ରାଜ୍ୟର ଉଦ୍ୟାନ କୃଷିର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ। ‘ମୋ-ସରକାର’ରେ ଜଣେ ସେବକ ମନୋବୃତ୍ତି ନେଇ କାର୍ଯ୍ୟ କରିବାକୁ ପଡ଼ିବ। ଉଦ୍ୟାନ କୃଷି କ୍ଷେତ୍ରରେ ରାଜ୍ୟର ରୂପାନ୍ତର ମିଶନକୁ ହୃଦୟଙ୍ଗମ କରି ଅଧିକାରୀମାନେ ରାଜ୍ୟ ପାଇଁ ସେମାନଙ୍କ ଦାୟିତ୍ବ ପ୍ରତିପାଦନ କରିବେ। ରାଜ୍ୟ ସରକାର କୃଷି କ୍ଷେତ୍ରର ବିକାଶ ସହିତ ଚାଷୀଙ୍କ ଆୟ ଦ୍ବିଗୁଣ କରିବାକୁ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି। କୃଷି କ୍ଷେତ୍ରରେ ଉଦ୍ୟାନ କୃଷି ହେଉଛି ଚାଷୀଙ୍କ ଆୟ ବଢ଼ାଇବାର ଏକ ପ୍ରଭାବଶାଳୀ ମାଧ୍ୟମ। ଏହାଦ୍ବାରା ଚାଷୀ ପରିବାରର ଆୟ ବଢ଼ିବା ସହିତ ପୋଷଣ ଅଭାବକୁ ପୂରଣ କରିପାରିବ। ଏହାକୁ ନେଇ ଆଗାମୀ ଦିନରେ ଅଙ୍ଗନବାଡି କେନ୍ଦ୍ର, ବିଦ୍ୟାଳୟ ଏବଂ ଚାଷୀଙ୍କ ଘର ପଛପଟେ ରୋଷେଇ ଘରର ଉଦ୍ୟାନ(କିଚେନ ଗାର୍ଡେନ)ର ବିକାଶ କରି ପୁଷ୍ଟି ସମସ୍ୟା ସମାଧାନ କରାଯାଇ ପାରିବ। ପଣସ ମିଶନ୍, ମସଲା ମିଶନ୍, ଫୁଲଚାଷ ମିଶନ୍, ଛତୁ ମିଶନ୍ ଦ୍ବାରା ପୁଷ୍ଟିକର ଖାଦ୍ୟ ମିଳିପାରିବ। ଯାହାଦ୍ବାରା ଚାଷୀଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ସହ ରାଜ୍ୟରୁ ପୁଷ୍ଟି ସମସ୍ୟା ଦୂର ହୋଇପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଏହି ଅବସରରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟ ସରକାର ଦ୍ରୁତ ଗତିରେ ନିଯୁକ୍ତି ପ୍ରକ୍ରିୟା ଜାରି ରଖିଥିବା କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି. କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବାବେଳେ କୃଷି ବିଭାଗ ପ୍ରମୁଖ ସଚିବ ଡ. ଅରବିନ୍ଦ ପାଢ଼ୀ ଓ ବରିଷ୍ଠ ଅଧିକାରୀଗଣ ସାମିଲ ଥିଲେ।

Leave a Reply

Your email address will not be published.