ଭୁବନେଶ୍ୱର, ୧୯/୧୧/୨୦୨୨(ଓଡ଼ିଶା ସମାଚାର)- ଗତକାଲି ସନ୍ଧ୍ୟାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ମୋଟ୍ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଓଡ଼ିଶା ବନ୍ଦର ନୀତିକୁ ଅନୁମୋଦନ ମିଳିଛି। ସାମୁଦ୍ରିକ ସଂରଚନାର ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ବ ଦିଆଯାଇଛି। ଏହି ନୀତି ଅନୁସାରେ ଅନ୍ତର୍ଦେଶୀୟ ଜଳପଥ ଓ କ୍ଷୁଦ୍ର ବନ୍ଦରର ବିକାଶ ହୋଇପାରିବ। ବନ୍ଦର କ୍ଷେତ୍ରରେ ଘରୋଇ ପୁଂଜି ନିବେଶକୁ ପ୍ରୋତ୍ସାହିତ ଦେବ। ବନ୍ଦର ଏବଂ ବନ୍ଦର ସଂପର୍କୀତ ଶିଳ୍ପ ସମୂହ ମଧ୍ୟ ବିକାଶ ହେବ। ସେହିପରି ସାମୁଦ୍ରିକ ପର୍ୟ୍ୟଟନ, ବହୁମୁଖୀ ଜେଟି ଆଦିକୁ ଏହି ନୀତି ପ୍ରୋତ୍ସାହନ ଯୋଗାଇବ।
କଟକ ଜିଲ୍ଲା ହାଡୁଆ ନଦୀରେ ଜଳ ଭଣ୍ଡାର ନିର୍ମାଣକୁ ମଂଜୁରୀ ମିଳିଛି । ୩୮୭ ମିଟର ଦୀର୍ଘ ଓ ୪୩.୮୨୫ ମିଟର ଉଚ୍ଚର କଂକ୍ରିଟ ବନ୍ଧ ନିର୍ମାଣ ହେବ । ହାଡୁଆ ନଦୀରେ ଡ୍ୟାମ ନିର୍ମାଣ ପାଇଁ ୨୨୫ କୋଟି ଖର୍ଚ୍ଚ ହେବ । ନରସିଂହପୁର , ବଡମ୍ବା , ତିଗିରିଆ ବ୍ଲକର ଚାଷ ଜମିକୁ ପାଣି ମିଳିବ ।
୍ଣସହିପରି ରାଜ୍ୟ ଶିଶୁ ନୀତି-୨୦୨୨ ‘ପ୍ରାରମ୍ଭ’ କୁ କ୍ୟାବିନେଟ ମଂଜୁରୀ ମିଳିଛି। ଶିଶୁଙ୍କର ବଞ୍ଚିବାର ଅଧିକାର ଓ ସୁରକ୍ଷାକୁ ଗୁରୁତ୍ୱ ଦେବ ନୂଆ ନୀତି । ଶିଶୁଙ୍କର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ , ଶିକ୍ଷା ଅଧିକାରକୁ ଗୁରୁତ୍ୱ । ଶିଶୁଙ୍କର ସର୍ବାଙ୍ଗୀନ ବିକାଶକୁ ଗୁରୁତ୍ୱ ଦେବ ନୂଆ ଶିଶୁ ନୀତି । ବିଜ୍ଞପ୍ତିର ବର୍ଷକ ମଧ୍ୟରେ ଲାଗୁ ହେବ ରାଜ୍ୟ ଶିଶୁ ନୀତି ପ୍ରାରମ୍ଭ ।
ଏଥିସହ ଟେକ୍ ହୋମ ରାସନ ନୀତିକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଓଡ଼ିଶା ମ୍ୟୁନିସିପାଲ ଆଇନ୍ ୧୯୫୦ର ସଂଶୋଧନ ପ୍ରସ୍ତାବ ଓ ଓଡ଼ିଶା ମ୍ୟୁନିସିପାଲ କର୍ପୋରେସନ ଆଇନ୍ ୨୦୦୩ର ସଂଶୋଧନ ପ୍ରସ୍ତାବ ଉପରେ ମୋହର ମାରିଛି କ୍ୟାବିନେଟ୍ । ଏଥିସହ ଓୟୁଟିଆର ରୂପାନ୍ତରଣ ପାଇଁ ଖର୍ଚ୍ଚ ହେବ ୧୫୦୦ କୋଟି ଟଙ୍କା ।
ଖଣ୍ଡଗିରି ସ୍ଥିତ ଜେଡି ସେଣ୍ଟର ଅଫ ଆର୍ଟ୍ସକୁ ରାଜ୍ୟ ସରକାର ଆର୍ଥିକ ସହାୟତା ଦେବା ନେଇ ପ୍ରସ୍ତାବକୁ ମୋହର ମରାଯାଇଛି । ଏଥିସହ ଗ୍ରୁପ ବି ଓ ଗ୍ରୁପ ସି ସ୍ପେଶାଲିଷ୍ଟ ପଦବୀ ଓ ସେବା ନିୟମାବଳୀ ୨୦୨୨ ସମନ୍ବିତ ପରୀକ୍ଷା ଅନୁଷ୍ଠିତ ହେବାକୁ ନେଇଥିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏଥିସହ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନାର ଅଧିନିୟମରେ ହେବ ସଂଶୋଧନ । ଇଚ୍ଛାଧୀନ କୋଟାରେ ସିଙ୍ଗଲ ଆଲଟମେଣ୍ଟକୁ ଟାସ୍କଫୋର୍ସରୁ ବାଦ ପଡିବ । ଏଣିକି ବିଡିଏ, ସିଡିଏ ଓ OSHBର ସିଙ୍ଗଲ ଆଲଟମେଣ୍ଟ ଜମି ବୈଧ ହେବ ।