Thursday , June 8 2023
Breaking News
Home / ବିଶେଷ / ବ୍ରହ୍ମପୁରରୁ ଓଡ଼ିଶା ବଂଚାଅ ଅଭିଯାନର ବିଗୁଲ ବାଜିଲା

ବ୍ରହ୍ମପୁରରୁ ଓଡ଼ିଶା ବଂଚାଅ ଅଭିଯାନର ବିଗୁଲ ବାଜିଲା

ବ୍ରହ୍ମପୁର, ୧୯/୧୧/୨୦୨୨(ଓଡ଼ିଶା ସମାଚାର)- ଆମ ପି୍ରୟ ଜନ୍ମଭୂମି ଭାରତବର୍ଷ ସ୍ୱାଧୀନତାର ୭୫ବର୍ଷ ପରେ ସାମାଜିକ, ଅର୍ଥନୈତିକ, ରାଜନୈତିକ ଓ ସାଂସ୍କୃତିକ କ୍ଷେତ୍ରରେ ଘୋର ସଙ୍କଟର ସମ୍ମୁଖୀନ ହୋଇଛି । ସ୍ୱାଧୀନୋତର ଭାରତରେ ଯାହା ଘଟି ନ ଥିଲା, ତାହା ଘଟୁଛି । ବିବିଧତା ଭିତରେ ଏକତା ବିପଦଗ୍ରସ୍ତ ହୋଇଛି । ସମ୍ବିଧାନ ଓ ସମ୍ବିଧାନିକ ସଂସ୍ଥା ଉପରେ ବିଜେପି ଓ ଆରଏସଏସର ଘନ ଘନ ଆକ୍ରମଣ ଜାରି ରହିଛି । ବିଜେପି-ଆରଏସଏସ୍ ର ସରକାର ଭାରତକୁ ଏକ ଦେଶ ଏକ ଭାଷା, ଏକ ଧର୍ମରେ ପରିଣତ କରିବା ପଛରେ ଦେଶକୁ ଫାସୀବାଦୀ ଢାଂଚାରେ ପରିଣତ କରିବା ଷଡ଼ଯନ୍ତ୍ର ସ୍ପଷ୍ଟ । ଏହି ଶେଷ ଲକ୍ଷ୍ୟକୁ ହାସଲ କରିବା ପାଇଁ ସମସ୍ତ ପଦକ୍ଷେପ ସେମାନେ ଗ୍ରହଣ କରୁଛନ୍ତି । ଆମ ଦେଶରେ ସିବିଆଇ, ନିର୍ବାଚନ କମିଶନ ଓ ଇଡ଼ି ଆଦି ଭଳି ସମସ୍ତ ସାମ୍ବିଧାନିକ ସଂସ୍ଥାକୁ ଅକ୍ତିଆର କରିବା ସେଙ୍ଗ ସେଙ୍ଗ ଦେଶର ବିଚାର ବ୍ୟବସ୍ଥାକୁ ନିଜ ଇଙ୍ଗିତରେ ପରିଚାଳନା କରାଯାଉଛି । ୩୭୦ ଧାରାର ଉଚ୍ଛେଦ, ସମାନ ନାଗରିକ ସଂହିତା ପ୍ରଣୟନ ସହିତ ସମସ୍ତ ରାଜ୍ୟରେ ଯେକୌଣସିମତେ ସରକାର ପ୍ରତିଷ୍ଠା କରିବାର ରାଜନୈତିକ କୌଶଳରେ ବିଜେପି ଅଛି । ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ର ଓ ପେଟ୍ରୋଲ, ଡିଜେଲର ଆକାଶଛୁଆଁ ଦରବୃଦ୍ଧିଠାରୁ ଆରମ୍ଭ କରି ଜନଜୀବନରେ ଦେଖାଦେଇଥିବା ଦୁର୍ବିସହ ସମସ୍ୟାଗୁଡ଼ିକରୁ ଦୃଷ୍ଟି ହଟାଇବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ରାଜନୈତିକ ନାଟକ ଓ ହଟଚମଟ ସୃଷ୍ଟି କରୁଛନ୍ତି । ବିରୋଧୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛନ୍ତି ଏବଂ ବିଜେପି-ଆରଏସଏସ ବିରୋଧୀ ବୁଦ୍ଧିଜୀବୀ ଏବଂ ଶକ୍ତିବର୍ଗ ପ୍ରତିବାଦ କଲେ ଦେଶଦ୍ରୋହ ଆଖ୍ୟାରେ ଆଖ୍ୟାୟିତ କରୁଛନ୍ତି । ୟୁଏପିଏ ଭଳି ଅତ୍ୟନ୍ତ ନିର୍ମମ, ଅଗଣତାନ୍ତ୍ରିକ କଳା ଆଇନକୁ ସମାଲୋଚନା ଏବଂ ବିରୋଧୀ ଭିନ୍ନ ମତ ପୋଷଣ କରୁଥିବା ଶକ୍ତିମାନଙ୍କ ବିରୁଦ୍ଧରେ ବ୍ୟବହାର କରି ବର୍ଷ ବର୍ଷ ଧରି ଜେଲ୍ ରେ ରଖାଯାଉଛି । ସାଇବାବାଙ୍କ ଭଳି ଭୀଷଣ ରୋଗଗ୍ରସ୍ତ ବୁଦ୍ଧିଜୀବୀଙ୍କ ଦୀର୍ଘବର୍ଷର ଜେଲ୍ ଏହାର ପ୍ରମାଣ ।
କେନ୍ଦ୍ର ସରକାରଙ୍କର ଏହି ଦେଶ ଓ ସମ୍ବିଧାନ ବିରୋଧି ପଦକ୍ଷେପଗୁଡ଼ିକର ଜବାବ ଦେବା ପାଇଁ ଏବଂ ଶାନ୍ତିପି୍ରୟ ଓଡ଼ିଶାକୁ ବିଜେପି ମୁକ୍ତ ଓଡ଼ିଶା କରିବା ପାଇଁ ବିଭିନ୍ନ ପଦକ୍ଷେପ “ଓଡ଼ିଶା ବଂଚାଅ ଅଭିଯାନ” ଆସନ୍ତା ଦିନରେ ଗ୍ରହଣ କରିବାକୁ ନିଷ୍ପତି ଗ୍ରହଣ କରାଯାଇଛି ।
କେନ୍ଦ୍ର ସରକାରଙ୍କର ସମସ୍ତ ଜନବିରୋଧୀ ପଦକ୍ଷେପକୁ ସମର୍ଥନ କରି ଗତ ୨୨ବର୍ଷ ଧରି ଓଡ଼ିଶାକୁ ଲଗାତର ଶାସନ କରୁଥିବା ବିଜେଡି ସରକାର ସେହି ସମାନ ମୁଦ୍ରାର ଆଉ ଗୋଟିଏ ପାଶ୍ୱର୍ ହୋଇଯାଇଛନ୍ତି । ପାର୍ଲାମେଂଟରେ ସମସ୍ତ ବିଲ୍ କୁ ସମର୍ଥନ ଓ ବିଭିନ୍ନ ସାମ୍ବିଧାନିକ ନିର୍ବାଚନରେ ବିଜେପିକୁ ସମର୍ଥନ ଦେଇ ବିଜେଡି ବିଜେପିର ବି ଟିମ୍ ହେବାର ଦୃଷ୍ଟାନ୍ତ ସୃଷ୍ଟି କରିଛି ।
କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେଡି: ଏହି ରାଜନୈତିକ କୌଶଳରେ ଦୁଇ ଦଳ ଅଛନ୍ତି । ରାଜ୍ୟକୁ ସ୍ୱତନ୍ତ୍ର ମାନ୍ୟତାର ନାଁ ଆଉ ବିଜେଡି ଧରୁ ନାହିଁ । ଗତ ୨୨ ବର୍ଷ ଭିତରେ ରାଜ୍ୟରେ ଛୁଂଚି କାରଖାନାଟିଏ ବି ହୋଇପାରିଲା ନାହିଁ । ହଜାର ହଜାର ଏକର ଜମି ଅଧିଗ୍ରହଣ ହୋଇ ଖାଲି ପଡ଼ିରହିଛି । ଚାଷ ପ୍ରତି ନଜର ନାହିଁ କି ନିଘା ନାହିଁ । ଜଳସେଚନ ଅବସ୍ଥା କହିଲେ ନ ସରେ । କର୍ମନିଯୁକ୍ତି ନଥିବା ଫଳରେ ଦାଦନ ଗମନରେ ରାଜ୍ୟ ଏକନମ୍ବର । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ଏଥିରେ ସର୍ବାଗ୍ରେ । ବେକାରଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି । ରାଜ୍ୟରେ ଖାଲି ଥିବା ୨ଲକ୍ଷରୁ ଅଧିକ ସରକାରୀ ପଦବୀ ପୂରଣ କରାଯାଉ ନାହିଁ । ରାଜ୍ୟର ବିକାଶ ଅର୍ଥ ବିଜେଡି ଦଳର ପାଣ୍ଠିର ବିକାଶ ଓ ବିଜେଡି ନେତାମାନଙ୍କ ଆର୍ଥିକ ବିକାଶ । ଚାଷୀ ଆତ୍ମହତ୍ୟାରେ ରାଜ୍ୟ ରେକର୍ଡ କଲାଣି । ପେଟ୍ରୋଲ, ଡିଜେଲ ଦର ବୃଦ୍ଧି କଥା କହିଲେ ରାଜ୍ୟ ଓ କେନ୍ଦ୍ର ଦୋଷ ଲଦାଲଦି ହେଉଛନ୍ତି । ରାଜ୍ୟରେ ନାବାଳିକାଟିଏ ମଧ୍ୟ ସୁରକ୍ଷିତ ମଣୁନି । ପ୍ରାକୃତିକ ସମ୍ପଦରେ ଭରପୁର ଓଡ଼ିଶାର ଜନଗଣ ଅକଥନୀୟ ଦୁର୍ବିସହ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଏହାର ଫାଇଦା ଉଠାଇ ବିଜେଡି ବିରାମ ବିହୀନ ଶାସନ କରିଚାଲିଛି । ତା’ର ମୁଖ୍ୟ କାରଣ ମିଳିତ ବିରୋଧିଦଳମାନଙ୍କର ବିରୋଧୀ ଆୱାଜର ଅଭାବ ।
“ଓଡ଼ିଶା ବଂଚାଅ ଅଭିଯାନ” ରାଜ୍ୟର ଶିଳ୍ପ ଓ କୃଷିର ସନ୍ତୁଳିତ ବିକାଶ ପାଇଁ, ବେକାରୀ ଦୂର ପାଇଁ ବିକଳ୍ପ ନିଯୁକ୍ତି ନୀତି, କୃଷିପ୍ରଧାନ ଆମ ରାଜ୍ୟରେ ଚାଷର ବିକାଶ ପାଇଁ ଯୋଜନାବଦ୍ଧ ଆଗୁଆ ପଦକ୍ଷେପ, ରାଜ୍ୟର ପଛୁଆ ଓ ସିଡୁ୍ୟଲ୍ଡ ଅଞ୍ଚଳର ଉତ୍ଥାନ ପାଇଁ ନିର୍ଦ୍ଧିଷ୍ଟ ଅର୍ଥନୈତିକ ପଦକ୍ଷେପ ଓ ତା’ର ଆକ୍ଷରିକ କାର୍ଯ୍ୟକାରିତା, ମାଛ, ଦୁଗ୍ଧ ଓ ପଶୁପକ୍ଷୀ ଫାର୍ମ ପାଇଁ ସ୍ୱତନ୍ତ୍ର ପ୍ରୋତ୍ସାହନ ଦାବି ସହିତ ରାଜ୍ୟ ସାରା ଏକ ବିକଳ୍ପ ବିକାଶର ଅଭିଯାନ ଆରମ୍ଭ କରିବା ପାଇଁ “ଓଡ଼ିଶା ବଂଚାଅ ଅଭିଯାନ” ଗଠିତ ହୋଇଛି । ସମତାକ୍ରାନ୍ତି ଦଳ, ସିପିଆଇ, ସିପିଆଇ(ଏମ୍), ସିପିଆଇ (ଏମଏଲ) ଲିବରେସନ, ଫରୱାର୍ଡ ବ୍ଲକ, ସମାଜବାଦୀ ପାର୍ଟି, ରାଷ୍ଟ୍ରବାଦୀ କଂଗ୍ରେସ ଦଳ, ଆରଜେଡି, ଜେଡିୟୁ ଓ ଆରପିଆଇ ପ୍ରଭୃତି ଦଳମାନେ ଆଜି ନଭେମ୍ବର ୧୯ ତାରିଖରେ ପ୍ରଥମ ପଦକ୍ଷେପରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରଠାରେ ଜିଲ୍ଲାସ୍ତରୀୟ ସମାବେଶ ଜରିଆରେ ଜନସମ୍ପର୍କ ଅଭିଯାନ ଆରମ୍ଭକରି ଓଡ଼ିଶା ବଂଚାଅ ଅଭିଯାନର ବିଗୁଲ ବଜାଇଛନ୍ତି । ଏହାପରେ ଅନ୍ୟ ଜିଲ୍ଲାମାନଙ୍କରେ ତାକୁ ବ୍ୟାପକ କରାଯିବ । ଡିସେମ୍ବର ମାସରେ ଭୁବନେଶ୍ୱରଠାରେ ଏକ ରାଜ୍ୟସ୍ତରୀୟ ଗଣ କନଭେନସନ ଆୟୋଜନ କରାଯିବା ପାଇଁ କନଭେନ୍ସନରେ ଘୋଷଣା ପ୍ରକାଶ କରାଯାଇଛି ।

Leave a Reply

Your email address will not be published.