ଭୁବନେଶ୍ୱର, ୧୮/୧୧/୨୦୨୨(ଓଡ଼ିଶା ସମାଚାର)- ବିଭିନ୍ନ ଦାବି ସମ୍ପର୍କରେ ସରକାରଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ ସୁଫଳ ମିଳୁ ନ ଥିବାରୁ ଆସନ୍ତା ୨୧ରୁ ଅଙ୍ଗନବାଡି କର୍ମଚାରୀମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଅଲ ଓଡ଼ିଶା ଅଙ୍ଗନବାଡି ଲେଡ଼ିଜ ୱାର୍କର୍ସ ଆସୋସିଏସନ ପକ୍ଷରୁ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରାଯାଇଛି। ଆସୋସିଏସନ ପକ୍ଷରୁ କୁହାଯାଇଥିଲା ଯେ ଅଙ୍ଗନବାଡି କର୍ମୀମାନେ ଦୀର୍ଘ ୪୭ ବର୍ଷ ଧରି ସରକାରଙ୍କ ସମସ୍ତ କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପାଦନ କରିଆସୁଛନ୍ତି । ୬ଟି କାର୍ଯ୍ୟକୁ ନେଇ ଆରମ୍ଭ ହୋଇଥିବା ସମନ୍ବିତ ଶିଶୁ ବିକାଶ ଯୋଜନା ବର୍ତ୍ତମାନ ସମସ୍ତ ପ୍ରକାର ଜନମଙ୍ଗଳ କାର୍ଯ୍ୟକୁ ସଫଳ ରୂପାୟନ କରୁଛି। କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ ସରକାରଙ୍କ ନିର୍ଦେଶ ଅନୁସାରେ ଘରକୁ ଘର ଯାଇ ସ୍ବାସ୍ଥ୍ୟ ଯାଞ୍ଚ କରିଛନ୍ତି। କର୍ମଚାରୀଙ୍କ ସମସ୍ୟା ବହୁବାର ସରକାରଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ୨୦୨୧ ମସିହା ଡିସେମ୍ବର ୬ରେ ବିଧାନସଭା ନିକଟରେ ଧାରଣା ପରେ ଦାବି ପୂରଣ ପାଇଁ ସରକାର ସମୟ ନେଇଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନେଲେ ନାହିଁ। ତେଣୁ ଆସନ୍ତା ୨୧ରେ ବିଧାନସଭା ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ତା’ପରେ ଯଦି ସରକାର କୌଣସି ପଦକ୍ଷେପ ନ ନେଲେ, ଉକ୍ତ ଦିନଠାରୁ ସାରା ରାଜ୍ୟରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବ ବୋଲି ଆସୋସିସନର ସଭାନେତ୍ରୀ ସୁମିତା ମହାପାତ୍ର କହିଛନ୍ତି ।